ସୁବର୍ଣ୍ଣପୁର, ୨୦ ଜୁନ୍ (ହି.ସ.)-
ଓଡ଼ିଶାର ଜୀବନ ରେଖା ମହାନଦୀ ଜଳ ବିବାଦ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଥିଲେ ହେଁ ତାର ସମାଧାନ ସହିତ ତାର ସୁରକ୍ଷା ଦିଗରେ ରାଜ୍ୟର ମୋହନ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଗୁରୁବାର ଅପରାହ୍ନରେ ବିନିକା ସ୍ଥିତ ଚନ୍ଦ୍ରମା ସଭାଗୃହ ଠାରେ ମହାନଦୀ ବଞ୍ଚାଅ ସମସ୍ୟାକୁ ନେଇ ଅନୁଷ୍ଠିତ ଆଲୋଚନାଚକ୍ର ଓ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ ଉପସ୍ଥିତ ପତ୍ରକାର ଓ ଅଞ୍ଚଳର ସଚେତନ ନାଗରିକଙ୍କୁ ଆହ୍ବାନ ଦେଇଥିଲେ। ବିଶିଷ୍ଟ ସମାଜସେବୀ ଗୌରୀଶ୍ୟାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଶ୍ରୀ ଦାସ କହିଥିଲେ ଯେ ଆମ ଜୀବନରେଖା ମହାନଦୀ ଆଜି ଗଭୀର ସଙ୍କଟରେ ଗତି କରୁଛି ।ଦିନକୁ ଦିନ ନଦୀର ପ୍ରବାହ ଯେମିତି କମି ଯାଉଛି ସେଭଳି ମାତ୍ରାରେ ଏହାର ଜଳ ପ୍ରଦୂଷିତ ହେବାରେ ଲାଗିଛି। ଛତିଶଗଡ ମହାନଦୀର ଉପର ମୁଣ୍ଡରେ ମହାନଦୀ ଜଲକୁ ଅଟକାଇ ଦେଇଥିବାରୁ ଏହାର ଜଳ କ୍ଷମତା କମି କମି ଯାଉଥିବାରୁ ଆଗାମୀ ଦିନରେ ଆମ ରାଜ୍ୟବାସୀଙ୍କ ପାଇଁ ଜଳ ସଙ୍କଟ ସମସ୍ୟା ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ । ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ନିକଟ ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ ।ତେଣୁ ବର୍ତ୍ତମାନ ଟ୍ରିପଲ୍ ଇଞ୍ଜିନ ସରକାର(ଓଡ଼ିଶା,ଛତିଶଗଡ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମାଧାନ କରିବାକୁ ଅନୁଷ୍ଠିତ ଆଲୋଚନାଚକ୍ରରେ ଦାବୀ କରାଯାଇଛି । ସେହିପରି କଳକାରଖାନା ଗୁଡ଼ିକର ଦୂଷିତ ଜଳ ଓ ବର୍ଜ୍ୟବସ୍ତୁ ମହାନଦୀ ପାଣିରେ ମିଶି ଅଧିକ ମାତ୍ରାରେ ପ୍ରଦୂଷିତ ହେଉଛି ।ଫଳରେ ଲୋକେ ସ୍ୱାନ କରିବା ସମ୍ଭବ ହେଉନାହିଁ, ଦୂଷିତ ଜଳ ଯୋଗୁଁ ଅନେକ ଜଳଚର ଜୀବ ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ପାଣି ମଧ୍ୟ ବ୍ୟବହାର ଉପଯୋଗୀ ହେଉନାହିଁ । ତେଣୁ ଯେଉଁ ମାନେ ମହାନଦୀକୁ କଳକାରଖାନାରୁ ନିର୍ଗତ ଦୂଷିତ ଜଳ ଛାଡୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଥିଲା । ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିନିକା ଏନଏଏସି ଉପାଧ୍ୟକ୍ଷ ତପସ୍ଵିନୀ ମେହେର, ଯୁବ ଆଇନଜୀବୀ ପ୍ରଶାନ୍ତ ଦଣ୍ଡସନା, ରାଜ୍ୟ ସଂଯୋଜକ ବିଜୟ ପ୍ରଧାନ, ଜିଲ୍ଲା ପରିଷଦ ଲବ କୁମାର ସାହୁ, ଯୁବ ନେତା ପ୍ରଦୀପ ସେଠୀ, ଅବସରପ୍ରାପ୍ତ କର୍ମଚାରୀ ମାନ ଗୋବିନ୍ଦ ମେହେର, ନୀଳାଚଳ ମେହେର, କାଉନ ସିଲର ପ୍ରଦୀପ ବାଘ, ବିଜୟ ବରାଇ, ସମାଜସେବୀ ଦିପାନ୍ନୀତା ମାହାଣା, କ୍ଷୀର ସାଗର ବିଭାର ପ୍ରମୁଖ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ପରେ ଦଳମତ ନିର୍ବିଶେଷରେ ଉପସ୍ଥିତ ଥିବା ସମସ୍ତ ସଚେତନ ନାଗରିକଙ୍କ ନିଷ୍ପତି କ୍ରମେ ମହାନଦୀ ବଞ୍ଚାଅ ସୁବର୍ଣ୍ଣପୁର ଶାଖା ଗଠିତ ହୋଇଥିଲା । ଆସନ୍ତା ଜୁଲାଇ ମାସରେ ମୁକ୍ତିତୀର୍ଥ ପାପକ୍ଷୟ ଠାରେ ମହାନଦୀ ବଞ୍ଚାଅ ସମ୍ମିଳନୀ କରାଯିବ ବୋଲି ଆବାହକ ସୁଦର୍ଶନ ଦାସ ଘୋଷଣା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ