ସମ୍ବଲପୁର, ୨୫ ଜୁନ୍ (ହି.ସ.) - ସମ୍ବଲପୁର ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଗୋପାଳପୁର ଛାତ୍ରୀ ଗଣ ଦୁଷ୍କର୍ମ ଓ ରାଜ୍ୟରେ ବଢୁଥିବା ମହିଳା ନିର୍ଯ୍ୟାତନା ବିରୁଦ୍ଧରେ ଛାତ୍ର ଆନ୍ଦୋଳନ କରାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀଙ୍କ ତତ୍ୱାବଧାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଜିଲ୍ଲା ବିସିଜେଡି ପକ୍ଷରୁ ଶତାଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଆନ୍ଦୋଳନ କରାଯାଇଥିଲା। ଏହି ଅବସରରେ ବିଜୁ ଜନତା ଦଳର ବହୁ ସଂଖ୍ୟାରେ ବରିଷ୍ଠ ନେତୃମଣ୍ଡଳୀ, କର୍ମକର୍ତା, କର୍ମୀ ଏକତ୍ରିତ ହୋଇ ଗୋପାଳପୁର ଠାରେ ଘଟିଥିବା ଅତ୍ୟନ୍ତ ଲଜ୍ଜାଜନକ ଛାତ୍ରୀ ଗଣଦୁଷ୍କର୍ମ, ରାଜ୍ୟରେ ଦିନକୁ ଦିନ ବଢୁଥିବା ମହିଳା ନିର୍ଯ୍ୟାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଆଦି ଘଟଣାକୁ ନେଇ ବିଜେପି ସରକାର ବିଫଳ ବୋଲି ଦଳର ନେତୃବୃନ୍ଦ ନିଜର ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ଆନ୍ଦୋଳନରେ ବିଧାୟକ ସୁଦର୍ଶନ ହରିପାଲ, ବରିଷ୍ଠ ନେତା ଏମ୍ ଡି ସନାଉଳା, ଗୋକୁଳ ମେହେର, ସଞ୍ଜିତ ମହାନ୍ତି, ମିଳନ ହୋତା, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ସୁରୁବାବୁ ମେହେର, ଲିଙ୍ଗରାଜ ପରିଡ଼ା, ଦିଲ୍ଲୀପ ଦାସ, ଚୁମନ ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ବିଜୁ ଜନତା ଦଳର ସଦସ୍ୟ ଉପସ୍ଥିତ ଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠାରେ ପୂର୍ବତନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସଭାପତି ଅବିନାଶ ପଟେଲ, ପୂର୍ବତନ ଯୁବ ଜୋନ ସଭାପତି ଦେବାଶିଷ ପରିଡ଼ା, ପୂର୍ବତନ ଛାତ୍ର ରାଜ୍ୟ ସମ୍ପାଦକ ଅନମୋଲ ଦାସ ପ୍ରମୁଖଙ୍କ ସମେତ ବହୁ ସଂଖାରେ ଛାତ୍ର ଛାତ୍ରୀ ଏବଂ ବିଜୁ ଜନତା ଦଳର କର୍ମକର୍ତା ଓ କର୍ମୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ