Bhubaneswar, 17 ଜୁନ୍ (ହି.ସ.)
ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ୍) ଲିବରେସନ, ଅଲ୍ ଇଣ୍ଡିଆ ଫରୱାଡ୍ ବ୍ଲକ ପକ୍ଷରୁ ମିଳିତ ଭାବରେ ଗାଜାରେ ଇସ୍ରାଏଲ ଦ୍ୱାରା ଗଣହତ୍ୟାର ନିନ୍ଦା, ପାଲେଷ୍ଟାଇନର ସାର୍ବଭୌମତ୍ୱ ରକ୍ଷା ସମ୍ପର୍କରେ ଭାରତର ଆଭିମୁଖ୍ୟର ସ୍ପଷ୍ଟତା ଦାବି କରି ପାଲେଷ୍ଟାଇନ ଜନଗଣଙ୍କ ପାଇଁ ସଂହତି ଜଣାଇ ଏକ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକଠାରେ ପହଞ୍ôଚଥିଲା । ଏଠାରେ ଏକ ପ୍ରତିବାଦ ସଭାରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ (ଏମ୍ଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ନେତା ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ବକ୍ତବ୍ୟ ଦେଇ କହିଥିଲେ ଯେ ଗାଜାରେ ପାଲେଷ୍ଟାଇନ ଜନଗଣଙ୍କ ବିରୋଧରେ ଇସ୍ରାଏଲ ସରକାର ପକ୍ଷରୁ ଚାଲୁ ରହିଥିବା ନରସଂହାରକୁ ଦୃଢ଼ ଭାବରେ ନିନ୍ଦା କରିଥିଲେ । ୨୦ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଇସ୍ରାଏଲ ବିରାମହୀନ ଲଗାତର ବୋମା ମାଡ଼ ଏବଂ ସାମରିକ ଆକ୍ରମଣ ଫଳରେ ୫୫ ହଜାରରୁ ଊର୍ଦ୍ଧ୍ୱ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ସଂଖ୍ୟାଧିକ ମହିଳା ଓ ଶିଶୁ ରହିଛନ୍ତି । ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ରିଲିଫ କ୍ୟାମ୍ପଗୁଡ଼ିକୁ ଜାଣିଶୁଣି ଇସ୍ରାଏଲ ଧ୍ୱଂସ କରୁଛି । ଗାଜା ଭିତରକୁ କୌଣସି ସହାୟତା ପହଞ୍ôଚବାକୁ ଇସ୍ରାଏଲ ବନ୍ଦ କରୁଛି । ଏହା ବିଶ୍ୱ ମାନବାଧିକାରକୁ ଉଲ୍ଲଂଘନ କରୁଛି । ଏପରି ଅମାନବୀୟ ଘଟଣାକୁ ସମସ୍ତ ବାମପନ୍ଥୀ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।
ଭାରତ ସରକାର ଐତିହାସିକ ଭାବରେ ସମର୍ଥନ କରିଆସିଥିବା ପାଲେଷ୍ଟାନୀୟଙ୍କ ନ୍ୟାୟୋଚିତ ଦାବିକୁ ବର୍ତ୍ତମାନର ସରକାର ଇସ୍ରାଏଲକୁ ସନ୍ତୁଷ୍ଟ କରିବା ନୀତି ଗ୍ରହଣ କରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ଏପରିକି ଜୁନ ୧୩ତାରିଖରେ ଜାତିସଂଘର ସାଧାରଣ ପରିଷଦରେ ଗାଜାରେ ଚାଲୁରହିଥିବା ନରସଂହାର ପ୍ରତିବାଦ ପ୍ରସ୍ତାବରେ ଭାରତ ସରକାର ଭୋଟ ଦାନରୁ ବିରତ ରହିବା ଏହା ସାମାନ୍ୟ କୂଟନୈତିକ କାରବାର ନୁହେଁ ବୋଲି ଅଭିଯୋଗ କରିଥିଲେ । ଏହା ଆମ ଦେଶର ଏକ ନୈତିକ ବିଫଳତାକୁ ସୂଚାଇ ଦେଉଛି । ଗାଜାରେ ନରସଂହାର ବନ୍ଦ କରି ଶାନ୍ତି ପ୍ରତିଷ୍ଠା କରିବା, ଭାରତ ସରକାର ପାଲେଷ୍ଟାଇନ ସପକ୍ଷରେ ଦୃଢ଼ ଭାବରେ ଛିଡ଼ା ହେବା ପାଇଁ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଦାବି କରାଯାଇଛି । ସୁର ଜେନା, ପ୍ରଦୀପ୍ତ ନାୟକ, ଅଶୋକ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇ ପକ୍ଷରୁ ଜୟନ୍ତ ଦାସ, ରମଣୀରଞ୍ଜନ ରାଉତରାୟ, ପ୍ରମୋଦିନୀ ପାଇକରାୟ, ସଂଘମିତ୍ରା ଜେନା, ସିପିଆଇ(ଏମ୍) ପକ୍ଷରୁ ତାପସୀ ପ୍ରହରାଜ, ମିନତୀ ପାଣିଗ୍ରାହୀ, ପ୍ରଭାତ ପାଣିଗ୍ରାହୀ, ସିପିଆଇ (ଏମ୍ଏଲ) ଲିବରେସନ ପକ୍ଷରୁ ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ବଂଶୀଧର ପରିଡ଼ା ଓ ଫରୱାଡ୍ର୍ ବ୍ଲକ ପକ୍ଷରୁ ଲକ୍ଷ୍ମୀ ଦୋରା ଓ ବସନ୍ତ ପାଇକରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା