କେନ୍ଦୁଝର, ୨୫ ଜୁନ୍ (ହି.ସ.) - କେନ୍ଦୁଝର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ୨୫ ତାରିଖ ଦିନ ଦରବାର ହଲ ଠାରେ ଚାଇଲ୍ଡଲାଇନ ସଦସ୍ୟ ଓ ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତା ମାନଙ୍କର ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନୁଷ୍ଠାନିକ ଯତ୍ନ ଓ ସୁରକ୍ଷା ଲୋଡୁଥିବା ଶିଶୁମାନଙ୍କ ନିରାପତା ଓ ସୁରକ୍ଷା ସୁନିଶ୍ଚିତ କରିବାକୁ ନିୟୋଜିତ ଥିବା କର୍ମକର୍ତା ମାନଙ୍କ ଦାୟିତ୍ୱ ଓ କର୍ତବ୍ୟ ସମ୍ବନ୍ଧୀୟ ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବିପ୍ଳବ କେଶରୀ ସାମନ୍ତାରାୟ ଉଦଘାଟନ କରିଥିବା ସ୍ଥଳେ ଅତିରିକ୍ତ ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀଣ କୁମାର ଦେଓ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଶିଶୁ ଅଧିକାର ସୁରକ୍ଷା ଉପରେ ଆଲୋଚନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରିୟଙ୍କା ମଲ୍ଲିକ ଅନ୍ୟତମ ମୁଖ୍ୟ ଭାବେ ଯୋଗଦେଇ ଏହି ତାଲିମ ପ୍ରଦାନର ଉଦ୍ଦେଶ୍ୟ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଚାଇଲଡଲାଇନ ସଦସ୍ୟ ଓ ପ୍ରକଳ୍ପ ମୁକ୍ତାଶ୍ରୟ କେନ୍ଦ୍ର, ମନୋଜ ମଞ୍ଜରୀ ଶିଶୁ ଭବନ, ବିଷ୍ଣୂ ପ୍ରିୟା ବାଳାଶ୍ରମ, ଓମକାର ଡିଭାଇନ ବିବେକାନନ୍ଦ ବାଳାଶ୍ରମ, ସେଲ୍ଫ ରିଅଲାଇଜେସନ ମିଶନ, ରମାଦେବୀ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏବଂ ଆଦୃତା ଶିଶୁ ଗୃହରୁ ମୋଟ ୫୦ ଜଣ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶିଶୁ ମଙ୍ଗଳ କମିଟି ସଦସ୍ୟ ଶ୍ରୀ କୃଷ୍ଣ ଚନ୍ଦ୍ର ବାରିକ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟ କରୁଥିବା କର୍ମକର୍ତା ମାନଙ୍କ ଦାୟିତ୍ୱ ଓ କର୍ତବ୍ୟ, କିଶୋର ନ୍ୟାୟ ରୁଲରେ ଶିଶୁ ମାନଙ୍କ ନିରାପତା ଓ ସୁରକ୍ଷା ସମ୍ବନ୍ଧୀୟ ପ୍ରାବଧାନ ଗୁଡିକ କିପରି ଅନୁପାଳନ କରାଯିବ ସେ ସମ୍ବନ୍ଧରେ ତଲିମ ଦେଇଥିଲେ। ବିଶେଷ କରି ଶିଶୁ ମାନଙ୍କର ୫ ଟି ସୁରକ୍ଷା ଯଥା, ଶିଶୁ ସୁରକ୍ଷା ନୀତି, ଶିଶୁ କମିଟୀ, ଅଭିଯୋଗ ଏବଂ ମତାମତ ବାକ୍ସ, ବ୍ୟବହାର ନିୟମ, ଶିଶୁ ଅନୁକୂଳ ବାତାବରଣକୁ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନରେ ନିୟୋଜିତ ଥିବା କର୍ମଚାରୀମାନେ କିପରି ସୁନିଶ୍ଚିତ କରିବେ ତାହା ସେ ଆଲୋଚନା କରିଥିଲେ। ଶିଶୁ ଅଧିକାର କର୍ମୀ ସରୋଜ କୁମାର ପଟ୍ଟନାୟକ ଅନ୍ୟତମ ତାଲିମ ଦାତା ଭାବେ ଯୋଗ ଦେଇ ଶିଶୁ ଗୃହରେ ସ୍ଥାନିତ ହେଉଥିବା ଶିଶୁ ମାନଙ୍କର ଥଇଥାନ ଏବଂ ପୁନରାର୍ପଣ ନିମନ୍ତେ ସେମାନଙ୍କର ବ୍ୟକ୍ତିଗତ ଯତ୍ନ ଯୋଜନା କିପରି ପ୍ରସ୍ତୁତ କରାଯିବ ତାହା ପାୱାର ପଏଂଟ ମାଧ୍ୟମରେ ବୁଝାଇଥିଲେ। ଜଟିଳ ପରିସ୍ଥିତିରୁ ଉଦ୍ଧାର ହୋଇଥିବା ଶିଶୁମାନଙ୍କର ସମସ୍ୟା ସମାଧାନ ପାଇଁ କିପରି କାଉନସେଲିଂ କରାଯିବ ଏବଂ ଜଣେ ବୃତିଗତ କାଉନସେଲର ଭୂମିକା କ’ଣ ତାହା ମଧ୍ୟ ସେ ତାଲିମରେ ଆଲୋଚନା କରିଥିଲେ। ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମକୁ ୟୁନିଟର ଆନୁଷ୍ଠାନିକ ପରୀବୀକ୍ଷଣ ଅଧିକାରିଣୀ ରଶ୍ମୀ ସେନାପତି ପରିଚାଳନା କରିଥିବା ସ୍ଥଳେ ଆଇନ ପର୍ଯ୍ୟବେକ୍ଷଣ ଅଧିକାରୀ ସୌମ୍ୟରଞ୍ଜନ ଦାଶ ପ୍ରମୁଖ ସହାୟତା କରିଥିଲେ। ଶେଷରେ ଝରଣା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA