କୋରାଇ, ୨୫ ଜୁନ୍(ହି.ସ.) – କୋରେଇ ବ୍ଲକ ଅନ୍ତର୍ଗତ ପାଣିକୋଇଲି ପଂଚାୟତର ପୂର୍ବତନ ପିଇଓ (ପଂଚାୟତ କାର୍ଯ୍ୟ ନିବାହୀ ଅଧିକାରୀ) ଓ ବର୍ତମାନର ସରପଂଚଙ୍କୁ ଅର୍ଥ ଅନିୟମିତତା ପାଇଁ ନୋଟିସ ଜାରି କରାଯାଇଛି । ସେମାନଙ୍କ ଠାରୁ ଅର୍ଥ ଆଦାୟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଂଚାୟତ ରାଜ ସଚିବଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏନେଇ ପାଣିକୋଇଲି ପଂଚାୟତର ପୂର୍ବତନ ପିଇଓ ସୁଦେଷ୍ଣା ସାମଲ ଓ ଅର୍ଜ୍ଜୁନ ଚରଣ ବରାଳ ଏବଂ ସରପଂଚ ପଦ୍ମାବତୀ ପଣ୍ଡାଙ୍କୁ ରାଜ୍ୟ ପଂଚାୟତରାଜ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ପଂଚାୟତ ପକ୍ଷରୁ ଖର୍ଚ୍ଚ ହୋଇଥିବା ଅର୍ଥର ଅଡିଟ କରାଯାଇଥିଲା । ଉକ୍ତ ଅଡିଟରେ ପଂଚାୟତର ମୋଟ ୧ ଲକ୍ଷ ୨୧ ହଜାର ଟଙ୍କା ହେରଫେର ହୋଇଥିବା ଜଣାପଡିଥିଲା । ଅଡିଟରେ ପୂର୍ବତନ ପିଇଓ ସୁଦେଷ୍ଣା ସମାଲ ୪୪ ହଜାର ୨୦୦ଟଙ୍କା ଓ ଅର୍ଜ୍ଜୁନ ବରାଳ ୪୭ହଜାର ୨୦୦ଟଙ୍କା ଏବଂ ସରପଂଚ ପଦ୍ମାବତୀ ପଣ୍ଡା ୨୯ହଜାର ୬୦୦ଟଙ୍କା ହେରଫେର କରିଥିବା ଜଣାପଡିଛି । ଏନେଇ ପଂଚାୟତ ବିଭାଗ ଚିଠି ସଂଖ୍ୟା ୧୫୧୭୧/୨୫ରେ ସଚିବ ରଂଜିତ ବେହେରା ଏହି ଚିଠି କରିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ଅଧିକାରୀ ମାନେ ପଂଚାୟତ ଅର୍ଥକୁ ଆତ୍ମସାତ କରିଥିବା ଅଡିଟରେ ଧରାପଡିଛି । ସମ୍ପୃକ୍ତ ଅଧିକାରୀ ଓ ଜନପ୍ରତିନିଧିଙ୍କ ଠାରୁ ଉକ୍ତ ଟଙ୍କା ତୁରନ୍ତ ଆଦାୟ କରାଯିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପଂଚାୟତରାଜ ସଚିବ ଯାଜପୁର ଜିଲ୍ଲାପାଳଙ୍କ ସମେତ ଡିପିଓ ଯାଜପୁର, ବିଡିଓ କୋରେଇଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି