ବଲାଙ୍ଗିର, ୨୬ ଜୁନ୍ (ହି.ସ.)- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ଓଡିଶା ବିଧାନସଭା ଗୃହ କମିଟିର ୯ ଜଣିଆ ସଦସ୍ୟ । କଣ୍ଟାବାଞ୍ଜି ବିଧାନସଭା ଗୃହ କମିଟିର ଅଧ୍ୟକ୍ଷ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଏହି କମିଟି କଣ୍ଟାବାଞ୍ଜି ପହଁଚିବା ପରେ ବିଜେପି ପକ୍ଷରୁ ସ୍ୱାଗତ କରଯାଇଥିଲା । କଣ୍ଟାବାଞ୍ଜିର ଜୀବନ ରେଖା ପମ୍ପୁ ତଲାବକୁ ଗସ୍ତ କରି ଏହାର ଶୋଚନୀୟ ଅବସ୍ଥା ନେଇ ଚିନ୍ତା ପ୍ରକଟ କରିଥିଲେ କମିଟି । ଏହାର ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । ପରେ କଣ୍ଟାବାଞ୍ଜିର ୪ ନଂ ୱାର୍ଡ ସ୍ଥିତ ରାସନ ବିତରଣ କେନ୍ଦ୍ର ପରିଦର୍ଶନ କରି ବଣ୍ଟନ କରାଯାଉଥିବା ଚାଉଳର ମାନ ଯାଞ୍ଚ କରିଥିଲେ । ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ମୁଣ୍ଡକାନି ଠାରେ ହେଉଥିବା ନିର୍ମାଣ ହେଉଥିବା ମେଗା ଜଳ ପ୍ରକଳ୍ପକୁ ବୁଲି ଦେଖିଛନ୍ତି । ଝରନୀ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ସୁବିଧା ଅସୁବିଧା ବୁଝିବା ସହ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ତଦାରଖ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ସହ ପାଠ ବିଷୟରେ ଆଲୋଚନା କରିଥିଲେ । ତୁରେକେଲାର ନବ ନିର୍ମିତ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ସିଏଚସି କୋଠା, ଝଲପ ପଞ୍ଚାୟତର ମମିଆଁକୁ ପାଇପ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ତାଗିଦ, ମମିଆଁ-ତୁରେକେଲା ଉନ୍ଦେର ନଦୀ ବ୍ରିଜ ନିର୍ମାଣ ସମ୍ପର୍କରେ ଆଲୋଚନା, ଗୋହିରାପଦର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ- ୧, ମୁରିବାହାଲ ବ୍ଲକ ବାଙ୍କେଲ ସ୍ଥିତ ମେଗା ପାଇପ ଜଳ ଯୋଗାଣ ବ୍ୟବସ୍ଥା ତଦାରଖ କରିଥିବା ଜଣାପଡିଛି । ଏହି କମିଟି ଯାହା ତଦାରଖ କରିବ ତାହା ବଲାଙ୍ଗିର ଜିଲ୍ଲାପାଳଙ୍କ ଠାରେ ଆଲୋଚନା କରାଯାଇ ତାର ସମାଧାନ କରାଯିବ ବୋଲି କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ସୂଚନା ଦେଉଛନ୍ତି । ଏଥିରେ ବହୁ ସଂଖ୍ୟାରେ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ