ଭୁବନେଶ୍ୱର, ୨୩ ଜୁନ (ହି.ସ.)- ଧୈର୍ଯ୍ୟ, ସାହସ ଏବଂ ଉପଯୁକ୍ତ ମାର୍ଗଦର୍ଶନ ଦ୍ୱାରା ନିଶା ନିବାରଣ ସମ୍ଭବ ହୋଇପାରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି। ସୋମବାର ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ନିଶା ନିବାରଣ ସଂପର୍କିତ ସଚେତନତା ଅଭିଯାନରେ ଉଦ୍ବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି। ନିଜ ଉଦ୍ବୋଧନରେ ରାଜ୍ୟପାଳ କହିଥିଲେ ଯେ ନିଶା ନିବାରଣ ଏକ ଶୀଘ୍ର ସମାଧାନର ପ୍ରସଙ୍ଗ ନୁହେଁ। ନିଶା ନିବାରଣ ପାଇଁ ସମୟ, ସାହସ, ପରିବାରର ଭୂମିକା, ଗୋଷ୍ଠୀ ସଚେତନତା ଏବଂ ପ୍ରାରମ୍ଭରୁ ହସ୍ତକ୍ଷେପ ରହିଲେ ଲୋକମାନେ ନିଶାଠୁ ଦୂରେଇ ନିଜ ଜୀବନକୁ ପୁନଃ ନିର୍ମାଣ କରିପାରିବେ। ନିଶା ନିବାରଣ ସମସ୍ୟା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଚିନ୍ତା ପ୍ରକାଶ କରି ରାଜ୍ୟପାଳ କହିଛନ୍ତି ଯେ ଏହା କେବଳ ବ୍ୟକ୍ତିଙ୍କୁ ନୁହେଁ ବରଂ ସେମାନଙ୍କ ପରିବାର ଏବଂ ସମାଜକୁ ମଧ୍ୟ ପ୍ରଭାବିତ କରେ। ନିଶା ସ୍ୱାସ୍ଥ୍ୟକୁ କ୍ଷତି ପହଂଚାଏ, ସମ୍ପର୍କ ଭାଙ୍ଗେ ଏବଂ ସାମାଜିକ ଓ ଆଇନଗତ ସମସ୍ୟା ସୃଷ୍ଟି କରେ। ତଥାପି ସଠିକ ସାହାଯ୍ୟ ଏବଂ ଚିକିତ୍ସା ଦ୍ୱାରା ଆରୋଗ୍ୟ ସମ୍ଭବ। ରାଜ୍ୟପାଳ ପୁଣି କହିଛନ୍ତି ଯେ ଚାପ, ସାଙ୍ଗସାଥିଙ୍କ ଚାପ, ମାନସିକ ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା କୌତୁହଳ ଯୋଗୁଁ ଲୋକମାନେ ନିଶାଗ୍ରସ୍ତ ହୋଇ ସମୟକ୍ରମେ ନିଶା ଉପରେ ନିର୍ଭରଶୀଳ ହୋଇଯାଆନ୍ତି ଏବଂ ନିଶା ଛାଡ଼ି ପାରନ୍ତି ନାହିଁ। ନିଶାଦ୍ରବ୍ୟ ଅପବ୍ୟବହାରର ଜାଲରେ ଯୁବପିଢ଼ିଙ୍କୁ ଫସିବାରୁ ରୋକିବା ପାଇଁ ପରିବାରର ଦୃଢ଼ ସମର୍ଥନ, ବ୍ୟାପକ ଗୋଷ୍ଠୀ ସଚେତନତା ଏବଂ ପ୍ରାରମ୍ଭିକ ହସ୍ତକ୍ଷେପର ଗୁରୁତ୍ୱ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଡିଆଇଜି, ଏସଟିଏଫ୍ ପିନାକ ମିଶ୍ର ନିଜ ବକ୍ତବ୍ୟରେ ବର୍ଦ୍ଧିତ ନିଶା ସମସ୍ୟା, ଏହାକୁ ହ୍ରାସ କରାଯିବା ନିମନ୍ତେ ସରକାରୀସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରୟାସ ଏବଂ ଏହାର ସମାଧାନର ଉପାୟ ଉପରେ ଆଲୋକପାତ କରିଥିଲେ। ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଚଂ ବିନୟତୋଷ ମିଶ୍ର, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ଓ ରାଜଭବନର ଅଧିକାରୀ ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା