ପୁରୀ, ୧୨ ଜୁନ୍ (ହି.ସ.)- ଓଡିଶାରେ ୨୪ ବର୍ଷର ଶାସନକୁ ବିତାଡିତ କରି ବିଜେପି ଶାସନ ଭାର ହାତକୁ ନେଇଛି । ସବୁଆଡେ ପାଳନ କରୁଛି ଶାସନର ଏକବର୍ଷ ପୂର୍ତ୍ତି । କିନ୍ତୁ ୩୬୫ ଦିନ ବିତିଗଲା ସରକାରୀ ଓକିଲ ଆଜି ପର୍ଯ୍ୟନ୍ତ ନବଦଳିବା ପୁରୀ ଜିଲ୍ଲାରେ ଚର୍ଚ୍ଚା ହେଉଛି । ସାଧାରଣ ଜନତା ତଥା ମହକିଲ କୋର୍ଟକୁ ଆସିଲେ ସେହି ପୁରଣା ସରକାରୀ ଓକିଲକୁ ଦେଖି କହୁଛି ସରକାର ବୋଧେ ବଦଳି ନାହିଁ । ସେଥିପାଇଁ ସରକାରୀ ମାମଲାରେ ସରକାର ପ୍ରାୟ ହାରୁଥିବା କୁହାଯାଉଛି । ଗରିବ ଲୋକଟିଏ ନ୍ଯାୟ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛି । ଦୀର୍ଘ ଦିନ ଧରି ସରକାରୀ ଓକିଲ ମାନେ ସ୍ଥାୟୀ ଭାବେ ରହି ଆସୁଥିବା ବେଳେ ବିଜେପି ପାଇଁ କାମ କରୁଥିବା ଆଇନଜୀବୀ ଆଶା କରି ନିରାଶ ମନରେ ରହିଛନ୍ତି ।
ସେହିପରି ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ଗଣତି ମଣତି, କେତେ ଅଳଙ୍କାର ଅଛି ତାହାର ହିସାବ ମୁଣ୍ଡରେ ଥିବାବେଳେ ତୁଣ୍ଡ ନଖୋଲିବା ଯୋଗୁ ଜନତା ଓ ଭକ୍ତ ସ୍ଥିତି ଜାଣିପାରୁନାହାନ୍ତି । ଚାରିଦ୍ଵାର ଖୋଲା ହୋଇଥିଲେ ମଧ୍ଯ ଦର୍ଶନ ବ୍ଯବସ୍ଥା ଶୃଙ୍ଖଳିତ ହୋଇପାରିନି । ଧାଡି ଦର୍ଶନ, ରାମ୍ପ ଦର୍ଶନ, ଚକଲଗା ପିଢା ଉପରେ ବରିଷ୍ଠ ନାଗରିକଙ୍କ ଜଗା ଦର୍ଶନ ହୋଇପାରିନାହିଁ । ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ନଥାଇ ଓ ବିନା ଅନୁମତିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି । ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିପ୍ରତି ସରକାର ଦୃଷ୍ଟି ଦେବା ପାଇଁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ