ଗଂଜାମ, ୧୮ ଜୁନ୍ (ହି.ସ.) - ଗଞ୍ଜାମ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ବୈଠକ ବୁଧବାର ଦିନ ଅତିରିକ୍ତ ଜିଲ୍ଲାପାଳ ଦେବଦତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଉଗଡ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳିନ ବିଭାଗର ଡେପୁଟି କଲେକ୍ଟର ଅଭିଷେକ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଥିଲେ ଯେ, ଗଞ୍ଜାମ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା । ଏଣୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପଡିବ । ପ୍ରାକୃତିକ ବିପର୍ଯ୍ୟୟ ଆସିବାର ଆଗୁଆ ସୂଚନା ବର୍ତମାନ ସମୟରେ ଆମେ ପାଇପାରୁଛେ । ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ହେଲେ ପ୍ରାକ୍ ସତର୍କତା ଓ ସଚେତନତା ନିହାତି ଜରୁରି । ଅତିରିକ୍ତ ଜିଲ୍ଲାପାଳ ଦେବଦତ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେଯେ, ଠିକ୍ ସମୟରେ ଠିକ୍ ପଦକ୍ଷେପ ନେଲେ ବିପର୍ଯ୍ୟୟର ମୁକାବିଲା କରିପାରିବା। ବିପର୍ଯ୍ୟୟ ସମୟରେ ଜନ ସାଧାରଣ କିପରି ନିଜକୁ ତଥା ଗୃହପାଳିତ ପଶୁପକ୍ଷୀଙ୍କୁ ରକ୍ଷା କରିପାରିବେ ସେଥିପ୍ରତି ପ୍ରଚାର ପ୍ରସାର ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ପଡିବ । ଓସଡମାର ସାଧାରଣ ପରିଚାଳିକା ( ଅବଜରଭ)ର୍ ତପସ୍ୱିନୀ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେଯେ, ଗଞ୍ଜାମ ସାଧାରଣତଃ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବେ ଜଣାଶୁଣା । ୧୯୯୯ ମସିହା ଓ ୨୦୧୩ ମସିହାରେ ଦୁଇଦୁଇଟି ବାତ୍ୟାର ମୁକାବିଲା କରିପାରିଛି । ଏଣୁ ସମସ୍ତ ବିଭାଗର ସମନ୍ୱୟ ରହିଲେ ଏହି ବିପର୍ଯ୍ୟୟକୁ ସହଜରେ ମୁକାବିଲା କରିପାରିବା ବୋଲି କହିଥିଲେ । ବର୍ତମାନ ସମୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ଏତେ ଉନ୍ନତ ଯେ, ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପୂର୍ବରୁ ପ୍ରାକ୍ ସୂଚନା ପାଇପାରୁଛୁ । ଯାହା ଫଳରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିପାରୁଛେ ।
ସମସ୍ତ ବ୍ଲକ୍ ସ୍ତରରେ ଓ ସହରାଂଚଳରେ ଆଜି ଅପରାହ୍ନରେ ଟେବୁଲ୍ ଟପ୍ ଅଭ୍ୟାସ କାର୍ଯ୍ୟକ୍ରମ କରାଯିବ। ସେହିପରି ଆସନ୍ତା କାଲି ଜିଲ୍ଲାର ସମସ୍ତ ୧୧୦ ଗୋଟି ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଅନୁଷ୍ଠିତ ହେବ । ସେଥିରେ ଦୈବୀ ଦୁର୍ବିପାକରୁ କିଭଳି ରକ୍ଷା ପାଇପାରିବେ ତାହା ପ୍ରଦର୍ଶନ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ସତର୍କତା ଅବଲମ୍ବନ କରାଯିବ ତାହା ଜନ ସାଧାରଣଙ୍କୁ ପ୍ରଦର୍ଶିତ କରି ସଚେତନ କରାଯିବ । ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା, ଓ ଚିକିଟି ବ୍ଲକ୍ ରେ ସୁନାମୀ ପ୍ରବଣ କାର୍ଯ୍ୟକ୍ରମ ଚାଲୁ ରହିଛି । ରଙ୍ଗେଇଲୁଣ୍ଡାବ୍ଲକ୍ ର ଭେଙ୍କଟ ରାଇପୁର ଗ୍ରାମ କୁ ୨୦୨୦ ମସିହାରେ ସୁନାମୀ ରେଡି ମାନ୍ୟତା ମିଳିଛି । ୨୦୨୪ ମସିହାରେ ଗଞ୍ଜାମ ଜିଲ୍ଲାର ୪ ଗୋଟି ଗ୍ରାମ ଯଥା- ପ୍ରୟାଗୀ, କଂଟିଆଗଡ, ଉପୁଲାପୁଟି ଓ ମାର୍କଣ୍ଡି ସୁନାମୀ ରେଡି ମାନ୍ୟତା ପାଇଛି । ସେହିପରି ୨୦୨୫ ମସିହାରେ ୩ଗୋଟି ବ୍ଲକ୍ର ୧୦ ଗୋଟି ଗ୍ରାମକୁ ସୁନାମୀ ରେଡି ପାଇଁ ଯୋଜନା ରହିଛି । ବଜ୍ରପାତ ଓ ସର୍ପାଘାତରୁ ରକ୍ଷା ପାଇବା ପାଇଁ ମଧ୍ୟ ସଚେତନତା ହିଁ ଜରୁରି ହୋଇ ପଡିଛି ।
ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ସମୟରେ ବିଭିନ୍ନ ବିଭାଗକ କାର୍ଯ୍ୟଶୈଳୀ ବିଷୟରେ ସମସ୍ତ ଲାଇନ୍ ବିଭାଗୀୟ କର୍ମକର୍ତାଙ୍କ ଠାରୁ ପଚାରି ବୁଝିଥିଲେ। ଏଥିରେ ସମସ୍ତ ଲାଇନ୍ ବିଭାଗ ଯଥା – ଜିଲ୍ଲା ଜରୁରୀକାଳିନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଜଳସେଚନ, ପୂର୍ତ, ଅଗ୍ନିଶମ ସେବା ବିଭାଗ, ଶକ୍ତି ବିଭାଗ, ସାଧାରଣ ବଣ୍ଟନ ବିଭାଗ, ପଶୁ ସମ୍ପଦ, ରାସ୍ତା ଓ କୋଠାବାଡି, ଆରକ୍ଷୀ ବିଭାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଇତ୍ୟାଦି ଯୋଗଦେଇ ନିଜ ନିଜ ବିଭାଗକ କାର୍ଯ୍ୟଶୈଳୀ ବୁଝାଇଥିଲେ । ବିପର୍ଯ୍ୟୟ ସମୟରେ ସମସ୍ତ ସ୍ୱେଚ୍ଛାସେବୀ ସଂଗଠନ, ରେଡକ୍ରସ୍ ସଂସ୍ଥା, ଲୋକ ପ୍ରତିନିଧି, ଏନ.ଡି.ଆର.ଏଫ୍., ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ସେବା ବିଭାଗ ଏବଂ ରାଜ୍ୟ ସ୍ତରରୁ ଓସଡମା, ଏସ୍.ଆ.ର୍ସି. ଆଦି କର୍ମଚାରୀଗଣ କିଭଳି ସେବା ଯୋଗାଇବେ ତାହା ବର୍ଣ୍ଣନା କରିଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ ପଣ୍ଡା, ଓସଡମାର ସାଧାରଣ ପରିଚାଳିକା ( ଅବଜରଭ)ର୍ ତପସ୍ୱିନୀ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଜରୁରୀକାଳିନ ବିଭାଗର ଡେପୁଟି କଲେକ୍ଟର ଅଭିଷେକ ସାହୁ ମଂଚାସୀନ ଥିବାବେଳେ ଓସ୍ଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ଓ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଗଣ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ