
ଗଞ୍ଜାମ, ୭ ଡିସେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୁଡ଼ଙ୍ଗପୁରରେ ପୋଖରୀରେ ବୁଡି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳିକାଙ୍କ ନାମ ସୋନାଲି । ମୃତ ସୋନାଲିଙ୍କ ବୟସ ୮ ବର୍ଷ ହେବ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କର ଜଣେ ସାଙ୍ଗ ମଧ୍ୟ ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ, ସୋନାଲି ନିଜର ସାଙ୍ଗ ରାଜେଶ୍ୱରୀ ସହିତ ଆଜି ସକାଳେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଏହି ଅଘଟଣ । ଗାଧୋଉଥିବା ବେଳେ ଗଭୀର ପାଣିକୁ ଗୋଡ ଖସି ଯିବାରୁ ପ୍ରଥମେ ପାଣିରେ ବୁଡି ଯାଇଥିଲେ ସୋନାଲି । ତାଙ୍କୁ ସାହାଯ୍ୟ କରିବାକୁ ଯାଇ ରାଜେଶ୍ୱରୀ ମଧ୍ୟ ବୁଡିଯାଇଥିଲେ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁହିଁଙ୍କୁ ଉଦ୍ଧାର କରାଯାଇଥିଲା । ଉଭୟଙ୍କୁ ଦିଗପହଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ସୋନାଲିଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ରାଜେଶ୍ୱରୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଉଭୟ ଗୋଟିଏ ବିଦ୍ୟାଳୟରେ ପାଠ ପଢୁଥିଲେ ଏବଂ ତୃତୀୟ ଶ୍ରେଣୀର ଛାତ୍ରୀ ଥିଲେ ବୋଲି ଜଣାପଡିଛି । ଦିଗପହଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ