ସମ୍ବଲପୁର, ୨୬ ଜୁନ୍ (ହି.ସ.)- ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଚିନିମହୁଲ ଗ୍ରାମ ଧଅଁଲାଗୁଡ଼ା ପଡ଼ାରେ ପାନୀୟ ଜଳ ସମସ୍ୟାର ସମାଧାନ ନ ହୋଇପାରିବାରୁ ପଡ଼ା ବାସି ଜମନକିରା ବିଡ଼ିଓଙ୍କୁ ଏକ ଦାବି ପତ୍ର ବିଡ଼ିଓଙ୍କ ଅନୁପସ୍ଥିତିରେ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଅଜୟ ଖଡିଆଙ୍କୁ ପ୍ରଦାନ କରିଛନ୍ତି। ଚିନିମହୁଲ ଗ୍ରାମପଞ୍ଚାୟତ ଧଅଁଲାଗୁଡ଼ା ପଡ଼ାରେ ଦୁଇଟି ନଳକୂପ ଥିବା ବେଳେ ଗୋଟିଏ ନଳକୂପ ସମ୍ପୂର୍ଣ ଖରାପ ହୋଇଯାଇଥିବା ବେଳେ ଅନ୍ୟ ନଳକୂପରୁ ଭଲ ଭାବେ ପାଣି ବାହାରୁନାହଁ ଓ ପାଣି ବାହାରିଲେ ଗୋଳିଆ, ଲାଲ ପାଣି ବାହାରୁଛି ଏବଂ ଏହି ପାଣି ବ୍ୟବହାର ଉପଯୋଗୀ ହେଉନ ଥିବାରୁ ଧଅଁଲାଗୁଡ଼ା ପଡ଼ା ରେ ନୂତନ ଦୁଇ ଗୋଟି ନଳକୂପ ଖୋଲିବାକୁ ଗ୍ରାମବାସୀ ଲିଖିତ ଭାବେ ଦାବି କରିଛନ୍ତି।
ସେହିପରି ଗ୍ରାମର ମିନା କୁମାରୀ ପ୍ରଧାନଙ୍କ କହିବା ଅନୁଯାୟୀ, ବଡ଼ରମା ସରପଞ୍ଚ ବିଜୟ ନାଏକଙ୍କୁ ପଡ଼ାରେ ନଳକୂପ ଖନନ ପାଇଁ କହିଆସୁଥିଲେ ମଧ୍ୟ ସରପଞ୍ଚ କର୍ଣ୍ଣପାତ କରୁନାହାନ୍ତି ଏପରିକି ସରପଞ୍ଚ ପାଲଟା କହୁଛନ୍ତି ଯେ ମୁଁ ତମ ଧଅଁଲାଗୁଡ଼ା କଥା ଶୁଣିବି ନାହିଁ ଯାହା ଫଳରେ ଆମ୍ଭେ ଜମନକିରା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ନୂତନ ନଳକୂପ ପାଇଁ ଆବେଦନ କରିଅଛୁ। ସେହିପରି ଗ୍ରାମବାସୀ ସୁଲୋଚନା ବଟୋଙ୍କ କହିବା ଅନୁଯାୟୀ, ଗ୍ରାମରେ ଦୁଇଟି ନଳକୂପ ଅଛି ଏବଂ ଏହା ଖରାପ ଅଛି ଏବଂ ଏ ସମ୍ପର୍କରେ ସରପଞ୍ଚଙ୍କୁ କହିଲେ ସେ ଓଲଟା ଉତ୍ତର ଦେଇ କହୁଛନ୍ତି କି ମୁଁ ଧଅଁଲାଗୁଡ଼ାକୁ ଜାଣି ନାହିଁ ଏବଂ ଏହି ଗ୍ରାମକୁ କିଛି ଦେବିନାହିଁ ବୋଲି କହୁଥିବାରୁ ଆମେ ଗ୍ରାମବାସୀ ଆଜି ବ୍ଲକ କାର୍ଯ୍ୟାଳୟକୁ ନିଜର ଦାବିପତ୍ର ଦେବାକୁ ଆସିଥିଲୁ । ଏ ସମ୍ପର୍କରେ ବଡ଼ରମା ସରପଞ୍ଚ ବିଜୟ ନାଏକଙ୍କୁ ପଚାରିବାରୁ ଏମିତି କିଛି ନାହିଁ ସେଇ ଗ୍ରାମ ପାଖରେ ମୋର ଘର ଏମିତି କୌଣସି କଥା ମୁଁ କହିନାହିଁ ବର୍ତମାନ ପ୍ରଥମ ପର୍ଯ୍ୟାୟରେ ନଳକୂପ ଖୋଳା ଚାଲିଛି ଦ୍ଵିତୀୟ ପର୍ଯ୍ୟାୟରେ ନିଶ୍ଚିତ ଭାବେ ସେହି ଗ୍ରାମରେ ମଧ୍ୟ ନଳକୂପ ଖୋଳାଯିବ, ବଡ଼ରମା ପଞ୍ଚାୟତର ପାଣି ସମସ୍ୟା ଥିବା ସମସ୍ତ ଗ୍ରାମର ଲିଷ୍ଟ ଦିଆହୋଇଛି ବୋଲି କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ