ଜୟପୁର, ୧୨ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ବିଭିନ୍ନ ସ୍ଥାନରେ ଅଧପନ୍ତରିଆ ପୋଲକୁ ନେଇ ବଢୁଛି ଜନ ଅସନ୍ତୋଷ l ଗ୍ରାମାଞ୍ଚଳ ଲୋକଙ୍କ ସୁଗମନାଗମନ ପାଇଁ ୮ ବର୍ଷ ପୂର୍ବେ ବ୍ଲକର ଚାରୋଟି ସ୍ଥାନରେ ହାଇଲେବଲ ବ୍ରିଜ ନିର୍ମାଣ କାମ ଆରମ୍ଭ ହେଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିଲାନି l କୁନ୍ଦୁରା ପଞ୍ଚାୟତ କୁର୍ଲୁ ନଦୀରେ ବନୁଗୁଡା ଓ ବାରବନ୍ଧାରେ ଦୁଇଟି ବ୍ରିଜ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଡ଼ଙ୍ଗରପାଉଁସି ପଞ୍ଚାୟତର ବେଢାପାଉଁସି ଏବଂ କଟାରିପୁଟ କୋଲାବ ନଦୀରେ ଦୁଇଟି ହାଇଲେବଲ ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଛି l ଏହି ଚାରୋଟି ହାଇଲେବଲ ପୋଲ ନିର୍ମାଣ କାର୍ଯ୍ୟ ଏନବିସିସି ନାମକ ଏକ ଠିକାସଂସ୍ଥାକୁ ଟେଣ୍ଡର ମିଳିଥିଲା l କିନ୍ତୁ, ଠିକାଦାରଙ୍କ ମନମାନି ଓ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି ପୋଲ ନିର୍ମାଣ କାର୍ଯ୍ୟ l ଫଳରେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା l କୁର୍ଲୁ ନଦୀରେ ବ୍ରିଜ ନିକଟରେ ରାସ୍ତା ନିର୍ମାଣ ହୋଇନାହିଁ ଏବଂ ପଥର ପେଚିଙ୍ଗ ମଧ୍ୟ ହୋଇନାହିଁ, ବ୍ରିଜ ନିର୍ମାଣ ହୋଇଥିବା ସ୍ଥାନରେ ଛୋଟବଡ଼ ଫାଟ ମଧ୍ୟ ସୃଷ୍ଟି ହୋଇଛି, ଫଳରେ ବିପଦସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ସ୍ଥାନୀୟ ବାସିନ୍ଦା l ସେହିପରି ୨୦୧୮ ରେ କୁନ୍ଦୁରା ବ୍ଲକ ଡ଼ଙ୍ଗରପାଉଁସି ପଂଚାୟତ କୋଲାବ ନଦୀରେ ଦୁଇଟି ହାଇଲେବଲ ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଶେଷ ହୋଇନି l ପ୍ରଶାସନର ଅବହେଳା ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ୪ଟି ହାଇଲେବଲ ବ୍ରିଜ ନିର୍ମାଣ କାର୍ଯ୍ୟ ଅବହେଳିତ ଭାବରେ ଅଧପନ୍ତରିଆ ଅବସ୍ଥାରେ ରହିଥିବା ଦନାର୍ଦ୍ଧନ ଲମତା, କୃଷ୍ଣ ଚନ୍ଦ୍ର ଗାଦବା, ଧବୁଲୁ ରଣା, କୃଷ୍ଣ ଗଦବା, ଅଭି ରଣା ଅଭିଯୋଗ କରିବା ସହ ପ୍ରଶାସନକୁ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି