
ଜୟପୁର, ୭ ଡିସେମ୍ବର (ହି.ସ.)- କୁନ୍ଦୁରା ବ୍ଲକ ଅନ୍ତର୍ଗତ କେରିମିଟି ପଞ୍ଚାୟତ କନ୍ଦାଯୋଡ଼ି ଗାଁକୁ ସପ୍ତାହେ ହେଲା ଯୋଗାଯୋଗ ବିଚ୍ଛିନ୍ନ ରହିଛି l କୋଲାବ ନଦୀରେ ଥିବା ଡଙ୍ଗାର ଚାରିଆଡ଼େ ଫାଟି ପାଣି ପସୁଛି l ରାତିରେ ପାଣି ଭର୍ତ୍ତି ହୋଇ ସକାଳ ବେଳକୁ ନଦୀରେ ବୁଡ଼ି ରହୁଛି l ୧୦-୧୨ ଜଣ ଲୋକ ପ୍ରାୟ ଦୁଇ ଘଣ୍ଟା ଧରି ଡଙ୍ଗା ବାହାରକୁ କାଢି ସବୁ ପାଣି ବାହାର କଲାପରେ ୪-୬ ଜଣ ଲୋକ ନଦୀ ପାର ହୋଇ ପାରୁଛନ୍ତି l ଏଭଳି ଦୁଇ -ତିନି ମାସ ଚଳାଇ ଆସୁଥିଲେ l ପ୍ରତିଦିନ ଏ ଭଳି କରିବା ସମ୍ଭବପର ହେଲା ନାହିଁ l ଯାହାଦ୍ୱାରା କି ସପ୍ତାହେ ହେଲା ଅତି ଜରୁରୀ ନ ହେଲେ ଡଙ୍ଗା ଚଳାଉ ନାହାନ୍ତି l ଏଥିରେ ଗାଁରେ ଥିବା ସ୍କୁଲ ପ୍ରଭାବିତ ହେଉଛି l ଶିକ୍ଷକ ମାନେ ନଦୀ ଘାଟ ପର୍ଯ୍ୟନ୍ତ ଯାଉଛନ୍ତି କେହି ଡଙ୍ଗା ଆଣିଲେ ପାର ହୋଇ ଯାଉଛନ୍ତି ନ ହେଲେ ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରି ଫେରି ଆସୁଛନ୍ତି l ଏ ସପ୍ତାହରେ ଦୁଇ ତିନି ଦିନ ଏଭଳି ହେଲାଣି I ରୋଷେୟା ସ୍କୁଲ ଖୋଲି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଦେଉଛନ୍ତି l ବ୍ଲକର ଏହି ଦୁଇଟି ଗାଁ ରହିଛି କୋଲାବ ନଦୀ ଆର ପାରିରେ ଓ ଛତିଶଗଡ଼ ସୀମାରେ l ଗାଁ ଠାରୁ ମାତ୍ର ୧ କି.ମି. ପରେ ରହିଛି ଛତିଶଗଡ଼ ସୀମା l ଗାଁ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତଥା ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟରେ ପଞ୍ଚାୟତ ଓ ବ୍ଲକ ସଦରକୁ ନଆସିଲେ ନଚଳେ। ଏଭଳି ସ୍ଥିତିରେ ଗାଁ ଠାରୁ ଅଧିକ ୧୦ କି.ମି. ରାସ୍ତା ବୁଲିକି ଆସୁଛନ୍ତି ଗାଁ ଲୋକେ l ବୈପାରୀଗୁଡ଼ା ବ୍ଲକ ଘୋଡ଼ାଘାଟରେ କୋଲାବ ନଦୀ ପାର ହୋଇ ଗୟଳକୁଣ୍ଡ ଦେଇ ଫୁଲଭଟ୍ଟା ପଞ୍ଚାୟତର ବିଷଭଟ୍ଟା ଦେଇ ପଞ୍ଚାୟତ, ବ୍ଲକ ସଦର ଓ ହାଟ ବଜାରକୁ ଯାତାୟତ କରୁଛନ୍ତି l
ସୂଚନା ଥାଉକି, ଗତ ନଭେମ୍ବର ୧୪ ତାରିଖରେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଏକ ନୂଆ ଡଙ୍ଗା ଯୋଗାଇ ଦିଆଯାଇଥିଲା l ବିଧାୟକ ରୁପୂ ଭତରା ଲୋକାର୍ପଣ କରିଥିଲେ l ହେଲେ ଵର୍ଷେ ପରେ ଏହା ଅଚଳ ହୋଇଗଲା l ଏନେଇ ପିଇଓ ରବିନ୍ଦ୍ର ପୂଜାରୀଙ୍କୁ ପଚାରିବାରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି l ଆସନ୍ତା ସୋମବାର ଦିନ ଜିଲ୍ଲାରୁ ଏକ ଟିମ ଆସି ସ୍ଥିତି ଅନୁଧ୍ୟାନ କରିବେ l ମରାମତି କରାଯିବ କି ନୂତନ ଡଙ୍ଗା ଯୋଗାଇ ଦିଆଯିବ ତାହା ସେମାନେ ସ୍ଥିର କରିବେ ବୋଲି କହିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି