କେନ୍ଦୁଝର, ୧୭ ଜୁନ୍ (ହି.ସ.)- ଆସନ୍ତା ଜୁନ ୨୧ ତାରିଖରେ ସାରା ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାକୁ ଯାଉଛି। ଏନେଇ ସରକାରି ସ୍ତରରେ ହେଇକି ବେସରକାରୀ ସ୍ତରରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ଯୋଗ ଦ୍ୱାରା ପ୍ରତ୍ୟେକ ନାଗରିକ ସୁସ୍ଥ ଓ ସତେଜ ରହିପାରିବ। ଏନେଇ ଏହାକୁ ପ୍ରତ୍ୟେକ ନାଗରିକ ନିକଟରେ ବାର୍ତ୍ତା ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି ଯୋଗ ମହୋତ୍ସବ କମିଟି। ଆଜି ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଯୋଗ ମହୋତ୍ସବ କମିଟି ଦ୍ଵାରା ପ୍ରଶିକ୍ଷଣ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଗ ମହୋତ୍ସବ କମିଟି କେନ୍ଦୁଝର ଜିଲ୍ଲା ସଂଯୋଜକ ଦୁଃଶାସନ ମହାନ୍ତଙ୍କ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ବ୍ଳକ ଓ ପୌରପାଳିକାରୁ ଆସିଥିବା ଯୋଗ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ଯୋଗ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାପରେ ଅନୁଷ୍ଠିତ ବୈଠକର ପ୍ରଶାସନ ଓ ବିଭନ୍ନ ସାମାଜିକ ସଂଗଠନ ସହଯୋଗରେ ଯୋଗ ଦିବସ ପାଳନ କରିବା ନେଇ ଆଲୋଚନା ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA