ଭୁବନେଶ୍ୱର, 18 ଜୁନ୍ (ହି.ସ.)
- ତାଳଚେର
ପବିତ୍ର ମୋହନ ମେଡିକାଲ କଲେଜକୁ ନେଇ ବିଜେଡ଼ି ରାଜନୀତିକରଣ କରିବା ଦୁର୍ଭାଗ୍ୟଜନକ । କିଛି ନ
ବୁଝି କିଛି ନ ଜାଣି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ତାଳଚେରର ବିଜେଡ଼ି ବିଧାୟକ ଓ ତାଙ୍କ ଦଳର
ପୂର୍ବତନ ସାଂସଦ ତାଳଚେରବାସୀଙ୍କ ମଧ୍ୟରେ ଯେଉଁ ଭ୍ରମ ତିଆରି କରିବା ପାଇଁ ଚାହୁଁଛନ୍ତି ତାହାକୁ
ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି ବୋଲି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରକାଶ
କରିଛନ୍ତି |
ବିଜେଡ଼ି ନେତାମାନେ
ଜାଣିରଖିବା ଉଚିତ୍ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଯୋଗୁଁ ତାଳଚେରରେ ଏହି
ମେଡିକାଲର ସ୍ୱପ୍ନ ପୂରଣ ହୋଇପାରିଛି । ତାଙ୍କର ଉଦ୍ୟମ କାରଣରୁ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ
ଉଦ୍ୟୋଗ ଏମସିଏଲ ପୁରୁଣା ମେଡିକାଲ କଲେଜର ଅପଗ୍ରେଡେସନ ପାଇଁ ୫୦୦ କୋଟି, ନୂଆ ମେଡିକାଲ କଲେଜ ପାଇଁ ୫୦୦ କୋଟି ଓ ମେଡିକାଲକୁ ୫ ବର୍ଷ
ପର୍ଯ୍ୟନ୍ତ ଚଲାଇବା ପାଇଁ ପ୍ରାୟ ୬୨୮ କୋଟି ଟଙ୍କା ଅର୍ଥାତ୍ ସର୍ବମୋଟ ୧୬୨୮ କୋଟିରୁ ଅଧିକ
ଟଙ୍କା ଖର୍ଚ୍ଚ କରିଛନ୍ତି ।
ତାଳଚେର ପବିତ୍ର ମୋହନ
ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ପାଇଁ
ବିଜେଡ଼ି ସରକାର କେବେ ବି ଆଗ୍ରହ ପ୍ରକାଶ କରିନାହିଁ । ବିଜେଡ଼ିର ବୈମାତୃକ ମନୋଭାବ ଓ
ଇଚ୍ଛାଶକ୍ତି ଅଭାବରୁ ଦୀର୍ଘ ବର୍ଷ ଧରି ତାଳଚେରବାସୀ ଉତ୍ତମ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ଥିଲେ ।
ଆମ ସରକାର କ୍ଷମତାକୁ ଆସିବା ପରେ ତାଳଚେର ମେଡିକାଲ କଲେଜ ସହିତ ଜଡ଼ିତ କାର୍ଯ୍ୟ ସମ୍ପୂର୍ଣ୍ଣ
ହୋଇଛି ।
ଓଡ଼ିଶା ସରକାରଙ୍କ
ତତ୍ପରତା ସ୍ୱରୂପ - ଓଡ଼ିଶା ୟୁନିଭରସିଟି ଅଫ୍ ହେଲଥ୍ ସାଇନ୍ସ, ଭୁବନେଶ୍ୱର ତାଳଚେର କଲେଜରେ ୨୦୨୫-୨୬ରୁ ୧୦୦ ଏମବିବିଏସ ସିଟ୍ ଆରମ୍ଭ
କରିବା ପାଇଁ ମଞ୍ଜୁର ଦେଇଛି । ଡିନ୍, ପ୍ରିନ୍ସପାଲ, ସୁପରିନଟେଡେଣ୍ଟ୍ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି । ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ସହ ଅନ୍ୟାନ୍ୟ ପଦପଦବୀ ଓ ଆନୁଷଙ୍ଗିକ କାମ
ପୂରଣ ହୋଇଛି । ଏହି ମେଡିକାଲ ପାଇଁ ଜାତୀୟ ମେଡିକାଲ ପରିଷଦର ଆନୁଷ୍ଠାଠିକ ଯାଞ୍ଚ ପ୍ରକ୍ରିୟା ଚାଲୁରହିଥିବା ବେଳେ
ଖୁବ ଶୀଘ୍ର ଚାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ।
ବିଜେଡ଼ି ପକ୍ଷରୁ ଏହି
ପ୍ରସଙ୍ଗରେ ଧାରଣା ଓ ବନ୍ଦ ଡାକରା ପାଇଁ ଯେଉଁ ଆହ୍ୱାନ କରାଯାଇଛି, ତାହା ଦ୍ୱାରା ମେଡିକାଲ କାର୍ଯ୍ୟକ୍ଷମ ପ୍ରକ୍ରିୟାରେ ବିଳମ୍ବ ହେବ ।
ତାଳଚେର ବିଧାୟକ ଏବଂ ବିଜେଡ଼ି ନେତାମାନେ ଭୂତ ହୋଇ ଲାଗିବା, ଗୁଣିଆ ହୋଇ ଛଡାଇବା ଭଳି କାମ ବନ୍ଦ କରନ୍ତୁ । ବିଜେଡ଼ିର ଏପରି ହୀନ
ରାଜନୀତିକୁ ତାଳଚେରବାସୀ ସଫଳ ହେବାକୁ ଦେବେ ନାହିଁ । ମା’ ହିଙ୍ଗୁଳା ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ସାଂସଦ ଶ୍ରୀ ପାଣି ଏକ
ପ୍ରେସ ବାର୍ତ୍ତା ରେ ପ୍ରକାଶ କରିଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା