ସମ୍ବଲପୁର, ୨୪ ଜୁନ୍ (ହି.ସ.) - ବ୍ରଜରାଜନଗର ବିଧାୟକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜେ ପଢିଥିବା ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ପରିଦର୍ଶନରେ ଆସିଥିଲେ। ସ୍କୁଲର ସମସ୍ୟା ନେଇ ଶିକ୍ଷକଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ ୧୦ମ ଶ୍ରେଣୀର ବିଜ୍ଞାନ ଓ ଅନ୍ୟ କ୍ଲାସକୁ ଯାଇ ଛାତ୍ର ମାନଙ୍କ ଗହଣରେ ବସିଥିଲେ । ଶିକ୍ଷକଙ୍କ ଶିକ୍ଷାଦାନ ଶୈଳୀ ଓ ସେଥିପ୍ରତି ଛାତ୍ରଛାତ୍ରୀମାନଙ୍କ ମନୋନିବେଶକୁ ଅନୁଧ୍ୟାନ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ । ସେ ଏହି ଅବସରରେ କହିଥିଲେ ଯେ, ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଐତିହ୍ୟ ସମ୍ପନ୍ନ ଅଟେ । ଏହି ସ୍କୁଲ ଦେଶର ସ୍ୱାଧିନତା ପାଇଁ ବହୁ ବଡ ବଡ ରାଜନେତା ତଥା ସରକାରୀ ପଦସ୍ଥ ଅଧିକାରୀ ସୃଷ୍ଟି କରିଛି । ଏହାର ସାମଗ୍ରିକ ବିକାଶ ନେଇ ଯୋଜନା କରାଯିବା ସହ ଆଇଆଇଏମ୍ ସହ ଯୋଡାଯିବ । ଏହି ସମୟରେ ତାଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ହାଇସ୍କୁଲ ପ୍ରଧାନ ଶିକ୍ଷକ ଲୋକିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିକ୍ଷା ଅନୁଷ୍ଠାନର ପୁରାତନ ଛାତ୍ର ଭାବେ ଶ୍ରୀ ପୂଜାରୀ ସ୍କୁଲ କୋଠା, କରିଡର ଏବଂ ନିଜେ ଅଧ୍ୟୟନ କରିଥିବା ଶ୍ରେଣୀ କକ୍ଷକୁ ବୁଲି ଦେଇଥିଲେ । ଏହି ପରିଦର୍ଶନ ବେଳେ ବିଦ୍ୟାଳୟ ପରିସରରେ ବେଶ କିଛି ସମୟ ଅତିବାହିତ କରିଥିଲେ । ପରେ ରାଜସ୍ୱ ମନ୍ତ୍ରୀ ଗୁରୁପଡା ଏମ୍ଇ ସ୍କୁଲ କେନ୍ଦ୍ରକୁ ଯାଇ ଶିଶୁମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲେ । ଏଠାରେ ମନୋରଞ୍ଜନ ଜରିଆରେ ଶିଶୁ ମାନଙ୍କୁ ପାଠପ୍ରତି ଆଗ୍ରହ ବୃଦ୍ଧି ପାଇଁ ନେଉଥିବା ସାଂସ୍କୃତିକ ପଦକ୍ଷେପକୁ ଭୂୟଶୀ ପ୍ରଂଶସା କରିଥିଲେ । ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ ଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ