ନୂଆଦିଲ୍ଲୀ, 19 ଜୁନ୍ (ହି.ସ.)- ଭାରତର ‘ଅପରେସନ୍ ସିନ୍ଧୁ’ ଅନ୍ତର୍ଗତ ଯୁଦ୍ଧଗ୍ରସ୍ତ ଇରାନରୁ
ଉଦ୍ଧାର କରାଯାଇଥିବା 110 ଜଣ ଭାରତୀୟ ଛାତ୍ର ସକୁଶଳେ ଦେଶରେ ପହଞ୍ଚିଛନ୍ତି। ସେମାନଙ୍କୁ
ପ୍ରଥମେ ଇରାନରୁ ଅର୍ମେନିଆକୁ ନିଆଯାଇଥିଲା ଓ ଏଠାରୁ ବିମାନ ମାଧ୍ୟମରେ ନୂଆଦିଲ୍ଲୀକୁ
ଆଣାଯାଇଛି। ସେମାନଙ୍କର ପ୍ରଥମ ଉଡାଣ ଆଜି ସକାଳେ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ଇରାନ୍ ସ୍ଥିତ
ଭାରତୀୟ ଦୂତାବାସ ଏହି ଛାତ୍ରମାନଙ୍କୁ ଅର୍ମେନିଆ ପହଞ୍ଚେଇବାରେ ସହଯୋଗ କରିଛି। ନିଜ
ସନ୍ତାନଙ୍କୁ ସୁରକ୍ଷିତ ଦେଖି ଘରଲୋକେ ଖୁସିରେ ଝୁମିଉଠିଛନ୍ତି। ଏହି ଛାତ୍ରମାନଙ୍କ ଅଧିକାଂଶ
ଜମ୍ମୁ-କଶ୍ମୀରର ବୋଲି ସୂଚନା ମିଳିଛି।
ଇରାନରୁ ନିଜ ଦେଶରେ ପହଞ୍ଚିଥିବା ଛାତ୍ର ୟାସିର ଗଫ୍ଫାର କହିଛନ୍ତି ଯେ ସେ ନିଜ ଦେଶକୁ ଆସି
ବହୁତ ଖୁସି ଅନୁଭବ କରୁଛନ୍ତି। ଇରାନର ସ୍ଥିତି ଆଦୌ ଠିକ୍ ନାହିଁ । ଛାତ୍ରୀ ଗଜଲ ଏହା ପାଇଁ
ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଇଛନ୍ତି। ମରିୟମ୍ ରୋଜ୍ କହିଛନ୍ତି ଯେ ଭାରତୀୟ ଦୂତାବାସ ବହୁତ
ସାହାଯ୍ୟ କରିଛି ଓ କୌଣସି ପ୍ରକାରର ଅସୁବିଧା ହେବାକୁ ଦେଇନାହିଁ। ସେମାନେ ତିନି ଦିନର ଯାତ୍ରା
ପରେ ନିଜ ଦେଶରେ ପହଞ୍ଚିଛନ୍ତି।
ଜମ୍ମୁ-କଶ୍ମୀର ଛାତ୍ର ସଂଘ ଉଦ୍ଧାର ଅଭିଯାନ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛି। ଛାତ୍ର ସଂଘ କହିଛି ଯେ ଆଶା
କରାଯାଉଛି ଯେ ଅନ୍ୟ ଛାତ୍ରମାନଙ୍କୁ ମଧ୍ୟ ଶୀଘ୍ର ଏଠାରୁ ଉଦ୍ଧାର କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା