ଜୟପୁର, ୨୪ ଜୁନ୍ (ହି.ସ.) - ଚାଷୀଙ୍କ ଧାନ ନେଉନି ମିଲର, ମଣ୍ଡିକୁ ଡାକି ଗାଡି ରେ ଲୋଡିଂ କରି ରଖାଯାଇଛି ଧାନ କିନ୍ତୁ ନେଉନାହାନ୍ତି। କେତେବେଳେ ଧାନ ଉଠିବ ଏହାର ଜବାବ କେହି ଦେଉ ନାହାନ୍ତି। ଏହିପରି ମଣ୍ଡିରୁ ଧାନ ଉଠିବା ସମସ୍ୟା ନେଇ ଆଜି ନିୟନ୍ତ୍ରିତ ବଜାର କମିଟି ସମ୍ମୁଖରେ ଶତାଧିକ ଚାଷୀ ମାନେ ରାଜରାସ୍ତାକୁ ଆଜି ରାଜପଥ ଅବରୋଧ କରିଥିଲେ।
ଚଳିତ ରବି ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଗାଡି ସମସ୍ୟା ଯୋଗୁଁ ଛୋଟ ଛୋଟ ଚାଷୀଙ୍କ ଧାନ ଉଠିପାରୁନାହିଁ। ଏହି ସମସ୍ୟାର ସମାଧାନ ଲଗି ଗତକାଲି ଜିଲ୍ଲାପାଳ ମିଲର୍ସ ମାନଙ୍କୁ ଧାନ ଉଠାଇବାକୁ କହିବା ପରେ ଆଜି ଅନ୍ତା ଅଂଚଳର ଚାଷୀ ମାନେ ସକାଳୁ ଆରଏମସି ମଣ୍ଡିକୁ ଧାନ ଆଣିଥିଲେ। କିନ୍ତୁ କେହିଭି ମିଲର ଧାନ ଉଠାଇବାରୁ ଚାଷୀ ମାନେ ଯୋଗାଣ ବିଭାଗ ଅଧିକାରୀଙ୍କୁ କହିଥିଲେ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧାନ ନ ଉଠିବାରୁ ଚାଷୀମାନେ ଉତ୍ୟକ୍ତ ହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ। ରାସ୍ତା ଅବରୋଧ କରିବାର ୧୫ ମିନିଟ ମଧ୍ୟରେ ରାସ୍ତାରେ ଯାତାୟତ କରୁଥିବା ଲୋକ ଏବଂ ଆରଏମସି କର୍ମଚାରୀ ଓ ପୁଲିସ କର୍ମଚାରୀ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା। ପଞ୍ଜିକରଣ କରିଥିବା ଚାଷୀ ଯେମିତି ଧାନ ବିକ୍ରି କରିବାରେ ହଇରାଣ ନହେବେ ସେଥିପ୍ରତି ମିଲର ସଂଘ ଦୃଷ୍ଟି ଦେବ ବୋଲି କହିବା ପରେ ଚାଷୀ ମାନେ ରାସ୍ତାରୋକରୁ ହଟିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି