ମାଲକାନଗିରି, ୨୫ ଜୁନ୍ (ହି.ସ.) - ଜରୁରୀକାଳୀନ ଘୋଷଣାର ୫୦ ବର୍ଷ ପୂର୍ତିରେ ମାଲକାନଗିରିରେ ବିଜେପି ଦ୍ୱାରା 'ସମ୍ବିଧାନ ହତ୍ୟା ଦିବସ' ପାଳନ: ଜରୁରୀକାଳୀନ ଘୋଷଣାର ୫୦ ବର୍ଷ ପୂର୍ତିରେ ବିରୋଧ ପ୍ରଦର୍ଶନ । ଆଜି ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ 'ସମ୍ବିଧାନ ହତ୍ୟା ଦିବସ' ବା 'କଳା ଦିବସ' ପାଳନ କରାଯାଇଛି। ଏହି ଦିନଟି ଭାରତରେ ୧୯୭୫ ମସିହା ଜୁନ ୨୫ ତାରିଖରେ ଘୋଷିତ ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପୂର୍ତିକୁ ସ୍ମରଣ କରାଏ, ଯାହାକୁ ବିଜେପି ଏକ କଳା ଅଧ୍ୟାୟ ଭାବରେ ବିବେଚନା କରେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଶୋକ କୁମାର ପରିଡାଙ୍କ ନେତୃତ୍ୱରେ ପୂର୍ବତନ ସଭାପତି ନିମାଇଁ ଚନ୍ଦ୍ର ପାଲ, ଶ୍ୟାମଲ ସୁନାନୀ, ନିରଞ୍ଜନ ହାଲ ଦାର ଏବଂ ସୁଭାଷ ପଡିଆମି ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ନେତାମାନେ ଜରୁରୀକାଳୀନ ସମୟକୁ ଭାରତୀୟ ଗଣତନ୍ତ୍ର ଉପରେ ଏକ ଆକ୍ରମଣ ଭାବରେ ବର୍ଣ୍ଣନା କରିଥିଲେ। ସେମାନେ କହିଥିଲେ ଯେ, ଏହି ସମୟରେ ନାଗରିକଙ୍କ ମୌଳିକ ଅଧିକାର ସ୍ଥଗିତ ରଖାଯାଇଥିଲା ଏବଂ ଗଣତନ୍ତ୍ରର ମୂଳ ଆଧାର ଉପରେ ଆଘାତ କରାଯାଇଥିଲା। ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ପରିଡା କହିଥିଲେ, ଜରୁରୀକାଳୀନ ସମୟ ଭାରତୀୟ ଗଣତନ୍ତ୍ରର ଆତ୍ମା ଉପରେ ଏକ ସିଧାସଳଖ ଆକ୍ରମଣ ଥିଲା। ଆମେ ଏହି ଅନ୍ୟାୟ ବିରୁଦ୍ଧରେ ଲଢ଼ିଥିବା ସେହି ସବୁ ବ୍ୟକ୍ତିଙ୍କ ତ୍ୟାଗକୁ କଦାପି ଭୁଲିବା ଉଚିତ ନୁହେ। ଅନ୍ୟ ନେତାମାନେ ମଧ୍ୟ ସମାନ ଭାବନା ପ୍ରକାଶ କରି ସମ୍ଭିଧାନ ରେ ନିହିତ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖାଯାଇଥିଲା ଏବଂ ଜରୁରୀକାଳୀନ ସମୟର ଐତିହାସିକ ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା। ନେତାମାନେ ଏହା ମଧ୍ୟ କହିଥିଲେ ଯେ, ଏହି ଦିନକୁ ସ୍ମରଣ କରିବା ଦ୍ୱାରା ଭବିଷ୍ୟତରେ ଏପରି ଘଟଣାର ପୁନରାବୃତି ରୋକାଯାଇପାରିବ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ