ସମ୍ବଲପୁର, ୧୭ ଜୁନ୍ (ହି.ସ.) - ଅର୍ଥନୈତିକ ବିକାଶ ଓ ସମୃଦ୍ଧିକୁ ନେଇ ଭାରତ ବର୍ଷ ଏବେ ବିଶ୍ୱସ୍ତରରେ ସୁନାମ ହାସଲ କରିବାକୁ ଯାଉଥିବା ବେଳେ ଓଡ଼ିଶାରେ ଏବେ ବି ଲୋକେ ଦୀପ ତଳ ଅନ୍ଧାର ଅବସ୍ଥାରେ ରହିଛନ୍ତି । ନିକଟରେ ଦୀର୍ଘ ୨୪ ବର୍ଷ ଧରି ଗୋଟିଏ ସରକାର ସ୍ୱଚ୍ଛ ଓ ନିର୍ମଳ ଶାସନ କରି ଓଡିଶାକୁ ବିଶ୍ୱସ୍ତରୀୟ ମାନ୍ୟତା ଦେଇ ଯିବା ପରେ ଏବେ କେନ୍ଦ୍ର ଓ ରାଜ୍ୟକୁ ଡବଲ ଇଞ୍ଜିନ ବିଜେପି ସରକାର ଶାସନ କରୁଛି । ସ୍ୱଚ୍ଛ ଓ ନିର୍ମଳ ସରକାରର ଶାସନ କଳର ରାଜନୈତିକ ନେତା ମାନେ କେତେ ଯେ ସ୍ୱଚ୍ଛ ଓ ସତ୍ୟବାନ ଥିଲେ ତାହା ବର୍ତମାନର ସରକାର ଅମଳରେ ଜାଣିବାକୁ ମିଳୁଛି । କୈାତୁହଳର ବିଷୟ ବିଭିନ୍ନ ସଭା ସମିତିରେ ରାଜନୈତିକ ନେତା ମାନେ ଦେଶ ସ୍ୱାଧୀନତା ପାଇବାର ୭୭ ବର୍ଷ ଯେତେ ଯାହା ବିକାଶ ଓ ପ୍ରଗତି କରାଇଥିବା ସୂଚନା ଦେଇଥାଆନ୍ତି ସେଥିରେ ମାତ୍ର ୮ ରୁ ୨୨ ପ୍ରତିଶତ ସତ ବୋଲି ବିଭିନ୍ନ ସରକାରର ଶାସନକଳର ଅଭିଜ୍ଞତାକୁ ନେଇ ଏବେ କିଛି ପୁରୁଖା ଆଦିବାସୀ ନେତା ନିର୍ଭିକତା'ର ସହ ବିଶୋଦଗାର କରୁଛନ୍ତି। ଆଦିବାସୀ ଅଧ୍ୟୁଷିତ ଓ ଉପାନ୍ତ ଜିଲ୍ଲା ଗୁଡିକର ସାମୁହିକ ବିକାଶର ଅପପ୍ରଚାର ରାଜ୍ୟ ବିକାଶରେ ବାଧକ ସାଜିବାରେ ମଧ୍ୟ ଆଶଙ୍କା ରହିଛି । ଏହିପରି ଆରୋପ ପ୍ରତ୍ୟାରୋପ ମଧ୍ୟରେ ପଶ୍ଚିମ ଓଡ଼ିଶାର ରାଜଧାନୀ କୁହାଯାଉଥିବା ସମ୍ବଲପୁର ଜିଲ୍ଲାର ଉପାନ୍ତ ବ୍ଲକର ହାଲଚାଲକୁ ନଜର କରିଥିଲା ହିନ୍ଦୁସ୍ଥାନ ସମାଚାର 'ଆଇଲେନ୍ସ' ।
ରାଜ୍ୟ ଶାସନ କଳରେ ଏବେ ବିଜେପିର ଡବଲ ଇଞ୍ଜିନ ସରକାର। ସମ୍ବଲପୁର ଜିଲ୍ଲାର ଉପାନ୍ତ ଜମନକିରା ବ୍ଲକରେ ବିଦ୍ୟୁତ୍ କାଟ୍ ଏକ ସାଧାରଣ ସମସ୍ୟା। ଏଠାରେ ବିଦ୍ୟୁତ୍ ନ ଥିଲେ ପମ୍ପରୁ ମିଳିନଥାଏ ପେଟ୍ରୋଲ ବା ଡିଜେଲ । ଗତ ଦୁଇଦିନ ଧରି ଘଡ ଘଡି ସହିତ ବର୍ଷା ହେଉଥିବାରୁ ଲାଇଡା ରୁ ଫାଶୀମାଲ ପର?୍ୟ୍ୟନ୍ତ ବିଦ୍ୟୁତ ବିଭ୍ରାଟ ଲାଗିରହିଛି । ଫାଶୀମାଲର ଏକମାତ୍ର ଭାରତ ପେଟ୍ରୋଲ ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ ମିଳୁନଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଫାଶୀମାଲର ଏହି ପେଟ୍ରୋଲ ପମ୍ପରେ ସୋଲାର ସିଷ୍ଟମ ବା ଜେନେରେଟର କୌଣସି ସୁବିଧା ନ ଥିବାରୁ ସାମାନ୍ୟ ବିଦ୍ୟୁତ୍ ବିଭ୍ରାଟରେ ପେଟ୍ରୋଲ ବା ଡିଜେଲ ମିଳିବା ଅସମ୍ଭବ ହୋଇଥାଏ । ବର୍ତମାନ ଚାଷ କାର୍ଯ୍ୟ ହେଉଥିବା ବେଳେ ଚାଷୀଟିଏ ଡିଜେଲ ନପାଇ ହଇରାଣ ହରକତ ହେଉଥିବା ଦେଖିବାଜୁ ମିଳିଛି । ସେହିପରି ରୋଗୀକୁ ବାଇକରେ ଡାକ୍ତରଖାନାକୁ ନେବା ପାଇଁ ପେଟ୍ରୋଲ ନମିଳିବାରୁ ପରିବାର ଲୋକେ ହତାଶ । ସମସ୍ୟା କେବଳ ଏତିକିରେ ଶେଷ ହୋଇନାହିଁ, ବିଦ୍ୟୁତ୍ କାଟ୍ ଓ ପମ୍ପରୁ ଆବଶ୍ୟକ ସମୟରେ ପେଟ୍ରୋଲ ଓ ଡିଜେଲ ନମିଳିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ରୋଗୀସେବା ସହ ବହୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ ଠପ୍ ହୋଇଯାଉଛି । ଏଦିଗରେ ଅନୁସନ୍ଧାନ କରି ଜିଲ୍ଲାର ଉପାନ୍ତ ତଥା କ୍ରମବର୍ଦ୍ଧିଷ୍ଣୁ ଜମନକିରା ବ୍ଲକ୍ ର ସର୍ବନିମ୍ନ ଆବଶ୍ୟକତାକୁ ସର୍ବାଧିକ ଗୁରୁତ୍ୱ ଦେଇ ରାଜ୍ୟ ସରକାର କେବେ ଆବଶ୍ୟକୀୟ ପଦକ୍ଷେପ ନେବେ ଏବେ ତାକୁ ଦେଖିବାକୁ ଅପେକ୍ଷା ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ