ଯୋଡ଼ା, ୧୮ ଜୁନ୍ (ହି.ସ.)– ବଲାଣି ଅଂଚଳର ଗଣମାନ୍ୟ ବ୍ୟକ୍ତିତ୍ୱ, ବରିଷ୍ଠ ନାଗରିକ ଓ ସମାଜସେବୀ ମହେଶ ଚନ୍ଦ୍ର ସିଠଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ଘଟିବାରୁ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ସିଥ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଓ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ।
ତାଙ୍କର ଶାରୀରିକ ଅବସ୍ଥା ବିଗତ ଦୁଇ ଦିନ ଧରି ଅତ୍ୟଧିକ ଗୁରୁତର ହେବାରୁ ସେ ବଲାଣି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ସନ୍ଧ୍ୟା ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ଶ୍ୱାସ ତ୍ୟାଗ କରିଥିଲେ । ମହେଶ ଚନ୍ଦ୍ର ସିଥ ବଲାଣି ଖଣିରେ ଦୀର୍ଘ ବର୍ଷ ଧରି ପ୍ରୋଜେକ୍ଟ ବିଭାଗରେ ଅଧିକାରୀ ଭାବେ ନିଷ୍ଠାପୂର୍ଣ୍ଣ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ତାଙ୍କ ଜୀବନ ଓ ସେବାକାଳ ମଧ୍ୟରେ ସେ ଏକ ସମାଜ ସେବୀ ଭାବରେ ଅଂଚଳରେ ପରିଚିତ ଥିଲେ । ସାଧାରଣ ଲୋକଙ୍କ ସହ ସହଯୋଗ ଓ ଦୁଃଖରେ ସାଥି ହେବାରେ ସେ ସଦା ଆଗୁଆ ଥିଲେ ।
ତାଙ୍କର ମୃତ୍ୟୁ ସମୟରେ ତାଙ୍କର ସହଧର୍ମିଣୀ, ଦୁଇ ପୁଅ, ବୋହୁ, ଝିଅ ଜ୍ୱାଇଁ ଓ ନାତିନାତୁଣୀଙ୍କ ସହିତ ଥିଲେ। ବୁଧବାର ପୁରୀ ସ୍ଥିତ ସ୍ୱର୍ଗଦ୍ୱାରରେ ପରିବାର ବର୍ଗଙ୍କ ଉପସ୍ଥିତିରେ ତାଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଥିଲା ।
ଅଂଚଳର ଅନେକ ବ୍ୟକ୍ତିବିଶେଷ, ସ୍ଥାନୀୟ ନେତା, ପୂର୍ବତନ ସହକର୍ମୀ ଓ ତାଙ୍କ ଶେଷ ଦର୍ଶନ ପାଇଁ ପହଁଚିଥିଲେ । ତାଙ୍କର ପରଲୋକର ଖବର ମିଳିବା ପରେ ବଲାଣି ଅଂଚଳରେ ଶୋକର ଛାୟା ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର/ଶିବାଶିଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ