ଜୟପୁର, ୧୭ ଜୁନ୍ (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ପୂଜାରଗୁଡା ପଂଚାୟର ଗୁମ୍ମା ଗାଁରେ ରହିଛି ସର୍ବ ପୁରାତନ ରାଜା ରାଜୁଡା ଅମଳର ଶିବ ମନ୍ଦିର । ଏହି ପୀଠର ମହିମା ଏବଂ ସ୍ୱତନ୍ତ୍ରତା ପାଇଁ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ସୋମବାର ହେଲେ ଏଠାରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳେ । ମାନସିକ ଶାନ୍ତି ପାଇବା ଏବଂ ମହାଦେବଙ୍କ ଦର୍ଶନ ପାଇଁ ବଡି ଭୋରରୁ ଶ୍ରଦ୍ଧାଳୁମାନେ ମନ୍ଦିରରେ ଭିଡ ଜମେଇଥାନ୍ତି । ବାବାଙ୍କ ଦର୍ଶନ ପାଇଁ ମଧ୍ୟ ଭକ୍ତମାନେ ବେଶ ଉତ୍ସାହିତ ରହିଥାନ୍ତି । ବାବାଙ୍କ କୁଣ୍ଡ ପାଦୁକା ପାନ କଲେ ଭଲ ହୋଇଥାଏ ଅନେକ ରୋଗ । ବାବାଙ୍କ ଅପାର ମହିମା ଥିବାରୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ଧାଇଁ ଆସିଥାନ୍ତି ଆଶିଷ ଲାଭ କରିବା ପାଇଁ। କିନ୍ତୁ ଦୀର୍ଘ ବର୍ଷର ପୁରୁଣା ଏହି ମନ୍ଦିରକୁ କାହାରି ନିଘା ନାହିଁ । ବହୁ ବର୍ଷ ପୂର୍ବରୁ ମନ୍ଦିରର ପରିଚାଳନା ସହ ଉନ୍ନତି ଦାୟିତ୍ୱ ଜୟପୁର ଦେବୋତର ବିଭାଗ ଦାୟିତ୍ୱ ନେଇଛି କିନ୍ତୁ ଗୁମ୍ମା ଶିବ ମନ୍ଦିର ଆଜିବି ଅବହେଳିତ ଅବସ୍ଥାରେପଡି ରହିଛି । ମନ୍ଦିର ପୂଜକ ସଦନ ପୂଜାରୀଙ୍କ କହିବା ଅନୁଯାଇ, ଜୟପୁର ଦେବୋତର ବିଭଗ ପକ୍ଷରୁ କେବଳ ମନ୍ଦିର ପରିଚାଳନା ପାଇଁ ମାସିକ ୩ ଶହ ଟଙ୍କା ଏବଂ ପୂଜକଙ୍କ ଦରମା ବାବଦକୁ ୩ ଶହ ଟଙ୍କା ଦିଆଯାଉଛି । ଏଠାରେ ଆଜି ପର୍ଯ୍ୟନ୍ତ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରାଯିନାହିଁ । କିଛି ବଦାନ୍ୟ ବ୍ୟକ୍ତି ମନ୍ଦିର ଉନ୍ନତି ପାଇଁ ଟିଣ ଓ କୁଆ ଖନନ ପାଇଁ ଟଙ୍କା ପ୍ରଦାନ କରିଛନ୍ତି କ୍ଷ କିନ୍ତୁ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ । ଖରା ବର୍ଷାରେ ଆଶ୍ରୟ ନେବାକୁ ଶ୍ରଦ୍ଧାଳୁଙ୍କ ପାଇଁ ଘର ଖଣ୍ଡିଏ ନାହିଁ । ଷ୍ଟ୍ରିଟ ଲାଇଟ କି ମନ୍ଦିର ପରିସରରେ ଲାଇଟର ସୁବ୍ୟବସ୍ଥା ନାହିଁ । ଏପରିକି ଶୌଚାଳୟଟିଏ ମଧ୍ୟ ନାହିଁ । ପୋଖରୀ ଅଛି କିନ୍ତୁ ରକ୍ଷାଣାବେକ୍ଷଣ ସୁବିଧା ନାହିଁ । ମୌଳିକ ସୁବିଧା ନଥିବାରୁ ଶ୍ରଦ୍ଧାଳୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ଏକ ସୁନ୍ଦର ଶୈବ ପୀଠର ରକ୍ଷଣାବେକ୍ଷଣ ପ୍ରତି ଜୟପୁର ଦେବୋତର ବିଭଗ ଅବହେଳା କରାଯାଉଥିବା ସାମ୍ମନା କୁ ଆସିଛି । ବିଭିନ୍ନ ସମୟର ଏହାର ଉନ୍ନତିକରଣ ପାଇଁ ପ୍ରତିଶୃତି ମିଳେ କିନ୍ତୁ ପରବର୍ତୀ ସମୟରେ ସମସ୍ତେ ଭୁଲି ଯାଆନ୍ତି । ବିବାହ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ପାଇଁ ସମସ୍ତ ସୁବିଧା ନଥିବାରୁ ଲୋକେ ପୀଠକୁ ଆସୁନାହାନ୍ତି ବୋଲି ଗୁମ୍ମା ଗାଁ ର କେଶବ ଖିଲ, ଖଗପତି ବାରଙ୍ଗ, ହରିହର ମାଝୀ, କେଶବ ମାଝୀ, କୃଷ୍ଣ ଦାସ, ବିଶ୍ୱନାଥ ପୂଜାରୀ, ସୁରେନ୍ଦ୍ର ବାରିକ ପ୍ରମୁଖ ଅଭିଯୋଗ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି