ଭଦ୍ରକ, ୧୮ ଜୁନ୍ (ହି.ସ.) - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଚଳିତ ଶିକ୍ଷାବର୍ଷରେ ନୂତନ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାର୍ଥୀ ପରିଷଦ ସହିତ ଯୋଡିବା ଏବଂ ରାଷ୍ଟ୍ରୀୟ ପୁନଃନିର୍ମାଣ ପାଇଁ ସଂକଳ୍ପ ବଦ୍ଧ ହୋଇ କାର୍ଯ୍ୟକରିବାର ଲକ୍ଷ୍ୟ ନେଇ ଏବିଭିପି ପ୍ରତି ଶିକ୍ଷା ବର୍ଷରେ ସଦସ୍ୟତା ଅଭିଯାନ ଆରମ୍ଭ କରିଥାଏ । ଚଳିତ ଶିକ୍ଷା ବର୍ଷରେ ଏବିଭିପି, ଭଦ୍ରକ ଜିଲ୍ଲା ୧୫ ହଜାର ସଦସ୍ୟତାର ଲକ୍ଷ୍ୟ ନେଇଛି । ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ପାଖରେ ଏବିଭିପି ପହଂଚି ସଦସ୍ୟତା ଆରମ୍ଭ କରିବାର ଲକ୍ଷ୍ୟ ରଖିଛି । ଆଜି ଠାରୁ ସଦସ୍ୟତା ଅଭିଯାନ ଜାରି ରହିବ । ବିଭିନ୍ନ କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଯୋଡିବା ପାଇଁ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ କରି ସାରିଲାଣି । ସେହିପରି ଓଡ଼ିଶାରେ ଦୀର୍ଘ ୭ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି। ଯାହାକି ଏବିଭିପି ଏବଂ ଛାତ୍ର ନେତୃତ୍ୱଙ୍କ ମାଧ୍ୟମରେ ଏହା ସମାଧାନ ହୋଇ ପାରିବ। ଆଜି ସହରର ସୀତାରାମ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ କହିଛନ୍ତି, ଏବିଭିପି ପ୍ରତ୍ୟେକ କ୍ୟାମ୍ପସରେ ହେଲ୍ପ ଡେସ୍କ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହିତ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନ ପାଇଁ ଅଂଟା ଭିଡ଼ି ସାରିଲାଣି । ଛାତ୍ରଛାତ୍ରୀଙ୍କ ମନରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳୁଛି । ବ୍ୟକ୍ତିତ୍ୱ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାର ଆବଶ୍ୟକତା ଅଛି ଏବଂ ଛାତ୍ର ସଂସଦ ନିର୍ବାଚନ ହେଲେ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନର ବାଟ ଫିଟିବ । ଏହି ପ୍ରେସ ବାର୍ତାରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ସହ ପ୍ରମୁଖ ଜ୍ୟୋତି ପ୍ରକାଶ ସାହୁ, ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ସହ ସଂଯୋଜକ ପୂଜାରାଣୀ ମଲ୍ଲିକ, ପ୍ରାନ୍ତ ସବିଷ୍କାର ସହ ସଂଯୋଜକ ଦେବୀ ପ୍ରସାଦ ଦାଶ ମଂଚାସିନ ଥିଲେ। ଜିଲ୍ଲାରେ ରାଜ୍ୟ ସରକାର ଘୋଷଣା କରିଥିବା ସରକାରୀ ମେଡିକାଲ କଲେଜ ଏବଂ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏବିଭିପି ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଛି। ଏହି ଅବସରରେ ବିଦ୍ୟାର୍ଥୀ ପରିଷଦର ସଦସ୍ୟତା ପୋଷ୍ଟର ଉନ୍ମୋଚନ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହ ପ୍ରମୁଖ ଶିକ୍ଷାବିତ୍ ଡ. ବସନ୍ତ କୁମାର ଦୀକ୍ଷିତ, ସହ ସଂଯୋଜକ ଅଭିଳାଷ ତ୍ରିପାଠୀ, ବିଭାଗ ଏସଏଫଏସ ସଂଯୋଜିକା ମାଧୁରୀ ରାଉତ, ଶୁଭମ ରାଉତ, କାହ୍ନା ଜେନା, ରଞ୍ଜୁଲତା ପୁଟିଆ ଉପସ୍ଥିତ ଥିଲେ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ