ଭଦ୍ରକ, ୧୫ ଜୁନ୍ (ହି.ସ.) - ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଓ ଆଗୁଆ ସୂଚନା ପ୍ରଦାନ ପୂର୍ବକ ବିଶ୍ୱର ଲକ୍ଷ ଲକ୍ଷ ଜୀବନ ଓ ସାଧାରଣ ଲୋକଙ୍କ ଧନସଂପଦ ବଞ୍ଚାଇଥିବା ବିଶ୍ୱବିଜୟୀ ବୈଜ୍ଞାନିକ ଡ ମୃତ୍ୟୁଞ୍ଜୟ ମହାପାତ୍ର ଙ୍କୁ ମିଳିତ ରାଷ୍ଟ୍ରସଂଘ ପକ୍ଷରୁ ସାସାକାୱା- ୨୦୨୫ ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ତଥା ବିଶ୍ୱ ବୈଜ୍ଞାନିକ ସଂଘର ଉପସଭାପତି ଡ ମୃତ୍ୟୁଞ୍ଜୟ ମହାପାତ୍ର ଙ୍କୁ ଓଡିଶା ବିଜ୍ଞାନ ପରିଷଦ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସମାରୋହ ଅବସରରେ ରେ ଓଡିଶା ବିଜ୍ଞାନ ପରିଷଦ ର ସଭାପତି ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ ଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ଭଦ୍ରକ ବାଇପାସ ସ୍ଥିତ କନିକା ପ୍ରଜା ଭାବଗ୍ରାହୀ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଡ ମୃତ୍ୟୁ ଞ୍ଜୟ ମହାପାତ୍ର ଯୋଗଦେଇ ଏହି ଜାପାନୀ ଶବ୍ଦ ସାସାକାୱା ର ଆକ୍ଷରିକ ଅର୍ଥ ବିଜ୍ଞାନ କୁ ଗଣତାନ୍ତ୍ରିକ ଉପାୟରେ ମଣିଷ ସହିତ ଯୋଡିବା ବୋଲି ପ୍ରକାଶ କରିଥିଲେ । ଆମ ଦେଶରେ ହଇଜା ବ୍ୟାଧି ପରି ବହୁଦିନରୁ ତିଷ୍ଠି ରହିଥିବା ଅନ୍ଧ ବିଶ୍ୱାସ, କୁସଂସ୍କାର ଓ ଅବୈଜ୍ଞାନିକ ଚିନ୍ତା ଧାରା ର ବିଲୋପ ପାଇଁ ଗଣତାନ୍ତ୍ରିକ ଉପାୟରେ ବିଜ୍ଞାନକୁ ସାଧାରଣ ଲୋକଙ୍କ ସହ ଯୋଡିବାକୁ ପଡିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ ମୃତ୍ୟୁଞ୍ଜୟ ମହାପାତ୍ର ଭଦ୍ରକରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ପ୍ରକାଶ କରିଛନ୍ତି । ଅନ୍ଧବିଶ୍ୱାସ ଓ କୁସଂସ୍କାର ଦିନକୁ ଦିନ ହ୍ରାସ ପାଇବା ବଦଳରେ ବୃଦ୍ଧି ପାଉଥିବାରୁ ଡଃ ମହାପାତ୍ର ଉଦବେଗ ପ୍ରକାଶ କରିଥିଲେ । କନିକା ବୀର ଚକ୍ରଧର ବେହେରା, ଡଃ ଏପିଜେ ଅବଦୁଲ କାଲାମଙ୍କ ପରି ମହାନ୍ ଲୋକମାନେ ହେଉଛନ୍ତି ମୋର ପ୍ରେରଣା ବୋଲି ଡ ମହାପାତ୍ର ପ୍ରକାଶ କରିଥିଲେ । ପାଣିପାଗ ବିଭାଗ ର ସୂଚନା କୁ ଯଦି ଭାରତର ଚାଷୀ ମାନେ ସଠିକ ଭାବେ କାର୍ଯ୍ୟକାରୀ କରିବେ ତେବେ ଆମ ଦେଶର ୧୨ ପ୍ରତିଶତ କୃଷି ଅର୍ଥନୀତି ସୁରକ୍ଷିତ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଓଡିଶା ବିଜ୍ଞାନ ପରିଷଦ ସଂପାଦକ ଯୁବ ଆଇନଜୀବୀ ବିକାଶ ନାଥ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଡଃ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସ୍ତ୍ରୀ ଦୀପ୍ତିରାଣୀ ମହାପାତ୍ର, ବିଜେଡି ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ସଂସଦୀୟ କ୍ଷେତ୍ରର ପୂର୍ବତନ ସାଂସଦ ତଥା ଭଦ୍ରକ ଜିଲ୍ଲାର ପ୍ରଥମ ମହିଳା ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ତଥା ବାସୁଦେବପୁର ବିଧାୟକ ଅଶୋକ ଦାସ, ଭଣ୍ଡାରୀପୋଖରୀ ବିଧାୟକ ସଂଜୀବ ମଲ୍ଲିକ,ବିଜେଡି ର ବରିଷ୍ଠ ନେତା ତଥା ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କି ଦଲୱାଜି ହବିବ୍, ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ଦାଶ, ପ୍ରାଧ୍ୟାପକ ପାର୍ଥସାରଥି ଦାଶ, କଂଗ୍ରେସ ରାଜ୍ୟ ସାଧାରଣ ସଂପାଦିକା ମଧୁମିତା ସେଠୀ,କଂଗ୍ରେସ ନେତ୍ରୀ ଅମିତାବାଳା ଆଚାର୍ଯ୍ୟ,ପ୍ରାଧ୍ୟାପକ ଅଟଳ ବିହାରୀ ନାୟକ ପ୍ରମୁଖ ସମ୍ବର୍ଦ୍ଧନା ଦେବା ସହ ଆଲୋଚନାରେ ଅଂଶଗ୍ରହଣ କରି ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଧାତୁରେ ନିର୍ମିତ ବିଭିନ୍ନ ବସ୍ତୁ ଗୁଡିକ ପୋଡି ତରଳିଯାଇଥିବା ବେଳେ କାଗଜରେ ଛପା ଭଗବତ୍ ଗୀତା ବହି ସୁରକ୍ଷିତ ରହିବା ଭଳି ଅବୈଜ୍ଞାନିକ କଥା ସଂପର୍କରେ ଭାରତର କିଛି ଗଣମାଧ୍ୟମର ପ୍ରଚାରକୁ ତୀବ୍ର ବିରୋଧ କରିଥିଲେ । ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଯୋଗୁଁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି ବୋଲି ସେମାନେ ପ୍ରକାଶ କରିଥିଲେ । ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ ରେ ବିଭିନ୍ନ ଡାକ୍ତରଖାନାରେ ଡାକ୍ତରଙ୍କ ବଦଳରେ ଜ୍ୟୋତିଷ ମାନଙ୍କ ନିଯୁକ୍ତି କୁ ଆଲୋଚକ ମାନେ ତୀବ୍ର ନିନ୍ଦା କରିଥିଲେ । ବୈଜ୍ଞାନିକ ଡାରୱିନଙ୍କ ତତ୍ୱ କୁ ପାଠ୍ୟକ୍ରମ ରୁ ବାଦ୍ ଦେବା ଘଟଣା କୁ ଆଲୋଚକ ମାନେ ତୀବ୍ର ନିନ୍ଦା କରିଥିଲେ । ନୂତନ ଶିକ୍ଷାନୀତି-୨୦୨୦ ରେ ଭାରତରେ ତିଷ୍ଠି ରହିଥିବା ଗଣତାନ୍ତ୍ରିକ ଓ ବୈଜ୍ଞାନିକ ମୂଲ୍ୟବୋଧ ଭିତିକ ପାଠ୍ୟକ୍ରମ ଉପରେ ଆଘାତ କରାଯାଇଛି ବୋଲି ଆଲୋଚକ ମାନେ ପ୍ରକାଶ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ଗଣସଂଗଠନ ଗୁଡିକ ପକ୍ଷରୁ ଡ ମୃତ୍ୟୁଞ୍ଜୟ ମହାପାତ୍ର ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ମହିଳା ନେତ୍ରୀ ମଧୁସ୍ମିତା ପାକଳ, ଓଡିଶା କୃଷକ ସଭା ପକ୍ଷରୁ ବରିଷ୍ଠ ଚାଷୀ ନେତା ଇଂ କାହ୍ନୁ କିଶୋର ସାହୁ, ରାଜମିସ୍ତ୍ରୀ ସଂଘ ପକ୍ଷରୁ ସେକ୍ ରୁସ୍ତମ, ଜିଲ୍ଲା ପ୍ରଗତିଶୀଳ ସାହିତ୍ୟ ପରିଷଦ ଓ ଜିଲ୍ଲା ସାହିତ୍ୟ ସଂସ୍କୃତି ସଂଗଠନ ଆମେ ପକ୍ଷରୁ ପ୍ରଫେସର ପ୍ରଫେସର ଅଟଳ ବିହାରୀ ନାୟକ, ଭଦ୍ରକ ଛାତ୍ର ମଂଚ ପକ୍ଷରୁ ସଂପାଦିକା ରୁଚିସ୍ମିତା ବାରିକ୍, ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ଶ୍ରମିକ ନେତା ଦିଲିପ ନାୟକ, ହାଟଡିହ କୋର୍ଟ ର ସରକାରୀ ଓକିଲ ଚନ୍ଦନ ସ୍ୱାଇଁ, ପ୍ରଫେସର କମଳା କାନ୍ତ ସ୍ୱାଇଁ, ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଗଣି ଚରଣ ଜେନା, ବିଜୁ ଯୁବ ଜନତା ଦଳ ପକ୍ଷରୁ ଯୁବନେତା ନାସିରୁଦ୍ଦିନ ଖାନ୍, ନବଜୀବନ ଫାଉଣ୍ଡେସନ ପକ୍ଷରୁ ମନୋଜ କୁମାର ସାହୁ, ଫେଲୋସିପ ଓ ସଂଖ୍ୟାଲଘୁ ସମନ୍ୱୟ ସମିତି ପକ୍ଷରୁ ଏସ ଏମ ଫାରୁକ, ଭଦ୍ରକ ପୌରପାଳିକା ପକ୍ଷରୁ କାଉନସିଲ ର ଆଶିଷ ଅମିତାଭ ମହାପାତ୍ର, ଏସ୍ଏଫ୍ଆଇ ପକ୍ଷରୁ ଛାତ୍ର ନେତ୍ରୀ ଶୁଭଲକ୍ଷ୍ମୀ ବେହେରା, ଭଦ୍ରକ ଓକିଲ ସଂଘ ପକ୍ଷରୁ ଉପସଭାପତି ଅଶୋକ କୁମାର ନାୟକ, ପୂର୍ବତନ ଓକିଲ ସଂଘ ସଭାପତି ବିଷ୍ଣୁ ମୋହନ ମହାପାତ୍ର, ଓଡିଶା ରାଜ୍ୟ ବାର୍ କାଉନସିଲ ର ପୂର୍ବତନ ସଭ୍ୟ ପବନ କୁମାର ଶର୍ମା, ଘେଂଟଶ୍ୱର ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଗୋପାଳ ପ୍ରସାଦ ମହାପାତ୍ର , ଭଦ୍ରକ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ପ୍ରତାପ କୁମାର ଦାସ, ପ୍ରମୋଦ ରାୟ, ନରେନ୍ଦ୍ର ସାମଲ, ତପନ ସ୍ୱାଇଁ, ଶିବାନନ୍ଦ ଦାସ, ଲକ୍ଷ୍ମୀକାନ୍ତ ନାଥ, ପ୍ରଦୀପ ଦାସ, ଅଜୟ ମଲ୍ଲିକ,ଶ୍ରୀମାନ ପ୍ରଭାସ ବିଜୟ, ଅଜୟ ପଣ୍ଡା, ପ୍ରଭାତ ଦାସ , ଶଶିଭୂଷଣ ସ୍ୱାମୀ, ଫଟୋ ସାମ୍ବାଦିକ ପ୍ରକାଶ ବାରିକ, ମଳୟ ମହାଳିକ, ଗଙ୍ଗାଧର ଦାସ, ରାକେଶ ଜେନା, ପ୍ରମୁଖ ଡଃ ମହାପାତ୍ର ଙ୍କୁ ପୁଷ୍ପଗୁଛ ଅର୍ପଣ କରି ସମ୍ବର୍ଦ୍ଧନା ଦେଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଭଦ୍ରକ ଜିଲ୍ଲା ର ଶହ ଶହ ସାଧାରଣ ଜନତା, ବୁଦ୍ଧିଜୀବୀ, ଆଇନଜୀବୀ, ଡାକ୍ତର,ଶିକ୍ଷକ, ଅଧ୍ୟାପକ, ଯୁବ ଛାତ୍ର ଯୋଗଦେଇଥିଲେ । ଏହି ସମ୍ବର୍ଦ୍ଧନା ସଭା ଆରମ୍ଭରୁ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ ଯାତ୍ରୀ, ପହେଲଗାଁ ଆତଙ୍କବାଦୀ ଆକ୍ରମଣ ରେ ମୃତ ପର୍ଯ୍ୟଟକ, ଅପରେସନ ସିନ୍ଦୁର ରେ ମୃତ ସେନା ବାହିନୀ ଓ କାଶ୍ମୀର ର ସାଧାରଣ ଜନତା, ଆମେରିକା ସାମ୍ରାଜ୍ୟବାଦ ମଦତରେ ଇସ୍ରାଏଲ ଦ୍ୱାରା ଆକ୍ରମଣରେ ପାଲେଷ୍ଟାଇନର ଗାଜାଷ୍ଟ୍ରିପ ଉପରେ ମୃତ୍ୟୁ ବରଣ କରିଥିବା ନିରିହ ଆବାଳ ବୃଦ୍ଧବନିତା, ହିମାଳୟ ପାଦଦେଶରେ ଥିବା ରାଜ୍ୟ ଯଥା ଆସାମ,ମଣିପୁର, ତ୍ରିପୁରା, ମେଘାଳୟ ଆଦିରେ ବନ୍ୟା ଦ୍ୱାରା ମୃତ ଜନସାଧାରଣ, ହିମାଚଳ ପ୍ରଦେଶ ରେ ଭୂସ୍ଖଳନ ଯୋଗୁ ମୃତକ ମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇ ୨ ମିନିଟ ନିରବତା ଅବଲମ୍ବନ କରାଯାଇଥିବା ବେଳେ ଶେଷରେ ଓଡିଶା ବିଜ୍ଞାନ ପରିଷଦ କୋଷାଧ୍ୟକ୍ଷ ତଥା କନିକା ପ୍ରଜା ଭାବଗ୍ରାହୀ ପାଠାଗାର ସଂପାଦକ ଚିତ୍ର ଭାନୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ