ଜୟପୁର, ୨୪ ଜୁନ୍ (ହି.ସ.)-
କୋରାପୁଟ ଜିଲାର ବଜାରରେ ମିଳୁଛି ନକଲି ଜିନିଷ । ଗ୍ରାହାକ ଠକାମିର ଶିକାର ହେଉଛନ୍ତି । ବ୍ରାଣ୍ଡ କମ୍ପାନିର ଜୋତାକୁ ଅବିକଳ ନକଲ କରି ବଜାରକୁ ଛଡ଼ାଯାଇଛି । କେବଳ ସେତିକି ନୁହେଁ, ନକଲି କସ୍ମେଟିକ୍ସ ସାମଗ୍ରୀ ମଧ୍ୟ କୋରାପୁଟ ଜିଲା ଜୟପୁର, କୋରାପୁଟ, ସେମିଳିଗୁଡା, କୋଟପାଡ, କୁନ୍ଦୁରା, ବୋରିଗୁମ୍ମା, ଲମତାପୁଟ, ବଜାରକୁ କବ୍ଜା କରିଥିବା ଜଣାଯାଇଛି । ତେଣୁ ଏମିତି କିଛି ନକଲି ସାମଗ୍ରୀ ନାହିଁ, ଯାହା ବଜାରରେ ମିଳୁନାହିଁ । ଜୋତାରୁ ବିଭିନ୍ନ ଯନ୍ତ୍ରାଂଶ, ଖାଦ୍ୟରୁ କସ୍ମେଟିକ୍ସ ପର୍ଯ୍ୟନ୍ତ ସବୁପ୍ରକାରର ନକଲି ଜିନିଷ ଜିଲାରେ ଥିବା ବଜାରରେ ମିଳୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସବୁ ନକଲି ଜିନିଷ କେବଳ ଚୋରାଲୁଚାରେ ବିକ୍ରି ହେଉନାହିଁ, ଖୋଲାଖୋଲି ଭାବେ ପ୍ରତିଷ୍ଠିତ ଦୋକାନରେ ବି ମିଳୁଛି । ଜିଲାର କେତେକ ଅଞ୍ଚଳରେ ନକଲି ଔଷଧ ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି । ପଚା ଟମାଟୋ, ଅମୃତଭଣ୍ଡା, କଖାରୁ ଆଦିରେ ରଙ୍ଗ ଓ କେମିକାଲ୍ସ ଅପମିଶ୍ରଣ କରି ଏହି ସସ୍ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି । ସସ୍କୁ ବ୍ରାଣ୍ଡ କମ୍ପାନିର ବୋତଲରେ ଭର୍ତ୍ତି କରି ସହରରେ ବିକ୍ରି ହେଉଥିବା ଜଣାଯାଇଛି । ବଜାରରେ ନକଲି ସସ୍, ନକଲି ତେଲ, ଘିଅ, ନକଲି ମୋବାଇଲ ବିକ୍ରି ହେଉଛି । ବିଭାଗ ଚଢଉ କଲେ ସବୁ କିଛି ପର୍ଦାଫାସ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି