
ଧର୍ମଶାଳା,୭ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟ ସଭାଗୃହରେ ଶୁଭ ସକାଳ ପତ୍ରିକାର ଏକାଦଶ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କବି ଡ. ରାଜକିଶୋର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଗୌରହରି ଦାସ ଓ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିଶୁମାନେ ମଧ୍ୟ ବଡମାନଙ୍କ ଭଳି ଶିଶୁକବିତା ଓ ଗଳ୍ପ ଲେଖିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କବୟିତ୍ରୀ ପଦ୍ମଜା ଶରଣ ଅତିଥିମାନଙ୍କୁ ମଂଚକୁ ଅମନ୍ତ୍ରଣ କରିଥିବା ବେଳେ ଉପ ସଭାପତି ମିନତୀ ସାହୁ ସଭା ପରିଚାଳନା କରିଥିଲେ । ପ୍ରହ୍ଲାଦ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବ୍ରଜବନ୍ଧୁ ଶତପଥୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଅତିଥିମାନେ ଶୁଭସକାଳ ପତ୍ରିକା ଉନ୍ମୋଚନ କରିବା ସହ ପ୍ରେମଲତା ମହାରଣାଙ୍କ ସାମାନ୍ୟ କଥନ, ରତ୍ନାକର ନାୟକଙ୍କ ଧୋରେ ବାଇଆ ଧୋ ଓ ଡକ୍ଟର ରଜକିଶୋର ପାଢୀଙ୍କ ଛବିର ଘର ପତ୍ରିକାକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ମାନସ ରଞ୍ଜନ ସାମଲଙ୍କୁ ଶୁଭସକାଳ ସମ୍ମାନ,ନନ୍ଦ କିଶୋର ସିଂଙ୍କୁ ବଂଶୀଧର ସେଠୀ ସାହିତ୍ୟ ସମ୍ମାନ, ଡାକ୍ତର ସୁମନ କଲ୍ୟାଣ ବେହେରାଙ୍କୁ ଡାକ୍ତର ରମେଶ ଚନ୍ଦ୍ର ସାହୁ ସ୍ମୃତି ସମ୍ମାନ ଓ ଦନେଇ ସାହୁ ଓ ବଂଶୀଧର ସେଠୀଙ୍କୁ ଶିକ୍ଷକ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପ୍ରଦତ ମାନପତ୍ର ଗୁଡିକୁ ପ୍ରତାପ ରୁଦ୍ର ପଣ୍ଡା. ପ୍ରତିଭାମଞ୍ଜରୀ ଦାଶ, ସବିତା ମିଶ୍ର, ଓ ଗଣେଶ୍ୱର ବେହେରା ପାଠ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭାମାନେ ନିଜର ଅନୁଭୁତୀ ସମ୍ପର୍କରେ ଅଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କବି/ କବୟିତ୍ରୀ, ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ । ଶେଷରେ ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ