ପୁରୀ, ୧୭ ଜୁନ୍ (ହି.ସ.) - ରାଜ୍ୟରେ ଚାଲିଥିବା ବିଜେପି ସରକାର ଏକବର୍ଷ ପୂର୍ତି ଉପଲକ୍ଷେ କେବଳ ଫମ୍ପା ଆୱାଜ ଦେଉଛି ବୋଲି ସୋମବାର ପୂର୍ବାହ୍ନରେ ହଲିଡେ ରିସର୍ଟ ଠାରେ ବିଜେଡି ପକ୍ଷରୁ ଜନ ଜାଗରଣ ଅଭିଯାନ ଉପଲକ୍ଷ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତାମାନେ ମତବ୍ୟକ୍ତ କରିଛନ୍ତି । ଆସନ୍ତାକାଲି ରାଜ୍ୟର ଛାତ୍ର ଯୁବ ବିଜେଡି ନେତା ଓ କର୍ମୀମାନେ ବାଲିଗୁଆଳି ସ୍ଥିତ ସ୍ୱାମୀ ନାରାୟଣ ମନ୍ଦିରରେ ଜନ ଜାଗରଣ ଅଭିଯାନ ପାଇଁ ମାନସ ମନ୍ଥନ ଅନୁଷ୍ଠିତ ହେବ । ବିଦେଶୀ ପୁଞ୍ଜି ନିବେଶ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ନିଯୁକ୍ତି ଓ ଦକ୍ଷତା ବିକାଶ ପ୍ରତିଶ୍ରୁତି କେବଳ ଧୂଆଁବାଣ ପାଲଟିଛି । ଟଙ୍କା ଦିଅ ଚାକିରି ନିଅ ନ୍ୟାୟରେ ଚାଲିଛି ନିଯୁକ୍ତି । ଗତବର୍ଷ ଆଡପ ପହଣ୍ଡି ବେଳେ ବଡଠାକୁର ପଡିଗଲେ ତାର ତଦନ୍ତ ହୋଇପାରିନାହିଁ । କଟନି ଛଟନିରେ ୮ରୁ ୧୨କେଜି ଧାନ କଟୁଛି । ଯାଜପୁରର ହଇଜା ୬ ଜିଲ୍ଲାକୁ ବ୍ୟାପିଲାଣି । କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନାହିଁ । ଓଡିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାକୁ ଚାଲିଗଲାଣି । ମିଛ ଡିଣ୍ଡିମ ପିଟିବାରେ ଏ ସରକାର ଆଗରେ ରହିଛି । ଶ୍ରୀକ୍ଷେତ୍ରରୁ ଏହି ଜନ ଜାଗରଣ ଆନ୍ଦୋଳନ ୩୦ ଜିଲ୍ଲାକୁ ବ୍ୟାପିବ । କଥା ଦେଇ କଥା ରଖୁନି ବିଜେପି ସରକାର । ଏ ସରକାର କେବଳ କଥା ପ୍ରବଳ କାମ ଦୁର୍ବଳ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି କରିବ ଦୁର୍ବାର ଆନ୍ଦୋଳନ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଂଟିଆ, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ବାଙ୍କି ବିଧାୟକ ଟୁବୁ ତ୍ରିପାଠୀ, ବିଜେଡି ନେତା ବ୍ୟୋମକେଶ ରାୟ, ବଳବନ୍ତ ରାୟ,ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଜୟ