ଭୁବନେଶ୍ୱର, 17 ଜୁନ୍ (ହି.ସ.)- ଭୁବନେଶ୍ୱରରେ ଝାଡ଼ାବାନ୍ତି ବ୍ୟାପିବା
ପରେ କ୍ୟାପିଟାଲ ହସ୍ପିଟାଲର ପ୍ରସ୍ତୁତି। ରାଜ୍ୟରେ ହଇଜା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ
କ୍ୟାପିଟାଲ୍ ହସ୍ପିଟାଲ୍ରେ ଏହାକୁ ନେଇ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। କ୍ୟାପିଟାଲ
ହସପିଟାଲରେ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରୁ କିଛି ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି।
କିନ୍ତୁ ବାହାରୁ ରୋଗୀ କେହି ଆସି ଚିକିତ୍ସିତ ହେଉନାହାନ୍ତି। ଡାଇରିଆ ୱାର୍ଡକୁ ସ୍ଵତନ୍ତ୍ର
ଭାବେ ପ୍ରସ୍ତୁତ କରି ରଖାଯାଇଛି। ସମସ୍ତ ବ୍ୟବସ୍ଥା କରାଯାଇଛି। ବାହାରୁ ଯଦି ରୋଗୀ ଆସନ୍ତି
ତେବେ ଚିକିତ୍ସା କରିହେବ। ଏବେ ଭୁବନେଶ୍ୱରରେ ସେଭଳି ଅଣାୟତ୍ତ ପରିସ୍ଥିତି ହୋଇନାହିଁ। ଏବେ
ସ୍ଥିତି ଏତେଟା ଖରାପ୍ ହୋଇନାହିଁ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ.
ରୁପଭାନୁ ମିଶ୍ର ।
ସେ କହିଛନ୍ତି ଯେ, ଆମେ ନଜର ରଖିଛୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ଏବେ ସଂକ୍ରମଣ
ୱାର୍ଡରେ ମୋଟ୍ ୧୮ଟି ଶଯ୍ୟା ରହିଛି। ଗତ କାଲି ୩ରୁ ୪ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି। ସମସ୍ତଙ୍କ
ଅବସ୍ଥା ସ୍ଥିର ରହିଛି। ରୋଗୀମାନଙ୍କ ପାଇଁ ଆବଶ୍ୟକ ଔଷଧ ଓ ସାଲାଇନ୍ ମହଜୁଦ ରଖାଯାଇଛି। ଆବଶ୍ୟକ
ପଡ଼ିଲେ ଶଯ୍ୟା ସଂଖ୍ୟା ୪୦ ଶଯ୍ୟାକୁ ବୃଦ୍ଧି କରାଯିବ । ଏହାବାଦ ଅସ୍ଥାୟୀ ଶଯ୍ୟା ମଧ୍ୟ
ରଖାଯାଇଛି। ହଇଜା ମୁଖ୍ୟତଃ ଏକ ଜଳବାହିତ ରୋଗ। ତେଣୁ ଫୁଟା ପାଣି ନଚେତ୍ ଆକ୍ୱାଗାର୍ଡ ପାଣି
ପିଅନ୍ତୁ | ପାଣି ଟାଙ୍କିକୁ ବ୍ଲିଚିଂ ପକାଇ ସଫା ରଖନ୍ତୁ। ଶୌଚ ହୋଇ ଆସିବା ପରେ ଭଲ ଭାବେ ହାତ ସଫା
ରଖନ୍ତୁ| ଗରମ ଖାଦ୍ୟ ଖାଆନ୍ତୁ। ରାଜଧାନୀରେ ହଇଜା ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ତଥାପି ସତର୍କ
ରହିବାକୁ ଡା ରୂପଭାନୁ ମିଶ୍ର ପରାମର୍ଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା