ସମ୍ବଲପୁର, ୨୫ ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ଦାରିଦ୍ର୍ୟ ନିବାରଣ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟସୂଚୀ ଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଏକ ବ୍ୟାପକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର (ଭା .ପ୍ର .ସେ ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ବ୍ଲକ୍ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତା ଯୋଜନା ସୋସିଆଲ ଅଡିଟ, ଗ୍ରାମ ପଂଚାୟତ ନିବାସ ସମିତି ଭବନ ନିର୍ମାଣ, ଗ୍ରାମୀଣ ଗୃହ ନିର୍ମାଣ, ଚିହ୍ନିତ ଅବ୍ୟାଙ୍କିତ ଗ୍ରାମପଂଚାୟତରେ ବ୍ୟାଙ୍କ ସଂଖ୍ୟା ବୃଦ୍ଧି, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କିତ ଅତିରିକ୍ତ ଶ୍ରେଣୀକକ୍ଷ ଏବଂ ଆଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ, ମୁଖ୍ୟମନ୍ତ୍ରୀ ବିଶେଷ ସାହାଯ୍ୟ , ପ୍ରାଥମିକ ବୈଷୟିକ ଓ ରାଜସ୍ୱ ପ୍ରତିଷ୍ଠାନର ପୁନରୁଦ୍ଧାର ଓ ମରାମତି, ଙଜଗଇଝ, ଓଡିଶା ଜୀବିକା ମିସନ ଏବଂ ମିଶନ ଶକ୍ତି ପରିଚାଳିତ ଉଦ୍ୟମଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଜିଲ୍ଲାପାଳ ଗଭୀର ଅନୁସନ୍ଧାନ ଓ ସକ୍ରିୟ ନିର୍ଦ୍ଦେଶ ମାଧ୍ୟମରେ ସମସ୍ତ ଯୋଜନା ଓ କାର୍ଯ୍ୟକଳାପକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗଦର୍ଶନ ଦେଇଛନ୍ତି । ସେ ଅଧିକାରୀ ମାନଙ୍କୁ ଯୋଜନା ଗୁଡ଼ିକର କ୍ଷେତ୍ରସ୍ତରରେ ଫଳପ୍ରସୂ ଓ ଦୃଶ୍ୟମାନ ଫଳାଫଳ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ ବ୍ଲକ୍ ଉନ୍ନୟନ ଅଧିକାରୀ ମାନଙ୍କୁ ପ୍ରତ୍ୟେକ ଯୋଜନାର ସ୍ୱୟଂ ମନିଟରିଂ କରି ବ୍ୟକ୍ତିଗତ ଭ୍ରମଣ କରିବା ଉପରେ ଜୋର ଦେଇଛନ୍ତି । ତଥା, ଦୈନିକ ଅବସ୍ଥା ରିପୋର୍ଟ ପ୍ରଦାନ କରି କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ କାର୍ଯ୍ୟ ନିଷ୍ପାଦନ କରିବା ନିମନ୍ତେ ଅନୁଶାସନ ଓ ଦାୟିତ୍ୱବୋଧ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ଏହି ବୈଠକ ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଏବଂ ସେଗୁଡ଼ିକର ପ୍ରଭାବ ଲକ୍ଷ୍ୟକୁ ନେଇ ନୂଆ ଗତି ଏବଂ ଗୁଣବତାମୂଳକ କାର୍ଯ୍ୟାନ୍ୱୟନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ଉକ୍ତ ବୈଠକରେ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଶ୍ରୀ ଭେଦ ଭୂଷଣ (ଭା .ପ୍ର .ସେ ) , ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ ପାତ୍ର, ହେମସାଗର ଭୋଇ ପ୍ରମୁଖ ମଂଚାସିନ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ