କେନ୍ଦୁଝର, ୧୮ ଜୁନ୍ (ହି.ସ.) - ଆଦିବାସୀ ଅଂଚଳରେ ଶୈଶବ ଅପପୁଷ୍ଟିର ସମାଧାନ ପାଇଁ ପୋଷକତତ୍ୱରେ ଭରପୁର ଫସଲ ବୃଦ୍ଧି ଶୀର୍ଷକ ଏକ ଜାତୀୟ ନୀତି ଆଲୋଚନା ଆଜି କେନ୍ଦୁଝର ଅଡିଟୋରିୟମ୍ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକ, ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ, ସରକାରୀ ଅଧିକାରୀ, ଛାତ୍ର ଏବଂ ଚାଷୀ ଏକତ୍ରିତ ହୋଇଥିଲେ।
ସ୍ଥାୟୀ ପୁଷ୍ଟିକର ଖାଦ୍ୟ ଉତ୍ସ ଭାବରେ ଜୈବ ସୁରକ୍ଷିତ ପୋଷକତତ୍ୱରେ ଭରପୁର ଫସଲକୁ ପ୍ରୋତ୍ସାହିତ କରିବା ପାଇଁ ମାର୍ଗଦର୍ଶିକା ବିକଶିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁପୋଷଣ ଓ ରକ୍ତହୀନତା ଦ୍ୱାରା ପ୍ରଭାବିତ କେନ୍ଦୁଝର ପାଇଁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ ଅଟେ।
ଏହି ଆଲୋଚନାକୁ ଭୁବନେଶ୍ୱରର ନାବାର୍ଡ ଆଂଚଳିକ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ତାଲୁକଦାର ଉଦଘାଟନ କରି ନିଜ ଅଭିଭାଷଣରେ ସନ୍ତୁଳିତ ପୁଷ୍ଟିସାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସୁସ୍ଥ ଜୀବନଯାପନ ପାଇଁ ଲୋକମାନଙ୍କୁ ସେମାନଙ୍କ ଖାଦ୍ୟରେ ମିଠା ଆଳୁ ଭଳି ପୋଷକ ତତ୍ୱରେ ଭରପୁର ଖାଦ୍ୟ ସାମିଲ କରିବାକୁ ଅନୁରୋଧ କରିଥିଲେ।
ଥିରୁବନନ୍ତପୁରମର ଭାରତୀୟ କୃଷି ଅନୁସନ୍ଧାନ ପରିଷଦ -କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଜି. ବାଇଜୁ ନିଜ ଅଭିଭାଷଣରେ ଓଡିଶାର ଆଦିବାସୀ ଅଂଚଳ, କେରଳ, ପଶ୍ଚିମବଙ୍ଗ ଏବଂ ଉତର-ପୂର୍ବ ରାଜ୍ୟଗୁଡ଼ିକରେ ଜୈବ ସୁଦୃଢ଼ କନ୍ଦ ଫସଲକୁ ପ୍ରୋତ୍ସାହିତ କରିବାରେ ଓଉଇଜ-ଉଞଉଜଓର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ପ୍ରତିଷ୍ଠାନ ଏପର୍ଯ୍ୟନ୍ତ ସାତଟି ଜୈବ ସୁଦୃଢ଼ କନ୍ଦ ପ୍ରକାର ପ୍ରକାଶ କରିଛି, ଯେଉଁଥିରେ ଭିଟାମିନ୍ ଏ , ଲୌହ ସାର, ଜିଙ୍କ, କ୍ୟାଲସିୟମ ଏବଂ ଆନ୍ଥୋସାୟାନିନ୍ ଭଳି ପ୍ରମୁଖ ସୂକ୍ଷ୍ମ ପୋଷକ ତତ୍ୱରେ ପରିପୁଷ୍ଟ କନ୍ଦମୂଳ ଅନ୍ତର୍ଭୁକ୍ତ।
ଏହି ଅଧିବେଶନଗୁଡ଼ିକରେ ବିନୁ ଚେରିଆନ୍, ହାର୍ଭେଷ୍ଟପ୍ଲସ୍ ଇଣ୍ଡିଆ, ଡକ୍ଟର ସୌରଭ ଭଟ୍ଟାଚାର୍ଯ୍ୟ, ପୁଷ୍ଟିସାର ବିଶେଷଜ୍ଞ, ୟୁନିସେଫ୍ ଓଡ଼ିଶା, ଡକ୍ଟର ରସ୍ମି ଆଭୁଲା, ଗବେଷଣା ଫେଲୋ, ଡକ୍ଟର ଶ୍ରୀନିବାସଲୁ ରାଜେନ୍ଦ୍ରନ୍, କୃଷି ଅର୍ଥନୀତିଜ୍ଞ, ଉଗାଣ୍ଡା, ଡକ୍ଟର କୃଷ୍ଣେନ୍ଦୁ ଚଟ୍ଟୋପାଧ୍ୟାୟ, ପ୍ରମୁଖ ବୈଜ୍ଞାନିକ, ଡକ୍ଟର ଗୋପାଳ ଚୌଧୁରୀ, ସହଯୋଗୀ ପ୍ରଫେସର, କିଟ ବିଶ୍ୱବିଦ୍ୟାଳୟ, ଡକ୍ଟର ଜୋସେଫ୍ ଜନ୍, ପ୍ରଫେସର, ଏମ୍ସ ଭୁବନେଶ୍ୱର, ଡକ୍ଟର ଇ. ଭେଙ୍କଟ ରାଓ, ପ୍ରଫେସର, ସମ ହସ୍ପିଟାଲ, ଭୁବନେଶ୍ୱର, ଡକ୍ଟର ଚନ୍ଦନ ଗୋସ୍ୱାମୀ, ପ୍ରଫେସର, ନାଇଜର, ସୋମେନ୍ଦ୍ର ପାଣିଗ୍ରାହୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, କେନ୍ଦୁଝର ପ୍ରମୁଖ ଯୋଗ ଦେଇ ନିଜ ବହୁମୂଲ୍ୟ ମତ ଦେଇଥିଲେ। କ୍ଷୁଧା ଓ ପୋଷକତତ୍ୱର ଚାହିଦା ମେଣ୍ଟାଇବାକୁ ସକ୍ଷମ ଥିବା ସତ୍ୱେ ଜୈବସୁରକ୍ଷିତ ଫସଲ କିସମର ପ୍ରଚାର ଏବଂ ଗ୍ରହଣୀୟତା ସୀମିତ ରହିଛି। ମୁଖ୍ୟଧାରାର କୃଷି ଏବଂ ଜନସ୍ୱାସ୍ଥ୍ୟ ରଣନୀତିରେ ପୋଷକତତ୍ୱରେ ଭରପୁର ଫସଲକୁ ଏକୀକୃତ କରିବା ପାଇଁ ସ୍କେଲେବଲ୍ ମଡେଲ୍ ଏବଂ ବହୁ-କ୍ଷେତ୍ରୀୟ ସହଯୋଗର ଆବଶ୍ୟକତା ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA