ବଲାଙ୍ଗିର 30 ମେ (ହି . ସ) ଅମୃତ ଭରତରେଳ ଷ୍ଟେସନ ଯୋଜନାରେ ଦେଶର ୧୨୭୫ଟି ରେଳ ଷ୍ଟେସନର ଉନ୍ନତିକରଣ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହି ଯୋଜନା ଅନ୍ତର୍ଗତ ଦେଶର ୧୦୩ଟି ରେଳ ଷ୍ଟେସନର ଉନ୍ନତି କରଣ କାର୍ଯ୍ୟକୁ ଗତ ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ ହେଲେ ବଲାଙ୍ଗିର ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଅମୃତ ଭାରତ ଯୋଜନାରେ ଜାରି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ନିର୍ମାଣ କାର୍ଯ୍ୟରୁ ମାତ୍ର ୫୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା କଥା ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ ପୂର୍ବତଟ ରେଳର ସମ୍ବଲପୁର ଡି ଆର୍ ଏମ କାର୍ଯ୍ୟାଳୟର ଜନସୂଚନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ରେଳ ଷ୍ଟେସନ ଉନ୍ନତିକରଣ କାର୍ଯ୍ୟରେ ବିଳମ୍ବ ହୋଇଥିବା ତଥ୍ୟରେ ସ୍ୱୀକାର କରଯାଇଛି । ବିିଳମ୍ବର କାରଣ କେବୁଲ ସ୍ଥାନାନ୍ତର, ଜଙ୍ଗଲ ଜମି ଅନୁମତ, ମୌସୁମିି ବର୍ଷା ସହ ଆଶ୍ଚର୍ଯ୍ୟଜନକ ଭାବେ ସାଧାରଣ ନିର୍ବାଚନ ଓ ପର୍ବପର୍ବାଣି ପାଇଁ ଶ୍ରମିକ ଅଭାବକୁ ମଧ୍ୟ ଦର୍ଶାଯାଇଛି । ସମୂଦାୟ ୨୦ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଉନ୍ନତିକରଣ କାର୍ଯ୍ୟକୁ ୪ ଭାଗରେ ବିଭକ୍ତ କରାଯାଇଛିି । ସମସ୍ତ ଭାଗର କାର୍ଯ୍ୟ ୨୦୨୪ ମସିହା ଜାନୁଆରୀ ମାସ ସୁଦ୍ଧା ଶେଷ ହେବା କଥା । ଧାର୍ଯ୍ୟ ସମୟ ଠାରୁ ଏକ ବର୍ଷରୁ ଉଦ୍ଧ୍ୱର୍ ସମୟ ଅତିକ୍ରମ ହୋଇ ସାରିଛି । ସମସ୍ତ ୪ ଭାଗର ଉନ୍ନତିକରଣ କାର୍ଯ୍ୟକୁ ତିନିଟି ଠିକା ସଂସ୍ଥାକୁ ନ୍ୟସ୍ତ କରାଯାଇଛି । ଟିଟିଲାଗଡର ଇନ୍ଦ୍ରବନ ଅଗ୍ରଓ୍ୟାଲଙ୍କୁ ୧ଟି, ମେସର୍ସ ଏସ୍ ପି ଗୋୟଲ ଠିକା ସଂସ୍ଥାକୁ ୨ଟି ଓ ଜ୍ୟୋତି ବିକେଡିକୁ ଯଥାକ୍ରମେ ୧ ଭାଗ କାର୍ଯ୍ୟ ନ୍ୟସ୍ତ କରାଯାଇଛି । ଅହେତୁକ ବିଳମ୍ବ ପାଇଁ ଠିକା କାର୍ଯ୍ୟ କରୁଥିବା ସଂସ୍ଥାମାନଙ୍କୁ ରେଳ ବିଭାଗ ପକ୍ଷରୁ ପତ୍ର ଲେଖା ଯାଇଥିବା ତଥ୍ୟରେ କେବଳ କୁହାଯାଇଛି । ଏହା କେବଳ ଏକ ଦୈନନ୍ଦିନ ପ୍ରକ୍ରିୟା ଏବଂ ଅହେତୁକ ବିଳମ୍ବ ପାଇଁ ଏହି ଠିକା ସଂସ୍ଥାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା କଥା ସୂଚନା କର୍ମି ପଣ୍ଡା କହିଛନ୍ତି । ଆଗାମୀ ନଭେମ୍ବର ମାସରେ ବଲାଙ୍ଗିର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ଶେଷ ହେବ ବୋଲି ସମୟସୀମା ପୁନର୍ନିର୍ଦ୍ଧାରଣ କରାଯାଇଥିବା ରେଳ ବିଭାଗର ତଥ୍ୟରେ କୁହାଯାଇଥିଲେ ମଧ୍ୟ ଏହି ସମୟ ମଧ୍ୟରେ ସମ୍ପୂର୍ଣ ହେବା ଆଶା କ୍ଷୀଣ ବୋଲି ପଣ୍ଡା କହିଛନ୍ତି କାରଣ ବର୍ତ୍ତମାନ ମଧ୍ୟ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ଏଠାରେ ଉଲ୍ଲେଖଯାଗ୍ୟ ଯେ, ବଲାଙ୍ଗିର ରେଳ ଷ୍ଟେସନ ନବୀକରଣ କାର୍ଯ୍ୟ ଦୀର୍ଘଦିନ ଧରି ଚାଲୁଥିବାରୁ ବଲାଙ୍ଗିରରୁ ରେଳ ଯୋଗେ ଯିବାଆସିବା କରୁଥିବା ଯାତ୍ରୀମାନେ ବର୍ଷବର୍ଷ ଧରି ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ବୋଲି ପଣ୍ଡା କହିବା ସଙ୍ଗେ ରେଳ ମନ୍ତ୍ରୀ ହସ୍ତକ୍ଷେପ କରିବା ପାଇଁ ଦାବୀ କରିଛନ୍ତି । ରେଳ ବିଭାଗର ଠିକାଦାର ପ୍ରିତୀ ଯୋଗୁଁ ଠିକା ସଂସ୍ଥାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ କି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ ଫଳରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେଉ ନାହିଁ ବୋଲି ପଣ୍ଡା କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ