ସାଇବର ସୁରକ୍ଷା ପାଇଁ ବ୍ୟାପକ ଜନସଚେତନତା ଏକାନ୍ତ ଆବଶ୍ୟକ – ରାଜ୍ୟପାଳ
ଭୁବନେଶ୍ୱର, ୨୩ ଜୁନ (ହି.ସ.)- ସଂପ୍ରତି ବିଶ୍ୱରେ ସାଇବର ଅପରାଧ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଛି ଏବଂ ସାଇବର ସୁରକ୍ଷା ବ୍ୟକ୍ତି, ସଂଗଠନ ଏବଂ ସରାକରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଣୁ ସାଇବର ସୁରକ୍ଷା ପାଇଁ ବ୍ୟାପକ ଜନସଚେତନା ଏକାନ୍ତ ଆବଶ୍ୟକ ବୋଲି ରାଜ
ସାଇବର ସୁରକ୍ଷା ପାଇଁ ବ୍ୟାପକ ଜନସଚେତନତା ଏକାନ୍ତ ଆବଶ୍ୟକ – ରାଜ୍ୟପାଳ


ଭୁବନେଶ୍ୱର, ୨୩ ଜୁନ (ହି.ସ.)- ସଂପ୍ରତି ବିଶ୍ୱରେ ସାଇବର ଅପରାଧ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଛି ଏବଂ ସାଇବର ସୁରକ୍ଷା ବ୍ୟକ୍ତି, ସଂଗଠନ ଏବଂ ସରାକରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଣୁ ସାଇବର ସୁରକ୍ଷା ପାଇଁ ବ୍ୟାପକ ଜନସଚେତନା ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି।

ସୋମବାର ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ “ସାଇବର ସୁରକ୍ଷା” ସଂପର୍କିତ ସଚେତନତା ଅଭିଯାନରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି। ନିଜ ଉଦ୍‌ବୋଧନରେ ରାଜ୍ୟପାଳ କହିଥିଲେ ଯେ, ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ବିକଶିତ ହେବା ଏବଂ ଇଂଟରନେଟ୍ ଉପରେ ଆମର ନିର୍ଭରଶୀଳତା ବୃଦ୍ଧି ପାଇବା ସହିତ ଭର୍ଚୁଆଲ କ୍ଷେତ୍ରରେ ଥିବା ବିପଦଗୁଡିକ ମଧ୍ୟ ବୃଦ୍ଧି ପାଉଛି। ବ୍ୟକ୍ତିଗତ ସ୍ମାର୍ଟ ଫୋନ ଏବଂ ବ୍ୟାଙ୍କିଗ୍ ସିଷ୍ଟମରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ଏବଂ ଜାତୀୟ ପ୍ରତିରକ୍ଷା ନେଟ୍‌ୱାର୍କ ପର୍ଯ୍ୟନ୍ତ ସବୁକିଛିକୁ ଟାର୍ଗେଟ୍ କରି ସାଇବର ଆକ୍ରମଣ ବାରମ୍ବାର ହେଉଛି। ଏହି ଆକ୍ରମଣ ଆର୍ଥିକ କ୍ଷତି, ତଥ୍ୟ ଚୋରି, ସମ୍ମାନ ହାନି ଏବଂ ଜାତୀୟ ସୁରକ୍ଷା ପ୍ରତି ବିପଦ ମଧ୍ୟ ସୃଷ୍ଟି କରିପାରିବ। କେବଳ ପ୍ରଯୁକ୍ତିବିଦ୍ୟା ସାଇବର ସୁରକ୍ଷାର ଗ୍ୟାରେଂଟି ଦେଇ ପାରିବ ନାହିଁ। ମଣିଷର ତ୍ରୁଟି ସୁରକ୍ଷା ଉଲଂଘନର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ। ତେଣୁ ସୁରକ୍ଷିତ ଅନଲାଇନ୍ ବ୍ୟବହାର ବିଷୟରେ ଶିକ୍ଷା ଏବଂ ସଚେତନତା ଜରୁରୀ ହୋଇପଡିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଂଚ ବିନୟତୋଷ ମିଶ୍ର ସାଇବର ଅପରାଧ ଏବଂ ସାଇବର ସୁରକ୍ଷାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରି ଅବଗତ କରାଇଥିଲେ। ଅତିରିକ୍ତ ଏସ୍‌.ପି ସିବି-ସିଆଇଡି ରିତେଶ ମହାପାତ୍ର ବିଭିନ୍ନ ପ୍ରକାରର ସାଇବର ଅପରାଧ ସଂପର୍କରେ ଅବଗତ କରାଇବା ସହ ସାଇବର ସୁରକ୍ଷା ପାଇଁ ଉପଲବ୍ଧ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ, ଡିଆଇଜି ପୋଲିସ୍‌-ଏସ୍‌ଟିଏଫ୍ ପିନାକ ମିଶ୍ରଙ୍କ ସମେତ ରାଜଭବନର ଅଧିକାରୀ / କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande