କେନ୍ଦୁଝର, ୧୮ ଜୁନ୍ (ହି.ସ.) - କେନ୍ଦୁଝର ଜିଲ୍ଲାର ହରିଚନ୍ଦପୁର ବ୍ଲକ ଅନ୍ତର୍ଗତ ତଥା ପଣ୍ଡାପଡା ଥାନାର ତେନ୍ତେଳାପଶି ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନାବାଳିକାଙ୍କ ପରିବାରକୁ ବିଜୁ ଜନତା ଦଳର ପ୍ରତିନିଧିମଣ୍ଡଳୀ ଭେଟିବା ସହ ଶ୍ମଶାନକୁ ଯାଇ ତାଙ୍କ ବାପାଙ୍କ ସହ ଆଲୋଚନା କରି ସମବେଦନା ଜଣାଇଛନ୍ତି । ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବ୍ରଦିନାରାୟଣ ପାତ୍ର, ବିଜୁ ଜନତା ଦଳ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତୀ,ପୂର୍ବତନ ପାଟଣା ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ନାୟକ,ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ମାଧବ ସର୍ଦ୍ଦାର, ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଦୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ,କେନ୍ଦୁଝରଗଡ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ମିନା ମାଝୀ,ହରିଚନ୍ଦନପୁର ବ୍ଲକ ଅଧ୍ୟକ୍ଷା ସୁନେଲୀ ନାୟକ, ଅମର କୁଅଁର, ପ୍ରମୋଦ ପଟ୍ଟନାୟକ, ରଞ୍ଜନ ଦାସ ପ୍ରମୁଖ ପ୍ରଥମେ ଶ୍ମଶାନକୁ ଯାଇ ମୃତ ବାଳିକାଙ୍କ ବାପା ଓ ପରିଜନଙ୍କ ସହ ଆଲୋଚନା କରିବା ପରେ ଘରକୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଆଲୋଚନା କରି ଏପରି ଅମାନୁଷିକ କାର୍ଯ୍ୟର କଡା ନିନ୍ଦା କରିଥିଲେ । ଏହାପରେ ଦଳର ଉପରୋକ୍ତ ନେତୃବୃନ୍ଦ ଜିଲ୍ଲା ସଦରମହକୁମାକୁ ଯାଇ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କୁ ସାକ୍ଷାତ କରି ଏକ ଚାରିଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଥିଲେ । ଏଥିରେ ସଂପୃକ୍ତ ଆସାମୀମାନଙ୍କୁ ତୁରନ୍ତ ଗିରଫ କରିବା,କଡା ଦଫା ପକାଇବା,ଅପରାଧିଙ୍କୁ ଦୃଷ୍ଠାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ପଦକ୍ଷେପ ନେବା ଯେପରିକି ଏପରି ଅମାନବୀୟ କାର୍ଯ୍ୟ କେହି ଭବିଷ୍ୟତରେ କରିବାକୁ ଆଉ ଦୁଃସାହସ କରିବେ ନାହିଁ ଓ ଜିଳ୍ଲାର ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ସହ ବାଳିକାମାନଙ୍କୁ ସୁରକ୍ଷାକୁ ଅଗ୍ରାଧିକାର ଦେବାକୁ ଦାବୀ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA