ଭୁବନ, ୩୧ ମଇ (ହି.ସ.) - ପବିତ୍ର ଶୀତଳ ଷଷ୍ଠୀ ଅବସରରେ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଆନନ୍ଦ ଉଲ୍ଲାସ ସହ ଢେଙ୍କାନାଳ ଜିଲ୍ଲା ଭୁବନ ରେ ଶିବ ପାର୍ବତୀ ବିବାହ ସମ୍ପନ୍ନ ହୋଇଯାଇଛି। ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସ୍ଥିତ ଛତାମଠ ପରିସରରେ ବାବା କାଶୀ ବିଶ୍ୱନାଥଙ୍କ ର ମାତା ପାର୍ବତୀ ଙ୍କ ସହିତ ବିବାହ ସମ୍ପନ୍ନ ହୋଇଯାଇଛି । ବର ପିତା ମାତା ଭାବେ ଜଗବନ୍ଧୁ ସାହୁ,ନିଳୀମା ସାହୁ ଏବଂ କନ୍ୟା ପିତା ମାତା ଭାବେ ବାବୁରାମ ନାୟକ,ଗୀତାଞ୍ଜଳି ନାୟକ ଯୋଗଦେଇ ଦେବ ବିବାହ କରିଥିଲେ । ପ୍ରାୟ ପାଂଚ ଶହରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାମୁହିକ ପ୍ରସାଦ ସେବନ କରିଥିଲେ । ସନ୍ଧ୍ୟାରେ ଦେବ ଦମ୍ପତି ନଗର ପରିକ୍ରମା କରିଥିଲେ । କାଶୀ ବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁ ଙ୍କ ସମେତ ବରିଷ୍ଠ କର୍ମକର୍ତା ଦିଲ୍ଲୀପ ଦାସ,ସୁରେନ୍ଦ୍ର କୁମାର ପୋଥାଳ,ସଦାନନ୍ଦ ନାୟକ,ମଙ୍ଗୁଳି ଚରଣ ପାତ୍ର,ଗତି କୃଷ୍ଣ ଦାସ ଓ ଶିବ ବିବାହ ପରିଚାଳନା କମିଟି ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ଗ୍ରାମର ଆରାଧ୍ୟ ଦେବତା ବାବା ଲୋକ ନାଥେଶ୍ୱର ଙ୍କ ୨୬ ତମ ବାର୍ଷିକ ବିବାହ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଭୂଷଳ ଗ୍ରାମର ନିରଞ୍ଜନ ଖୁଂଟିଆ,ମୋନାଲିସା ଖୁଂଟିଆ ବର ପିତା ମାତା ଓ ବାଉଁଶ କଣ ଗ୍ରାମର ପ୍ରଦୀପ ରଥ,ପ୍ରଣତି ରଥ କନ୍ୟା ପିତା ମାତା ସାଜି ବିବାହ କରାଇଥିଲେ । ଅପରାହ୍ନରେ ସାମୁହିକ ପ୍ରସାଦ ସେବନ କରାଯାଇଥିଲା ଓ ସନ୍ଧ୍ୟାରେ ଦେବ ଦମ୍ପତିଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା ।
ଢେଙ୍କାନାଳ ଜିଲ୍ଲା ର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ବୁଦ୍ଧେଶ୍ୱରଙ୍କ ମାତା ପାର୍ବତୀ ଦେବୀ ଙ୍କ ବିବାହ କାର୍ଯ୍ୟରେ ଚଳିତ ବର୍ଷ ଦୁଇ ଜଣ ଯୁବ ଶିଳ୍ପପତି ଯଥା ଚିନ୍ମୟ ବେହେରା, ସୋନାଲି ଗୁରୁ ମହାଦେବଙ୍କ ପିତା ମାତା ଏବଂ ମନୋଜ କୁମାର ପୋଥାଳ,ନିବେଦିତା ପୋଥାଳ ମାତା ପାର୍ବତୀ ଙ୍କ ପିତା ମାତା ସାଜି ବିବାହ କରାଇ ଥିଲେ । ସନ୍ଧ୍ୟା ୬ ଘଟିକା ସମୟ ରେ ବାଟ ବରଣି କରାଯାଇଥିଲା ଓ ସନ୍ଧ୍ୟା ୭ ଘଟିକରେ ବ୍ରାହ୍ମଣୀ ଦେବୀ ଛକରୁ ମହାଦେବ ଙ୍କ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ନରହରି ସାହୁ ଙ୍କ ତତ୍ୱାବଧାନରେ ପ୍ରାୟ ୨ ହଜାର ରୁ ଉର୍ଦ୍ଧ୍ୱ ଶୈବ ଭକ୍ତ ବରଯାତ୍ରୀ ସାଜିଥିଲେ । ଡି ଜେ ସାଉଣ୍ଡ ସାଙ୍ଗକୁ ବାଜା ,ବାଣ ଓ ମହିଳା, ପୁରୁଷ ସଙ୍କୀର୍ତନରେ ସହର ଦୁଲୁକିଥିଲା । ରାତ୍ର ୧୦ ଘଟିକା ରେ ବରଯାତ୍ରୀ ସହ ବୂଦ୍ଧେଶ୍ୱର୍ ମହାଦେବ ମନ୍ଦିର ରେ ପହଂଚିବା ପରେ ବିବାହ କାର୍ଯ୍ୟ ଅନୁଷ୍ଟିତ ହେବାର ସ୍ଥିର ହୋଇଛି ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ