କେନ୍ଦୁଝର, ୨୪ ଜୁନ୍ (ହି.ସ.)- ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଆନୁକୂଲ୍ୟରେ ବଜ୍ରପାତରୁ ସୁରକ୍ଷା ତଥା ବିଜୁଳି, ଘଡ଼ଘଡ଼ି ସମୟରେ ସଚେତନ ହେବା ନିମନ୍ତେ ଏକ ପ୍ରଚାର ରଥର ଶୁଭାରମ୍ଭ ହୋଇଛି। ଏହାକୁ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ଵିଶାଲ ସିଂହ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି I ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ, ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ଗସ୍ତ କରି ଲୋକଙ୍କୁ ସଚେତନ କରିବା ସହ ସାମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ, ଘଡ଼ଘଡ଼ି, ବିଜୁଳି ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନନେବା, ଖୋଲା ପଡ଼ିଆ ବା କ୍ଷେତରେ ନ ରହିବା, ବିଜୁଳି ମାରିବା ସମୟରେ ବାହାରକୁ ନ ବାହାରିବା, ଘରେ ଥିବା ବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ି କରି ରହିବା ଓ ଅନ୍ୟାନ୍ୟ ସାବଧାନତା ଉପରେ ଲୋକଙ୍କୁ ପ୍ରଚାର ମାଧ୍ୟମରେ ସଚେତନ କରିବ। କେନ୍ଦୁଝର ଜିଲ୍ଲାର ଭୌଗଳିକ ସ୍ଥିତି ଆଧାରରେ ବାରମ୍ବାର ବଜ୍ରପାତ ଘଟୁଥିବା ସମୟରେ ଜିଲ୍ଲାର ସମସ୍ତ ଜନ ସାଧାରଣଙ୍କୁ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ ଏବଂ ସଚେତନତା ଓ ସତର୍କତା ହିଁ ସୁରକ୍ଷା ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।
ଆଜିର ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାଏ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ ପ୍ରମୁଖ ଉପସ୍ଥିତ ଥିଲେ ଓ ଓଏସଡିଏମଏର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏସକେ ଇଜାଜ ଇକବାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA