ଭଦ୍ରକ, ୧୭ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଂଚଳରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ବଢ଼ି ଥିବାବେଳେ ପାଣି ନମୁନା ସଂଗ୍ରହ କୁ ନେଇ ଆନନ୍ଦପୁର ପଂଚାୟତରେ ଅଧିକାରି ପହଂଚି ଥିଲେ। ହେଲେ ଏହି ଘଟଣା କୁ ନେଇ ଉକ୍ତ ଅଂଚଳରେ ତୁମୁଳକାଣ୍ଡ ଘଟିଛି। ମାମଲା ଏବେ ଥାନାରେ ପହଂଚିଛି। ପୋଲିସ ଏତଲା ଗ୍ରହଣ କରି ତଦନ୍ତ କରୁଥିବା ସୂଚନା ଦିଆଯାଇଛି। ଜୁନ୍ ୧୬ ତାରିଖ ସକାଳ ପ୍ରାୟ ୧୧ ଟା ସମୟରେ ଧାମନଗର ଗ୍ରାମୀଣ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ବିଭାଗ ଓ ପଂଚାୟତ ପକ୍ଷରୁ ଏକ ଟିମ ପାଣି ନମୁନା ଯାଂଚ କରିବାକୁ ଆନନ୍ଦପୁର ଡିହ ସାହି (ମହାନ୍ତି ସାହି ପାଖ) ନାରାୟଣ ମନ୍ଦିର ପାଣି ଟାଙ୍କି ପାଖରେ ପହଂଚିଥିଲେ। ପାଖରେ ଥିବା ଦୋକାନି ଙ୍କୁ ପାଣିର କ୍ୱାଲିଟି ଭଲ ଅଛି କି ନାହିଁ, କିଭଳି ପାଣି ଆସୁଛି ବୋଲି ପଚାରିଥିଲେ। ଏହାପରେ ପାଣି ଟାଙ୍କି ପାଖରେ ଦୋକାନ କରିଥିବା ଖଗେଶ୍ୱର ଦାସ ସେମାନଙ୍କୁ ପାଣି ସଂପର୍କରେ ଜଣାଇଥିଲେ। ଦୀର୍ଘଦିନ ଧରି ଟ୍ୟାପ ରୁ ଗୋଳିଆ ପାଣି ଆସୁଥିବା ଜଣାଇଥିଲେ। ଏହାପରେ ଗାଁକୁ ଆସିଥିବା ଟିମ୍ ପଚାରିଥିଲେ କି, ପାଣି ଟାଙ୍କି ନିୟମିତ ଭାବେ ସଫା ହେଉଛି କି ନାହିଁ। ଏହାର ଉତରରେ ଖଗେଶ୍ୱର କହିଥିଲେ କି, ଗତ ୩ ବର୍ଷ ଭିତରେ କେବେ ଟାଙ୍କି ସଫା ହେବାର ସେ ଦେଖିନାହାନ୍ତି। ଏହାପରେ ସଂପୃକ୍ତ ଟିମ ତାଙ୍କ ଦୋକାନ ପାଖ ଟ୍ୟାପ ରୁ ଗୋଟିଏ ବୋତଲରେ ପାଣି ନମୁନା ସଂଗ୍ରହ କରି ଫେରି ଯାଇଥିଲେ। ମାତ୍ର କିଛି ପରେ ପାଣି ଟାଙ୍କିର ଅପରେଟର ଭାବେ କାମ କରୁଥିବା ମନୋଜ ମହାନ୍ତି ଓ ତାଙ୍କ ସଂପର୍କୀୟ ବଡ଼ ଭାଇ ଅମୂଲ୍ୟ ମହାନ୍ତି ଆସି ଖଗେଶ୍ୱର ଙ୍କୁ ବିଭିନ୍ନ ଭାଷା ରେ ଗାଳିଗୁଲଜ କରିଥିଲେ। କଣ ପାଇଁ ତାଙ୍କ ବିରୋଧରେ ଅଭିଯୋଗ କଲୁ ବୋଲି କହି ଗାଳି ଦେବା ସହ ଇଟା ରେ ଛେଚି ଦେବାକୁ ଉଦ୍ୟମ କଲେ ବୋଲି ଖଗେଶ୍ୱର ଧାମନଗର ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ସେପଟେ ଏ ସଂପର୍କରେ ଗତକାଲି ଖଗେଶ୍ୱର ଥାନାକୁ ଆସି ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଥାନାରୁ ଜଣେ କନେଷ୍ଟବଳ ଗାଁକୁ ଆସି ପଚରାଉଚରା କରିବା ସହ ଅମୂଲ୍ୟ ମହାନ୍ତି ବିରୋଧରେ ନ ଲାଗିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଖଗେଶ୍ୱର ଆଜି ଧାମନଗର ଥାନାରେ ପହଂଚି ନୂଆ ଏତଲା ଦେବା ସହ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ସେପଟେ ଥାନା ଅଧିକାରୀ ଗୋପାଳକୃଷ୍ଣ ଜେନା କହିଛନ୍ତି ଯେ, ଘଟଣାର ଅନୁଧ୍ୟାନ କରାଯାଉଛି। ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ