କେନ୍ଦ୍ରାପଡ଼ା, ୧୮ ଜୁନ୍(ହି.ସ.) – କେନ୍ଦ୍ରାପଡ଼ା ଜନଚେତନା ବହୁମୁଖି ସମବାୟ ସମିତି ଲିଃର ବାର୍ଷିକ ସାଧାରଣ ସଭା ଆଜି ସ୍ଥାନୀୟ ଡ଼େଷ୍ଟିନେସନ ମଣ୍ଡପ ଠାରେ ସମିତିର ପରିଚାଳନା ପରିଷଦ ସଭାପତି ତଥା ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିଜ ବକ୍ତବ୍ୟରେ ସଭାପତି ଶ୍ରୀ ଦାସ କହିଥିଲେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସଶକ୍ତ ଓ ଅଗ୍ରଣୀ ସମବାୟ ଅନୁଷ୍ଠାନ ଗୁଡ଼ିକର ମୂଳ ଆଧାର । ଯାହାକୁ ନେଇ କେନ୍ଦ୍ରାପଡ଼ା ଜନଚେତନା ବହୁମୁଖୀ ସମବାୟ ସମିତି ଆଗକୁ ବଢୁଛି ଏବଂ ସ୍ୱଳ୍ପକାଳ ମଧ୍ୟରେ ଅଂଶୀଦାର ସଭ୍ୟ ସଭ୍ୟାଙ୍କର ଆସ୍ଥା ଭାଜନ ହୋଇପାରିଛି । ପ୍ରତ୍ୟେକ ଅଂଶୀଦାର ସଭ୍ୟସଭ୍ୟାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ସମିତି ପ୍ରାଥମିକତା ଦେଉଥିବାବେଳେ ସଭ୍ୟସଭ୍ୟାମାନଙ୍କ ସହଯୋଗ ରହିଲେ ଏହି ସମିତି ଅବିଭକ୍ତ କଟକ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ସମବାୟ ଆନ୍ଦୋଳନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତପ୍ରତ୍ୟେକଙ୍କୁ ଗୌରବର ଅଧିକାରୀ କରିପାରିବ । ସମିତିର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବାକୁ ଯାଇ ସେ କହିଥିଲେ ପରିଚାଳନାରେ ପୂର୍ଣ୍ଣ ସ୍ୱଚ୍ଛତା ସହିତ ସମସ୍ତ ପ୍ରକାର ଜମାରାଶି ଉପରେ ଆକର୍ଷଣୀୟ ସୁଧ ପ୍ରଦାନ ଓ ସରଳ ସୁଧରେ ସହଜ ଋଣ ପ୍ରଦାନ କରିବା ଫଳରେ ସମିତି ସ୍ୱଳ୍ପ କାଳ ମଧ୍ୟରେ ଗତ ଜମା ସଂଗ୍ରହ ରେ ଯଥେଷ୍ଟ ସଫଳତା ହାସଲ କରିପାରିଛି । ମାତ୍ର ୫୮ଜଣ ସଭ୍ୟସଭ୍ୟାଙ୍କୁ ନେଇ ଗଠନ କରାଯାଇଥିବା ଏହି ସମିତିର ସଭ୍ୟସଭ୍ୟାଙ୍କ ସଂଖ୍ୟା ୪ଶହ ଟପି ସାରିଲାଣି । ଏହି ସମୟ ସୀମା ମଧ୍ୟରେ ସମିତି ଶତାଧିକ ଅଂଶୀଦାର ସଭ୍ୟସଭ୍ୟାଙ୍କୁ ଋଣ ଲଗାଣ କରି ସେମାନଙ୍କ ବିକାଶରେ ସାମିଲ ହୋଇପାରିଛି । ସମିତି ପରିଚାଳନା ପରିଷଦର ଅନୁମୋଦନ କ୍ରମେ ସମ୍ପାଦକଙ୍କ ସମେତ ୪ଜଣଙ୍କୁ ନିୟମିତ କର୍ମଚାରୀ ଭାବେ ନିଯୁକ୍ତି ଦେବା ସହିତ ଜଣଙ୍କୁ ଠିକା କର୍ମଚାରୀ ଓ ୩ ଜଣଙ୍କୁ ଜମା ସଂଗ୍ରହକାରୀ ଏଜେ ଭାବେ ଆତ୍ମନିଯୁକ୍ତି ଦେବାରେ ସମର୍ଥ ହୋଇଛି । ଏଥିସହିତ ସମିତି ସାମାଜିକ ପ୍ରତିବଦ୍ଧତା ନେଇ ଜନ ସାଧାରଣଙ୍କ ପାଇଁ କଲ୍ୟାଣକର କାର୍ଯ୍ୟକ୍ରମ ଜାରି ରଖିଛି । ଏହି ସଭାରେ ଉପସଭାନେତ୍ରୀ ରୋଜାଲିନୀ ଦାସ, ନିର୍ଦ୍ଦେଶକ କ୍ଷିରୋଦ ପ୍ରସାଦ ସିଂହ, ସରୋଜକାନ୍ତ ସାହୁ, ଲକ୍ଷ୍ମୀକାନ୍ତ ନାୟକ, ପବିତ୍ର ମୋହନ ସାହୁ, ଝରଣା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପାଦକ ଗଣେଶ ଚନ୍ଦ୍ର ସାମଲ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଯାହା ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ସଭ୍ୟ ସଭ୍ୟାଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ଗୋପାଳ ଚନ୍ଦ୍ର ମହାଳିକ, ହେମନ୍ତ କୁମାର ଜେନା,ବିଜୟ କୁମାର ଲେଙ୍କା,ଗଣେଶ୍ୱର ସାହୁ, ହିରଣ୍ୟ କୁମାର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସମିତିର ସଭ୍ୟସଭ୍ୟାଙ୍କ ପାଇଁ ଉସ୍ôର୍ଗୀକୃତ କାର୍ଯ୍ୟକ୍ରମ ର ଉଚ୍ଚ ପ୍ରଶଂସା କରିବା ସହିତ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହି ଅବସରରେ ବରିଷ୍ଠ ସଭ୍ୟ ଗୋପାଳ ଚନ୍ଦ୍ର ମହାଳିକ ଓ ଗଣେଶ୍ୱର ସାହୁଙ୍କୁ ସମିତି ପକ୍ଷରୁ ସଭାପତି ଶ୍ରୀଦାସ ସମ୍ବର୍ଦ୍ଧିତ କରିଥିଲେ । ସମିତିର ୩ଜଣ ଏଜେଣ୍ଟ ଗୌରାଙ୍ଗ ଚରଣ ବେହୁରା,ମାନସ ରଂଜନ ପାତ୍ର ଓ ମିର୍ଯା ମୁମ୍ତାଜିମ ବେଗ ଙ୍କୁ ସଫଳତା ପାଇଁ ସମ୍ମାନୀତ କରାଯାଇଥିଲା । ପ୍ରାରମ୍ଭରେ ସଭାପତି ଶ୍ରୀଦାସ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି ବାର୍ଷିକ ସାଧାରଣ ସଭାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗୋକୁଳ ଚନ୍ଦ୍ର ସଂଙ୍ଗୀତ ସଦନର କଣ୍ଠଶୀଳ୍ପି ମାନେ ସୁଶ୍ରୀ ଭାନୁପ୍ରିୟା ଖଟୁଆଙ୍କ ନେତୃତ୍ୱରେ ବନ୍ଦେ ଉତ୍କଳ ଜନନୀ ସଂଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମକୁ ଶାଖା ପରିଚାଳକ ରାଜେଶ କୁମାର ବେହେରା, ମାକେର୍ଟି ଏକ୍ଜୁକ୍ୟୁଟିଭ ଅଭୟ କୁମାର ପାତ୍ର, ଉମାକାନ୍ତ ସିଂ, ସହକାରୀ ଅଭିମନ୍୍ୟୁ ନାୟକ ଓ ଉମାକାନ୍ତ କର ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି