ସମ୍ବଲପୁର, ୧୨ ଜୁନ୍ (ହି.ସ.) ସମ୍ବଲପୁର ବଡ଼ସିଂହାରୀ ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ କୋଠା ପରିସରରେ ଦଶମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମ ସୁନ୍ଦର ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ ।
କାର୍ଯ୍ୟକ୍ରମକୁ ଡ. ରତ୍ନାକର ରାୟ ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ଭାବେ କ୍ରେଷ୍ଟ ଏକ୍ସଓ ସହ-ପ୍ରତିଷ୍ଠାତା ବସନ୍ତ କୁମାର ମିଶ୍ର, ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚର ଭାଇସ୍ ଚାନ୍ସଲର ବିଭୂତି ଭୂଷଣ ବିଶ୍ୱାଳ, ଆଇଆଇଟି ଧନବାଦ (ଆଇଏସ୍ଏମ୍) ନିର୍ଦ୍ଦେଶକ ସୁକୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟର ସଫଳତା ନେଇ ରେଜିଷ୍ଟ୍ରାର ଡ. ଚିତ୍ତରଞ୍ଜନ ବାବୁ ଉପସ୍ଥାପନ କରିଥିଲେ । ଏହି ଅବସରରେ ଆଇଆଇଟି (ଆଇଏସ୍ଏମ୍) ଧାନବାଦ ଓ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଯାହା ଗବେଷଣା, ଶୈକ୍ଷିକ ଆଦାନପ୍ରଦାନ ଏବଂ ସହଭାଗୀ ପଦକ୍ଷେପ ପାଇଁ ନୂତନ ରାସ୍ତା ପ୍ରଦାନ କରିବ ବୋଲି କୁହାଯାଇଛି । ଏହି ଅବସରରେ ପୂର୍ବତନ କୁଳପତି, ରେଜିଷ୍ଟ୍ରାର ଏବଂ ଅର୍ଥ ବିଭାଗ ନିୟନ୍ତ୍ରକମାନଙ୍କୁ ସମ୍ମାନିତ କରାଯାଇଥିଲା । ବସନ୍ତ କୁମାର ମିଶ୍ର ନିଜ ଅଭିଭାଷଣରେ ଉଚ୍ଚଶିକ୍ଷାରେ ପ୍ରଯୁକ୍ତି ବିଦ୍ୟା ଏବଂ ଗବେଷଣାର ବିକଶିତ ଦୃଶ୍ୟପଟ ଉପରେ ଖୁବ୍ ଉପାଦେୟ ମନ୍ତବ୍ୟ ରଖିଥିଲେ । ପ୍ରଫେସର ସୁକୁମାର ମିଶ୍ର ନବ ସୃଜନକୁ ପ୍ରୋତ୍ସାହିତ ଦିଗରେ ଅଭିଭାଷଣ ରଖିଥିଲେ । ପ୍ରଫେସର ଶ୍ୟାମ ସୁନ୍ଦର ପଟ୍ଟନାୟକ ନିଜ ଅଭିଭାଷଣରେ ଭବିଷ୍ୟତ ପାଇଁ ବିଶ୍ୱବିଦ୍ୟାଳୟର ଯୋଜନା ସମ୍ପର୍କିତ ତଥ୍ୟ ରଖିଥିଲେ ।
ଏହି ଅବସରରେ ଛାତ୍ର ହେମନ୍ତ ଦୀପଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକ ‘ତୁମର ଗଲା ଦିନୁ’ ଏବଂ ‘ଏକଲା ଏକଲବ୍ୟ’ ଉନ୍ମୋଚିତ ହୋଇଥିଲା । ଶେଷରେ ଇଂରାଜୀ ବିଭାଗର ସହଯୋଗୀ ପ୍ରଫେସର ଡ. ଜିତେନ୍ଦ୍ର ଏବଂ ଓଡ଼ିଆ ବିଭାଗର ସହଯୋଗୀ ପ୍ରଫେସର ରାଧାକାନ୍ତ ସୁନା ଧନ୍ୟବାଦ ପ୍ରଦାନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ