ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ଦଳିତଙ୍କୁ ପଶୁ ପରି ବ୍ୟବହାର କରାଯାଉଛି-ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି
ଭୁବନେଶ୍ୱର, ୨୩ ଜୁନ (ହି.ସ.) – ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ସୋମବାର ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ବୁଲୁ ନାଏକ ଓ ବାବୁଲା ନାଏକ ଦୁଇଜଣ ଦଳିତ ବ୍ୟକ୍ତିଙ୍କୁ ଗୋଚାଲାଣର ମିଥ୍ୟା ଅଭିଯୋଗ ଲଗାଇ ଯେଉଁଭଳି ଭାବରେ
ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ଦଳିତଙ୍କୁ ପଶୁ ପରି ବ୍ୟବହାର କରାଯାଉଛି-ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି


ଭୁବନେଶ୍ୱର, ୨୩ ଜୁନ (ହି.ସ.) – ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ସୋମବାର ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ବୁଲୁ ନାଏକ ଓ ବାବୁଲା ନାଏକ ଦୁଇଜଣ ଦଳିତ ବ୍ୟକ୍ତିଙ୍କୁ ଗୋଚାଲାଣର ମିଥ୍ୟା ଅଭିଯୋଗ ଲଗାଇ ଯେଉଁଭଳି ଭାବରେ ବର୍ବୋରଚିତ ଅତ୍ୟାଚାର କରାଗଲା, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ଅମାନବୀୟ ଘଟଣା। ଏହି ଘଟଣାକୁ ତିନିଦିନ ବିତି ଯାଇଥିଲେ ମଧ୍ୟ ଅପରାଧିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଦୁର୍ଭାଗ୍ୟଜନକ ଓ ବିଜେପି ସରକାର ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ଦୁଇଜଣ ବ୍ୟକ୍ତି ନିଜ ଝଅ ବିବାହରେ ଯୌତୁକ ଦେବା ପାଇଁ ନିକଟସ୍ଥ ହରିପୁର ଗ୍ରାମରୁ ତିନୋଟି ଗାଈ କିଣି ଘରକୁ ଫେରୁଥିବା ବେଳେ ବାଟରେ ଖରିଗୁମ୍ମାଠାରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏହାକୁ ଗୋଚାଲାଣର ଆଖ୍ୟା ଦେଇ ସେମାନଙ୍କୁ ବଟି ମାଗିଥିଲେ। ସେମାନେ ବଟି ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ଜୋର ଜବରଦସ୍ତ ଅର୍ଦ୍ଧ ଲଣ୍ଡିତ କରାଯାଇ ଦୁଇ କିଲୋମିଟର ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଚାଲିବାକୁ ବାଧ୍ୟ କରାଯାଇଥିଲା ଏବଂ ସେମାନଙ୍କ ପାଖରେ ଥିବା ସମସ୍ତ ଟଙ୍କାକୁ ଛଡ଼ାଇ ନିଆଯାଇଥିଲା। ଦୁର୍ବୃତ୍ତମାନଙ୍କ ଭୟରେ ଦୁଇ ଦଳିତ ବ୍ୟକ୍ତି ଆଣ୍ଠେଇ ଆଣ୍ଠେଇ ଚାଲିବାକୁ ବାଧ୍ୟ ହୋଇଥିଲେ। ଯନ୍ତ୍ରଣା ସେତିକିରେ ରହିନଥିଲା, ସେହି ନିରୀହ ଦଳିତ ବ୍ୟକ୍ତି ଦୁଇଜଣଙ୍କୁ ଘାସ ଖାଇବାକୁ ଏବଂ ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରାଯାଇଥିଲା। ସେମାନଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ ମଧ୍ୟ କରାଯାଇଥିଲା। ଆଜିର ଦୁନିଆରେ ଏହା ଏକ ବିରଳ ଘଟଣା। ଗୋରକ୍ଷକ ନାମରେ କିଛି ଅସାମାଜିକ ବ୍ୟକ୍ତି ନିରୀହ ଲୋକଙ୍କୁ ଅତ୍ୟାଚାର କରୁଥିବା ବେଳେ ବଜେପି ସରକାର ପୀଡ଼ିତଙ୍କୁ ନ୍ୟାୟ ଦେବା ତ ଦୂରର କଥା, ବରଂ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି।

ଦଳିତ ଓ ଆଦିବାସୀଙ୍କ ପାଇଁ ଲୁହ ଗଡ଼ାଉଥିବା ମୋହନ ସରକାର କାହିଁକି ଚୁପ୍ ରହିଛନ୍ତି? ଏମାନେ ଗୋରକ୍ଷକ ନା ଗୋରକ୍ଷା ନାମରେ ଡକାୟତି କରୁଛନ୍ତି? ଦୁଇଜଣ ଦଳିତ ବ୍ୟକ୍ତି ହିନ୍ଦୁ ଏବଂ ସେମାନଙ୍କର ଗୋମାତା ପ୍ରତି ଶ୍ରଦ୍ଧା ସମ୍ମାନ ରହିଛି। ଭାରତୀୟ ଜନତା ପାର୍ଟି ଏବଂ ତାର ସରକାର ଗୋରକ୍ଷକ ବୋଲି ଯେଉଁ ନାଟକବାଜି କରୁଛନ୍ତି ସେଥିରେ ଘଟଣା ସହ ସମ୍ପୃକ୍ତ ନଥିବା ନିରୀହ ଲୋକ ବଳି ପଡ଼ିଯାଉଛନ୍ତି। ପ୍ରକୃତରେ ବିଜେପି ସରକାରର ବା ଦଳର ଗୋମାତା ପ୍ରତି ସମ୍ମାନ ନାହିଁ। ବିଜେପି ସରକାରରେ କିଛି ସ୍ୱତନ୍ତ୍ର ଗୋଷ୍ଠୀ ଗୋରକ୍ଷକ ନାମରେ ବଟି ଆଦାୟ କରିବା ଏକ ନିତିଦିନିଆ ଘଟଣା ହୋଇଯାଇଛି ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଛନ୍ତି। ଏହି ଘଟଣାରେ ସମ୍ପର୍କରେ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲିକାର୍ଜୁନ ଖଡ଼ଗେ, ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ଜେନା ଦୃଢ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande