ମୁଖୀଗୁଡା, ୧୨ ଜୁନ୍ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଲାଖବାହାଲି ପଥର କ୍ୱାରିକୁ ବେଆଇନ ଭାବେ ଅଣାଯାଇଥିବା ସାଢ଼େ ୬ କ୍ୟୁଣ୍ଟାଲ ବିସ୍ଫୋରକ ଓ ୧୧୫ଟି ଡିଟୋନେଟର ଜବତ ହେବା ପରେ ଗତ ୫ ତାରିଖରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଆଜି କ୍ରସର ପରିଚାଳନା କରୁଥିବା ବିକ୍ରମ ଗୁପ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୟପାଟଣା ପୋଲିସ ।ବିସ୍ଫୋରକ ଜବତ ପରେ ଫେରାର ମାରିଥିଲା ବିକ୍ରମ ଗୁପ୍ତା । ତେବେ କଳାହାଣ୍ଡି ଏସପିଙ୍କ ନେତୃତ୍ୱରେ ମୋବାଇଲ ଟ୍ରାକିଂ ଜରିଆରେ ଗୋଟିଏ ଟିମ ବିଶାଖାପାଟଣା ଯାଇ ତାଙ୍କୁ କାବୁ କରିଥିଲା । କଣ୍ଟାବାଞ୍ଜିରୁ ବିସ୍ଫୋରକ କିଏ ଏତେ ପରିମାଣରେ ପଠାଇଥିଲା ତାହା ତଦନ୍ତ ସାପେକ୍ଷ ହୋଇଥିବା ବେଳେ ବିସ୍ଫୋରକ ସାମଗ୍ରୀ ଚାଲାଣ କରିଥିବା କଳିଙ୍ଗ ଏଣ୍ଡ କମ୍ପାନୀ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶ୍ନ ଉଠିଛି ।
ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |