ମାଲକାନଗିରି, ୨୫ ଜୁନ୍(ହି.ସ.) – ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ମାଲକାନଗିରି ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ -ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଡେପୁଟି କଲେକ୍ଟର(ରାଜସ୍ୱ), ସହକାରୀ ଜ଼ିଲ୍ଲାପାଳ(ରାଜସ୍ୱ), ଜିଲ୍ଲାର ଅନ୍ୟାନ୍ୟ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ବୈଠକରେ ରାଜସ୍ୱ ଆଦାୟ, ସରକାରୀ ଜମିରେ ହୋଇଥିବା ବେଆଇନ ଜବର ଦଖଲ ଉଚ୍ଛେଦ, ଆଦି ରାଜସ୍ୱ ବିଭାଗର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ କହିଥିଲେ ଜନସାଧାରଣ ହେଉଛନ୍ତି ରାଜା, ପ୍ରଶାସନ ହେଉଛନ୍ତି ସେମାନଙ୍କ ସେବକ। ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋକଙ୍କ କାର୍ଯ୍ୟ ଶେଷ ହେବା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ସେ ସମସ୍ତ ଯୋଜନାର ସଫଳ ବାର୍ତା ଲୋକଙ୍କ ପାଖରେ ପହଂଚାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସ୍କୁଲ ପଟ୍ଟା ପ୍ରଦାନ ଅଭିଯାନ, ଜଙ୍ଗଲ ଅଧିକାର ଆଇନ ଅନୁସାରେ ଜଙ୍ଗଲ ଜମି ପଟ୍ଟା ବଂଟନ ଉପରେ ଗୁରୁତ୍ୱାରୋପ କରିଥିଲେ। ବସୁନ୍ଧରା ଯୋଜନାରେ ଯେପରି ଜଣେ ମଧ୍ୟ ହିତାଧିକାରୀ ବାଦ ନପଡ଼ିବେ, ସେଥିପ୍ରତି ଦୃଷ୍ଟି ଦେବାପାଇଁ ସମସ୍ତଙ୍କୁ ତାଗିଦ କରିଥିଲେ। ଜିଲାରେ ଯେଉଁ ସବୁ ପ୍ରକଳ୍ପ କାମ ଜମି ଅଧିଗ୍ରହଣ ପାଇଁ ଅଟକି ରହିଛି ତୁରନ୍ତ ଜମି ଅଧିଗ୍ରହଣ କାମ ସାରିବାକୁ କୁହାଯାଇଛି। ବିଶେଷ ଭାବେ ଜିଲ୍ଲାରେ ହେବାକୁଥିବା ରେଳ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାକୃତିକ ବିପର୍ଯ୍ୟୟବେଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ôଥକ ସହାୟତା ରାଶି ପ୍ରଦାନ କରିବାକୁ କୁହାଯାଇଛି। ଜିଲାରେ ବେଆଇନ ମଦ କାରବାର, ଚୋରାଚାଲାଣ ରୋକିବାକୁ କୁହାଯାଇଛି। ଏନଫୋର୍ସମେଂଟ ଟିମ୍ ଗଠନ କରି ଚଢାଉକୁ ଜୋରଦାର କରିବାକୁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ