ବିକଶିତ ଓଡ଼ିଶାର ମୁଖଶାଳା ହେଉଛି ବାଲେଶ୍ୱର - ଧର୍ମେନ୍ଦ୍ର ପ୍ରଧାନ
ବାଲେଶ୍ୱ˜ଭୁବନେଶ୍ୱର,୧୭ ଜୁନ (ହି.ସ.) - ବାଲେଶ୍ୱରର ବର୍ଷିୟାନ ଜନନେତା, ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ ତଥା ମଙ୍ଗୁ ଭାଇ ଭାରତୀୟ ଜନତା ପାର୍ଟି ଏବଂ ବିଚାରଧାରାର ବଡ଼ ସ୍ତମ୍ଭ ଥିଲେ । ସମାଜର ସାଧାରଣ ଓ ନିମ୍ନ ଶ୍ରେଣୀର ଲୋକମାନଙ୍କ ସେବାକୁ ସେ ଜୀବନର ବ୍ରତ କରିଥିଲେ ବୋଲି ମଙ୍ଗଳବାର ବାଲେଶ୍ୱର ଠାରେ ତାଙ୍କର ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ବାଲେଶ୍ୱର ଏକ ଉଦ୍ଦୀପନା, ଉଜ୍ଜ୍ୱଳ ଆଲୋକ, ବିକଶିତ ଓଡ଼ିଶାର ମୁଖଶାଳା ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
ଏହି ସ୍ମୃତିସଭାରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଷ୍ଟେସନ ଛକ ଠାରେ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ତାଙ୍କ ସ୍ମୃତିରେ ଆୟୋଜିତ ରକ୍ତଦାନ ଶିବିର ଉଦଘାଟନ କରିବା ସହ ବୃକ୍ଷରୋପଣ କରିଥିଲେ । ସ୍ଥାନୀୟ ଅଞ୍ଚଳର ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ, ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ ସହ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧନା କରିଥିଲେ କେନ୍ଦ୍ରମନ୍ତ୍ରୀ । ‘ମଙ୍ଗୁ ଭାଇ ସ୍ମୃତି କମିଟି, ବାଲେଶ୍ୱର’ ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସହ ଥିବା ସ୍ମୃତିକୁ ମନେପକାଇଥିଲେ ।
ସେ କହିଛନ୍ତି, ମଙ୍ଗୁ ଭାଇ ଥିଲେ ବାଲେଶ୍ୱର ମାଟିର ଜଣେ ପରିଚିତ ଚେହେରା । ଜଣେ ଲୋକପ୍ରିୟ ଜନନେତା । ତାଙ୍କର ସାମାଜିକ ଜୀବନ ଅନେକଙ୍କ ପାଇଁ ଉଦାହରଣ । ବାଲେଶ୍ୱରରେ ଶିକ୍ଷା, ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ରୋଜଗାର ତଥା ସହରର ସର୍ବାଙ୍ଗୀନ ବିକାଶ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ସେ ଥିଲେ ଜଣେ ଦରଦୀ ମଣିଷ । ସମାଜର ସାଧାରଣ ଓ ନିମ୍ନ ଶ୍ରେଣୀର ଲୋକମାନଙ୍କ ସେବାକୁ ସେ ଜୀବନର ବ୍ରତ କରିଥିଲେ । ନିଜ ପରିବାର, ସୁଖ ଓ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରି ଜନସେବାରେ ନିଜକୁ ସମର୍ପି ଦେଇଥିଲେ । ଓଡ଼ିଶାର ଦଳିତ, ଗରିବ ଓ ନିଷ୍ପେସିତ ଲୋକମାନଙ୍କର ସ୍ୱରକୁ ଶାଣିତ ସ୍ୱରରେ ଉତ୍ତୋଳନ କରୁଥିଲେ । ସେ କେବଳ ବିଧାୟକ ନ ଥିଲେ, ଥିଲେ ବାଲେଶ୍ୱରର ବିକାଶର ସାରଥୀ । ଅନେକ କାର୍ଯ୍ୟକର୍ତ୍ତାଙ୍କୁ ତିଆରି କରିବା ତଥା ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସଶକ୍ତ କରିବାରେ ତାଙ୍କର ଭୂମିକା ଅତୁଳନୀୟ ଥିଲା ।
ଛାତ୍ର ଜୀବନରୁ ମଙ୍ଗୁ ଭାଇଙ୍କ ସହ ମୋର ଦୀର୍ଘ ୩୦ ବର୍ଷର ସମ୍ପର୍କ ରହିଛି । ସେ ଥିଲେ ଆମ ବିଚାରଧାରାର ବଡ଼ ସ୍ତମ୍ଭ । ଦଳ ମତ ନିର୍ବିଶେଷରେ ମଙ୍ଗୁ ଭାଇ ବାଲେଶ୍ୱରବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କର ବିଚାରଧାରା ଆଜି ବଟ୍ଟବୃକ୍ଷର ରୂପ ନେଇଛି । ବାଲେଶ୍ୱରରେ ତାଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ ; ଜଣେ ସଫଳ ନେତୃତ୍ୱ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି । ଏହି ପ୍ରତିମୂର୍ତ୍ତି ବାଲେଶ୍ୱରବାସୀଙ୍କର ତାଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଆବେଗର ପ୍ରତିଫଳନ । ମଙ୍ଗୁ ଭାଇ ହୁଅନ୍ତୁ କିମ୍ବା ଓଡ଼ିଶାର ପୂର୍ବତନ ବିରୋଧୀ ଦଳର ଉପନେତା ଦିବଙ୍ଗତ ବିଷ୍ଣୁ ଭାଇ, ଓଡ଼ିଶାକୁ ଉଭୟ ଜନପ୍ରତିନିଧିଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ସ୍ମୃତିକୁ ଅମର କରି ରଖିବା ପାଇଁ ଏହି ସାଧୁ ଉଦ୍ୟମ କରିଥିବାରୁ “ମଙ୍ଗୁ ଭାଇ ସ୍ମୃତି କମିଟି”ର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ବାଲେଶ୍ୱରର ଇତିହାସ ଉପରେ ଆଲୋକପାତ କରିବା ସହ କହିଛନ୍ତି, ବାଲେଶ୍ୱର ମାଟି ହେଉଛି ସାହିତ୍ୟ, ସଂସ୍କୃତି ଓ ସଂଗ୍ରାମର ମାଟି । ବାଲେଶ୍ୱରରେ ଜନ୍ମ ଗ୍ରହଣ କରିଥିବା ମହାନ କବି, ଲେଖକ ଫକୀର ମୋହନ ସେନାପତି ଓଡ଼ିଆ ଭାଷା ଓ ଅସ୍ମିତା ଲଢେଇ ପାଇଁ ସର୍ବସ୍ୱ ତ୍ୟାଗ କରିଥିଲେ । ଏଠାରେ ଜନ୍ମଗ୍ରହଣ କରିଥିବା ବିପ୍ଲବୀ, କ୍ରାନ୍ତିବୀର ବାଘାଯତୀନ ରାଷ୍ଟ୍ରପ୍ରେମର ଏକ ଅଲିଭା ଦୀପ । ସ୍ୱତନ୍ତ୍ର ଓଡ଼ିଶା ସ୍ୱାଭିମାନୀ ପ୍ରଦେଶ ତିଆରି କରିବାରେ ବାଲେଶ୍ୱର ନୀଳଗିରିର ବହୁତ ବଡ ଭୂମିକା ଅଛି । ବିକଶିତ ବାଲେଶ୍ୱରର ସ୍ୱପ୍ନକୁ ସାକାର କରି ବିକଶିତ ଓଡ଼ିଶା ଗଠନର ଅପେକ୍ଷାକୁ ପୂରା କରିବା । ଏଠାରେ ଥିବା ଏମ୍ସ ଭୁବନେଶ୍ୱର ସାଟେଲାଇଟ କେନ୍ଦ୍ରକୁ ଆଧୁନିକ କରିବା ପାଇଁ ଉଦ୍ୟମ କରାଯିବ । ଯୁବକଙ୍କ ସ୍ୱପ୍ନ ପୂରଣ କରାଯିବ ମଙ୍ଗୁ ଭାଇଙ୍କ ନୀତି ଆଦର୍ଶ ଆଧାରରେ ବାଲେଶ୍ୱର ଜିଲ୍ଲାକୁ ଆଗେଇ ନେବାରେ ସମସ୍ତେ ଉଦ୍ୟମ କରିବା । ମଙ୍ଗୁ ଭାଇଙ୍କୁ ସଠିକ୍ ଶ୍ରଦ୍ଧାଞ୍ଜଳି ତେବେ ହେବ ଯେବେ ଆମେ ବାଲେଶ୍ୱରର ବିକାଶ ପାଇଁ ପାଇଁ ସେ ଦେଖିଥିବା ସ୍ୱପ୍ନକୁ ସାକାର କରିବା ।
ଉଲ୍ଲେଖନୀୟ ଯେ, ଏହି ଗସ୍ତ କାଳରେ ଭଦ୍ରକ ଓ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଶ୍ରୀ ପ୍ରଧାନଙ୍କୁ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା