କଟକରେ ପ୍ରାଦେଶିକ ପ୍ରଧାନାଚାର୍ଯ୍ୟ ସମ୍ମିଳନୀର ସମାପନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ
ଓଡ଼ିଶାର ପୁନଃନିର୍ମାଣରେ ସରସ୍ୱତୀ ବିଦ୍ୟାମନ୍ଦିରର ରହିବ ବଡ଼ ଯୋଗଦାନ - ଧର୍ମେନ୍ଦ୍ର ପ୍ରଧାନ କଟକ/ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- ଓଡ଼ିଶାର ପୁନଃନିର୍ମାଣରେ ସରସ୍ୱତୀ ବିଦ୍ୟା ମନ୍ଦିରର ବଡ଼ ଯୋଗଦାନ ରହିବ । ଏଥିପାଇଁ ସବୁ ପଞ୍ଚାୟତରେ ଏଭଳି ଦେବାଳୟ ସଦୃଶ ଅନୁଷ୍ଠାନ ତିଆରି ହେବାର ଆବଶ୍ୟକତା ରହିଛି ବୋଲି
କଟକରେ ପ୍ରାଦେଶିକ ପ୍ରଧାନାଚାର୍ଯ୍ୟ ସମ୍ମିଳନୀର ସମାପନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ


ଓଡ଼ିଶାର ପୁନଃନିର୍ମାଣରେ ସରସ୍ୱତୀ ବିଦ୍ୟାମନ୍ଦିରର ରହିବ ବଡ଼ ଯୋଗଦାନ - ଧର୍ମେନ୍ଦ୍ର ପ୍ରଧାନ

କଟକ/ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- ଓଡ଼ିଶାର ପୁନଃନିର୍ମାଣରେ ସରସ୍ୱତୀ ବିଦ୍ୟା ମନ୍ଦିରର ବଡ଼ ଯୋଗଦାନ ରହିବ । ଏଥିପାଇଁ ସବୁ ପଞ୍ଚାୟତରେ ଏଭଳି ଦେବାଳୟ ସଦୃଶ ଅନୁଷ୍ଠାନ ତିଆରି ହେବାର ଆବଶ୍ୟକତା ରହିଛି ବୋଲି ଗୁରୁବାର କଟକ ଜିଲ୍ଲା ଗତିରାଉତପାଟଣା ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରରେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଦ୍ୱାରା ଆୟୋଜିତ “ପ୍ରାଦେଶିକ ପ୍ରଧାନାଚାର୍ଯ୍ୟ ସମ୍ମିଳନୀ”ର ସମାପନ ଉତ୍ସବରେ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଥମେ ଆମ ଦେଶକୁ ସ୍ୱାଧୀନତା ଦେବା ପାଇଁ ଅନେକ ମହାପୁରୁଷ ସଂଗ୍ରାମ କରିବା ସହ ବଳିଦାନ ଦେଇଥିଲେ । ପରେ ସମାଜକୁ ନିରନ୍ତର ସ୍ୱତନ୍ତ୍ରତା ରଖିବା ପାଇଁ ହେଲେ ଉତମ ବ୍ୟକ୍ତି ତିଆରି କରିବା ପାଇଁ ଆମର ମହାପୁରୁଷମାନେ ଚିନ୍ତା କରିଥିଲେ। ଏହି ଲକ୍ଷ୍ୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବିଗତ ଶହେ ବର୍ଷ ଧରି ରାଷ୍ଟ୍ର କଲ୍ୟାଣରେ ବ୍ରତୀ ରହୁଥିବା ବ୍ୟକ୍ତି ନିର୍ମାଣରେ ଲାଗିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଚାର ଫଳରେ ବିଦ୍ୟା ଭାରତୀ ଏକ ସଫଳ ଅନୁଷ୍ଠାନ ଭାବେ ଦଣ୍ଡାୟମାନ ହୋଇଛି। ଗୋଟିଏ ସଂଗଠନରେ ଉଦ୍ଦେଶ୍ୟ, ବିଚାର ଓ ସ୍ପଷ୍ଟତା ଥିଲେ ହିଁ ସାଧିତ ଲକ୍ଷ୍ୟ ପୂରଣ ହୋଇପାରିବ। ସେହି ପରିପ୍ରେକ୍ଷୀରେ ପ୍ରାୟ ୭୫ ବର୍ଷ ଧରି ରାଷ୍ଟ୍ରୀୟ ସ୍ତରରେ ବିଦ୍ୟା ଭାରତୀ ଏବଂ ପାଖାପାଖି ୫୦ ବର୍ଷ ଧରି ଶିକ୍ଷା ବିକାଶ ସମିତି ଓଡ଼ିଶା ସ୍ତରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିକାଶ ପାଇଁ କାମ କରୁଛି। ଏହି ଅନୁଷ୍ଠାନରେ ଥିବା ପ୍ରଧାନ ଆଚାର୍ଯ୍ୟଙ୍କ ବିଚାର ଓ ସଂସ୍କୃତି କାରଣରୁ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ରୂପକ ଦେବାଳୟ ସଦୃଶ ହୋଇଛି। ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଡ଼ିକରେ ଶିକ୍ଷା ପଦ୍ଧତିର ମାନ ବୃଦ୍ଧି କରିବା ଦିଗରେ ଆଜିର ସମ୍ମିଳନୀ ସ୍ୱାଗତଯୋଗ୍ୟ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିଶୁ ମନ୍ଦିର ଓଡ଼ିଶା ଶିକ୍ଷା ବିଭାଗର ସ୍ପନ୍ଦନ ସଦୃଶ । ଭାରତୀୟ ପଦ୍ଧତି ଓ ମୂଲ୍ୟବୋଧ ଆଧାରିତ ଶିକ୍ଷା, ଗୁଣାତ୍ମକ ଶିକ୍ଷା ଏବଂ ସାଧାରଣ ଲୋକଙ୍କ ପାଇଁ ଶିକ୍ଷା ପ୍ରଦାନ ସହ ଏକ ନୂଆ ପିଢ଼ି ଗଢ଼ିବାରେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୂମିକା ଅତୁଳନୀୟ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଦଶମ ବୋର୍ଡ଼ ପରୀକ୍ଷା ସହ ବିଭିନ୍ନ ବୃତି ଓ ମେଧା ପରୀକ୍ଷାରେ ସଫଳତା ଅର୍ଜନ କରୁଛନ୍ତି, ଯାହା ପ୍ରଶଂସନୀୟ। ସେହିପରି ଓଡ଼ିଶାରେ ବିଦ୍ୟାଭାରତୀ ପରିବର୍ତନର ସୂତ୍ରଧର ହେବାର କ୍ଷମତା ରଖୁଛି । ପରିବର୍ତନ ଗୋଟିଏ ଛୋଟ ଅନୁଷ୍ଠାନରୁ ଆରମ୍ଭ ହୁଏ। ଭାରତୀୟ ଛାତ୍ରଛାତ୍ରୀଙ୍କୁ ସଂସ୍କାରୀ, ସ୍ୱାଭିମାନୀ ବନାଇବାରେ ସରସ୍ୱତୀ ବିଦ୍ୟାମନ୍ଦିର ମାଇକ୍ରୋ ସ୍କୋପ ଭାବେ ଉଭା ହେବ ବୋଲି ସେ ମତପ୍ରକାଶ କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଟି.ବି.ମାକାଉଲେ ଭାରତରେ ଯେଉଁ ଶିକ୍ଷା ନୀତି ପ୍ରସ୍ତୁତ କରିଥିଲେ ତାହା କେବଳ ଭାରତକୁ ନୀଚ୍ଚ କରିବାର ଏକ ପ୍ରକ୍ରିୟା ଥିଲା। ଭାରତକୁ ଅନେକ ସମୟ ପରାଧୀନତା ରଖିବା ପାଇଁ ସେ ତାଙ୍କ ଦ୍ୱାରା ଏକ ଶିକ୍ଷା ନୀତି ପ୍ରଚଳନ କରିଥିଲେ। ଏହି ଶିକ୍ଷା ନୀତିର ବିକଳ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆସିଛି, ଯେଉଁ ନୂଆ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି, ମାକାଉଲେଙ୍କ ପରାଧୀନ ମାନସିକତାକୁ ବଦଳାଇ ଭାରତର ସ୍ୱାଧୀନ ମାନସିକତାକୁ ବିକଶିତ କରିବା ।

ଜାତୀୟ ଶିକ୍ଷା ନୀତି ବିଦ୍ୟା ଭାରତୀକୁ ଅନୁସରଣ କରିଛି । ଚଳିତ ଶିକ୍ଷା ବର୍ଷ ଓଡ଼ିଶା ସରକାର ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିଛନ୍ତି । ସରସ୍ୱତୀ ବିଦ୍ୟା ମନ୍ଦିରରେ ଗୁଣାତ୍ମକ ଶିକ୍ଷା ସମେତ ବିଭିନ୍ନ ସାମାଜିକ ଶିକ୍ଷା ମଧ୍ୟ ଦିଆଯାଏ । ଏହି ଅନୁଷ୍ଠାନରେ ମୂଳତଃ ଇଂରାଜୀ, ହିନ୍ଦୀ, ମାତୃଭାଷା, ସଂସ୍କୃତ ଚାରୋଟି ଭାଷାରେ ଶିକ୍ଷା ପ୍ରଦାନ କରାଯାଉଛି । ତେବେ ରାଜ୍ୟର ଉପାନ୍ତ ଅଞ୍ଚଳରେ ସ୍ଥାନୀୟ ଭାଷାରେ ଶିକ୍ଷା ଦେଲେ ହିଁ ପିଲାମାନେ ଆଗକୁ ବଢିବେ । କାରଣ, ମାତୃଭାଷାରେ ପାଠ ପଢିଲେ ହିଁ ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ବିକାଶ, କ୍ରିଟିକାଲ ଥିଙ୍କିଂ ତଥା ଅନୁସନ୍ଧାନ କରିବାର କ୍ଷମତା ବୃଦ୍ଧି ହୋଇଥାଏ । ଆଗାମୀ ଦିନରେ ସବୁ ଭାରତୀୟ ଭାଷାରେ ପାଠପଢା ହେବ । ଶିକ୍ଷା ବ୍ୟବସ୍ଥାକୁ ମାତୃଭାଷା ଆଧାରିତ କରିବା ପାଇଁ ମୋଦୀ ସରକାର ବଦ୍ଧପରିକର । ଏହାବ୍ୟତୀତ ରାଷ୍ଟ୍ରୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ସ୍କୁଲ ଆସୁଥିବା ପିଲାଙ୍କୁ ଅନ୍ୟୁନ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢାଇବା ସହ ସେମାନଙ୍କ ଦକ୍ଷତା ବିକାଶ କରିବା ପାଇଁ ସରକାର ବ୍ୟବସ୍ଥା କରୁଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଶ୍ରୀ ପ୍ରଧାନ ଆଗାମୀ ଦିନରେ ଚାଟ୍ ଜିପିଟି, ଏଆଇ ଉପରେ ଆଲୋକପାତ କରିବା ସହ ଜ୍ଞାନ ବିକାଶକୁ ଏଆଇ ସହ ଯୋଡିବା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଆଜି ଦିନରେ ଏଆଇ ଭଳି ଟୁଲ୍ସ ବେଶ ପ୍ରଭାବଶାଳୀ ହୋଇଛି । ଭାରତର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏହା ଉପରେ ପ୍ରଶିକ୍ଷିତ କରାଇବାର ଉପଯୁକ୍ତ ସମୟ ଆସିଛି । ଚଳିତ ବଜେଟରେ ୫୦୦ କୋଟି ଟଙ୍କା ବ୍ୟୟରେ ଶିକ୍ଷାକ୍ଷେତ୍ରରେ ଏଆଇ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବାର ଯୋଜନା ହୋଇଛି । ଭାରତର ସ୍କୁଲ ଗୁଡ଼ିକରେ ପଢୁଥିବା ପିଲାମାନଙ୍କୁ ପାଠ୍ୟକ୍ରମ ସହ ସହଜରେ ଯୋଡିବା, ଶିକ୍ଷକମାନଙ୍କୁ କଳା, ସାହିତ୍ୟ, ଜ୍ଞାନ ସହ ଆଧୁନିକ ବିଜ୍ଞାନ ସହ ଯୋଡିବା ପାଇଁ ଏଆଇର ବ୍ୟବହାର କରାଯିବ । ରାଜ୍ୟ –ରାଜ୍ୟ ମଧ୍ୟରେ ଥିବା ଜ୍ଞାନର ଆଦାନପ୍ରଦାନ ହୋଇପାରିବ, ସେଭଳି ଯୋଜନା କରାଯିବ । ଏଥିପାଇଁ ଏଆଇ ଶିକ୍ଷାକୁ ସ୍କୁଲ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଯୋର୍ ଦେଉଛୁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande