ଭୁବନେଶ୍ୱର, 25 ଜୁନ (ହି.ସ.) ଚଳିତ ଜୁନ 27 ତାରିଖ ଶୁକ୍ରବାର ଦିନ ଶ୍ରୀଜୀଉମାନଙ୍କର ପବିତ୍ର ଘୋଷଯାତ୍ରା ଅବସରରେ ଦୂରଦର୍ଶନ କେନ୍ଦ୍ର,ଭୁବନେଶ୍ୱର ଘୋଷଯାତ୍ରାର ସିଧା ପ୍ରସାରଣ କରିବାର ବ୍ୟବସ୍ଥା କରିଛନ୍ତି । ଏଥିରେ ଉନ୍ନତମାନର ଅତ୍ୟାଧୁନିକ ପ୍ରସାରଣ ଉପକରଣ ଦ୍ୱାରା ହାଇ-ରିଜଲ୍ୟୁସନ ଚିତ୍ରୋତ୍ତଳନ କରାଯାଇ ଅଗଣିତ ଦର୍ଶକମାନଙ୍କ ଦର୍ଶନ ନିମନ୍ତେ ନିରବଚ୍ଛିନ୍ନ ଭାବେ ପ୍ରସାରଣ କରାଯିବ । ଏହା ଦ୍ୱାରା ଦର୍ଶନାଭିଳାଷୀ ଭକ୍ତମାନେ ଘୋଷଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ସ୍ପଷ୍ଟ ଭାବେ ଦେଖିପାରିବା ସହିତ ଭାବକୁ ମଧ୍ୟ ଅନୁଭବ କରିପାରିବେ । ଏଥିରେ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ବିଶାରଦ ତଥା ପ୍ରଖ୍ୟାତ ଭାଷ୍ୟକାରମାନଙ୍କର ତାତ୍ତ୍ୱିକ ବିଶ୍ଳେଷଣାତ୍ମକ ବିବରଣୀ ପ୍ରଦାନ କରିବା ସହିତ ଦର୍ଶକମାନଙ୍କୁ ଭକ୍ତି ରସାମୃତରେ ଆହ୍ଲାଦିତ କରିବେ । ଡ଼ିଡ଼ି ଓଡ଼ିଆରେ ସିଧାପ୍ରସାରଣ ଜୁନ୍ 27 ତାରିଖ ସକାଳ 7ଟାରୁ ଆରମ୍ଭ ହେବା ସହିତ ସକାଳ 8.30ରୁ ହିନ୍ଦୀ,ଇଂରାଜୀ ଏବଂ ସଂସ୍କୃତ ଭାଷାରେ ଡ଼ିଡ଼ି ଭାରତୀରେ ପ୍ରସାରଣ ବ୍ୟବସ୍ଥା କରାଯାଇଛି । ଏହି ପ୍ରସାରଣ ଡ଼ିଡ଼ି ଓଡ଼ିଆ ଏବଂ ଡ଼ିଡ଼ି ନ୍ୟାସନାଲ ୟୁଟ୍ୟୁବ ଚାନେଲରେ ଲାଇଭ୍ ଷ୍ଟ୍ରିମିଙ୍ଗ୍ ମାଧ୍ୟମରେ ଉପଲବ୍ଧ ହେବ ।
ରାଜ୍ୟ ସରକାରଙ୍କ ଅଫିସିଆଲ୍ ପ୍ରସାରଣକାରୀ ଭାବେ ରଥଯାତ୍ରା ବ୍ୟତୀତ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ଯଥା -ଆଡ଼ପ ମଣ୍ଡପ ବିଜେ, ଜୁଲାଇ 5 ତାରିଖରେ ବାହୁଡ଼ା ଯାତ୍ରା, ଜୁଲାଇ 6 ତାରିଖରେ ସୁନା ବେଶ, ଜୁଲାଇ 7 ତାରିଖରେ ଅଧରପଣା ଏବଂ ଜୁଲାଇ 8 ତାରିଖରେ ନିଳାଦ୍ରୀବିଜେର ସିଧାପ୍ରସାରଣ ନିମନ୍ତେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ତଥା ତତ୍ ସମ୍ବନ୍ଧୀୟ ସିଧାପ୍ରସାରଣର ଅପୂର୍ବ ସୁଯୋଗ ଦୂରଦର୍ଶନ ମାଧ୍ୟମରେ ଲାଭ କରିବା ନିମନ୍ତେ ଦର୍ଶକମାନଙ୍କୁ ଅନୁରୋଧ କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ