Bhubaneswar, 18 ଜୁନ୍ (ହି.ସ.)
ଆଇ.ଏ.ଏସ୍, ଓ.ଏ.ଏସ୍, ବ୍ୟାଙ୍କିଂ ଭଳି କମ୍ପିଟିଟିଭ୍ ପରୀକ୍ଷା ଲାଗି ପିଲାଙ୍କୁ କୋଚିଂ ସେଣ୍ଟରରେ ପଢ଼ାଇବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଖୋର୍ଦ୍ଧାରେ ଏକ ସାମୁହିକ ପାଠାଗାର ଏବଂ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ।
ଏଣିକି ଅର୍ଥାଭାବରୁ କୌଣସି ମେଧାବୀ ପିଲା ଉଚ୍ଚଶିକ୍ଷା ଏବଂ ବିଭିନ୍ନ ପ୍ରକାରର ସରକାରୀ କି ବେସରକାରୀ ଚାକିରୀ ପାଇବାରୁ ବଞ୍ଚିତ ହେବେ ନାହିଁ । ରେଲଓ୍ୱେ, ବ୍ୟାଙ୍କିଂ ଭଳି କମ୍ପିଟିଟିଭ୍ ପରୀକ୍ଷା ଲାଗି ଅଧିକ ଟଙ୍କା ଖର୍ଚ୍ଚ କରି କେଉଁ ବେସରକାରୀ କୋଚିଂ ସେଣ୍ଟଟରକୁ ବି ଯିବାକୁ ପଡ଼ିବନି । ନିଜ ଅଞ୍ଚଳର ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କ ଲାଗି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକ ସାମୁହିକ ପାଠାଗାର ଏବଂ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ । ଗରିବ ପିଲାଙ୍କ ଲାଗି ଏଭଳି ସାମୁହିକ ଲାଇବ୍ରେରି କମ୍ କୋଚିଂ ସେଣ୍ଟର ନିର୍ମାଣ ଚିନ୍ତାଧାରାଟି ଦେଶରେ ପ୍ରଥମ ବୋଲି କହିଛନ୍ତି ସାଂସଦ । ୧୭୫୦ ବର୍ଗଫୁଟର ଏହି ଲାଇବ୍ରେରି କମ୍ କୋଚିଂ ସେଣ୍ଟର ନିର୍ମାଣ ଲାଗି ମୋଟ୍ ୫୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ଯେଉଁଥିରୁ ୩୦ ଲକ୍ଷ ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ପ୍ରଦାନ କରାଯିବାକୁ ଥିବା ବେଳେ ବାକି ୨୩ ଲକ୍ଷ ପ୍ରଦାନ କରିବେ ପଞ୍ଚମ ରାଜ୍ୟ ଅର୍ଥ କମିଶନ, ଏମ୍.ଜି.ଏନ୍.ଆର୍.ଜି.ଏ., ଜିଲ୍ଲା ଖଣିଜ ପାଣ୍ଠି ଓ ଏସ୍.ବି.ଏମ୍ । ଯେଉଁଥିରେ ଏସି ହଲ୍, ପାଠାଗାର, କୋଚିଂ ହଲ୍, ରିଡିଂ ରୁମ୍, ଅତ୍ୟାଧୁନିକ ଟଏଲେଟ୍, ଲାଉଞ୍ଜ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ମାନ ରହିବ । ବର୍ଷେ ଭିତରେ ଏହାର କାର୍ଯ୍ୟ ସମାପନ ଲାଗି ସମୟ ଧାର୍ଯ୍ୟ କରାଯାଇଥିବାବେଳେ, ନିର୍ମାଣ କାର୍ଯ୍ୟ ସରିଲେ ଅଭିଜ୍ଞ ପ୍ରଶିକ୍ଷକ ମାନଙ୍କ ଦ୍ୱାରା ସ୍ଥାନୀୟ ମେଧାବୀ ତଥା ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କୁ ରେଲଓ୍ୱେ, ବ୍ୟାଙ୍କିଂ ଭଳି ବିଭିନ୍ନ ପ୍ରକାରର କମ୍ପିଟିଟିଭ୍ ପରୀକ୍ଷା ଲାଗି ମାଗଣାରେ କୋଚିଂ ବା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏମିତିକି କାର୍ଯ୍ୟ ସମାପନ ସରିଲେ କୌଣସି ଏକ ଅଗ୍ରଣୀ ଅନୁଷ୍ଠାନ ସହ ଚୁକ୍ତିନାମା କରି ପିଲାମାନଙ୍କୁ କୋଚିଂ ପ୍ରଦାନ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା । ଖାଲି ଏତିକି ନୁହେଁ । ପାଠାଗାର କମ୍ କୋଚିଂ ସେଣ୍ଟରରେ ପିଲାଙ୍କ ପଢ଼ିବା ଲାଗି ସମସ୍ତ ପ୍ରକାରର ବହି ମିଳୁଛି କି ନାହିଁ, ପ୍ରଶିକ୍ଷଣରେ କଣ ତ୍ରୁଟି ରହୁଛି ତାହାକୁ ବ୍ୟକ୍ତିଗତଭାବେ ତଦାରଖ କରିବା ସହ ସମୟ ସମୟରେ ନିଜେ ମଧ୍ୟ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଅପରାଜିତା ।
ଶିକ୍ଷା ଜୀବନର ମୂଳ ମନ୍ତ୍ର । ଏବେ ଏଭଳି ଅନେକ ପିଲା ରହିଛନ୍ତି, ଯେଉଁମାନଙ୍କ ପାଖରେ ପାଠ ପଢ଼ିବା ଲାଗି ଭଲ ବହି ଖଣ୍ଡିଏ ନାହିଁ କି ଆର୍ଥିକ ସମ୍ୱଳ ମଧ୍ୟ ନାହିଁ । ଯାହାଫଳରେ ବିଭିନ୍ନ ସମୟରେ ଭଲ ଚାକିରୀଟିଏ ପାଇବାରୁ ବଞ୍ଚିତ ହେଉଛନ୍ତି ଅନେକ ମେଧାବୀ । ଯେତେବେଳେ ମୁଁ ମଧ୍ୟ ଆଇଏଏସ୍ ପାଇଥିଲି, ସେତେବେଳେ ଏସବୁ ମୋତେ ବହୁତ ବ୍ୟଥିତ କରିଥିଲା । ଆଉ ସେତେବେଳଠୁ ଏଭଳି ଏକ ଚିନ୍ତାଧାରା ମୋ ମସ୍ତିଷ୍କରେ ପ୍ରବେଶ କରିଥିଲା । ଯାହାକି ଆଜି ବାସ୍ତବ ରୂପ ନେବାକୁ ଯାଉଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେହିଭଳି ପ୍ରତି ଘରେ ଝିଅଙ୍କୁ ପାଠ ପଢ଼ାଇବା ଦରକାର ବୋଲି ଅଭିଭାବକମାନଙ୍କୁ ଅପିଲ କରିଛନ୍ତି ଅପରାଜିତା । ପ୍ରଥମେ ଖୋର୍ଦ୍ଧାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଆଗକୁ ଭୁବନେଶ୍ୱର, ଜଟଣୀ, ବାଲିଅନ୍ତା, ବାଲିପାଟଣା, ବେଗୁନିଆ, ବୋଲଗଡ଼, ଓ ଟାଙ୍ଗି ଭଳି ଅପରାଜିତାଙ୍କ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନ୍ୟ ୭ଟି ବ୍ଲକରେ କାର୍ଯ୍ୟକାରୀ ହେବ । ଯେଉଁଥିଲାଗି ମୋଟ ୪ କୋଟି ୨୪ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଯେଉଁଥିରୁ ଏମ.ପି ଲ୍ୟାଡରୁ ୨ କୋଟି ୪୦ ଲକ୍ଷ ଏବଂ ବାକିତକ ପଞ୍ଚମ ରାଜ୍ୟ ଅର୍ଥ କମିଶନ, ଏମ୍.ଜି.ଏନ୍.ଆର୍.ଜି.ଏ., ଜିଲ୍ଲା ଖଣିଜ ପାଣ୍ଠି ଓ ଏସ୍.ବି.ଏମ୍ ଭଳି ସମନ୍ୱିତ ପାଣ୍ଠିରୁ ଖର୍ଚ୍ଚ କରାଯିବ । ଯାହାଦ୍ୱାରା ମୋ ଅଞ୍ଚଳର ମେଧାବୀ ପିଲା ଆଗକୁ ଦେଶ ବିଦେଶରେ ନାଁ କମାଇପାରିବେ ବୋଲି କହିଛନ୍ତି ମ୍ୟାଡମ୍ ଅପରାଜିତା । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆଗକୁ ସାରା ଦେଶ ଏହି ମଡେଲକୁ ଆପଣାଇବ ବୋଲି କହିଛନ୍ତି ସେ । ଖାଲି ଏତିକି ନୁହଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ୬୯ଟି ଗ୍ରାମ ପଞ୍ଚାୟତରେ ୧୦ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟରେ ଗୋଟିଏ ଗୋଟିଏ ପୁସ୍ତକାଳୟ ବା ପାଠାଗାର ନିର୍ମାଣ ଲାଗି କାର୍ଯ୍ୟାଦେଶ ପ୍ରଦାନ ସରିଛି । ଯେଉଥିଲାଗି ଏମପି ଲ୍ୟାଡରୁ ୫ ଲକ୍ଷ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସ୍ଥାନୀୟ ଯୁବକମାନେ ଏହାର ପରିଚାଳନା କରିବେ । ଆଗକୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧିନସ୍ଥ ମୋଟ୍ ୧୫୬ଟି ପଞ୍ଚାୟତରେ ଏହି ପୁସ୍ତକାଗାର ନିର୍ମାଣ କରାଯିବ । ଯେଉଁଥିଲାଗି ୬କୋଟି ୯୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଅନ୍ୟପଟେ ଆଜିର କାର୍ଯ୍ୟକ୍ରମରେ ସାଂସଦ ଅପରାଜିତାଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ସିଡିଓ ଜ୍ୟୋତିଶଙ୍କର ସାହୁ, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ, ଜିଲ୍ଲା ପରିଷଦ ପ୍ରଫୁଲ୍ଲ ଦଳାଇ, ଖୋର୍ଦ୍ଧା ଏକଜିକ୍ୟୁଟିଭ ଇଞ୍ଜିନିୟର ତପନ କୁମାର ସାହୁ, ସହକାରୀ ଏକଜିକ୍ୟୁଟିଭ ଇଞ୍ଜିନିୟର ମାନସ ରଞ୍ଜନ ନାୟକ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର, ସାଂସଦଙ୍କ ପ୍ରତିନିଧି ବିଭୂପ୍ରସାଦ ବଳିୟାରସିଂହ, ଦିଲିପ କୁମାର ହୋତା, ପ୍ରତାପ ମହାପାତ୍ର, ନିକୁଞ୍ଜ ପଟ୍ଟନାୟକ ଏବଂ ସାଂସଦଙ୍କ ଓଏସଡି ଶଶାଙ୍କ ଶେଖର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା