ଭୁବନେଶ୍ୱର, ୧୭ ଜୁନ୍ (ହି.ସ.)- ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି ହୋଇଥିବା ବେଳେ ଏହାର ପରବର୍ତୀ ୩ ଦିନ ଭୀଷଣ ବର୍ଷା ନେଇ କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଏହାର ପରବର୍ତୀ ୩ ଦିନ ପାଇଁ କୌଣସି ଚେତାବନୀ ନାହିଁ ।
ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରାଜ୍ୟର ୪ ଜିଲ୍ଲା( ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ଅନ୍ୟ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ତନ୍ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ରହିପାରେ । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକର ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ଏବଂ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକର ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
୧୮ ତାରିଖ ଅର୍ଥାତ୍ ଆସନ୍ତାକାଲି ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ୭ ଜିଲ୍ଲା (ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୧୯ ତାରିଖରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୦ ତାରିଖରେ ଭୀଷଣ ବର୍ଷା ନେଇ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାର ପରବର୍ତୀ ୩ ଦିନ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ