ଭୁବନେଶ୍ୱର, ୨୫ ଜୁନ୍ (ହି.ସ.)- ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସୁଭଦ୍ରା ସୋସାଇଟିର ଚତୁର୍ଥ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୯ ତାରିଖରେ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ପ୍ରସ୍ତାବକୁ ଏହି ବୈଠକରେ ଅନୁମୋଦନ କରାଯାଇଛି। ସୁଭଦ୍ରା ଯୋଜନାର ଅଦ୍ୟାବଧି ପ୍ରଶାସନିକ ଓ ଆନୁଷଙ୍ଗିକ ଖର୍ଚ୍ଚକୁ ମଧ୍ୟ ଏହି ବୈଠକରେ ଅନୁମୋଦନ କରାଯାଇଛି। ଇଣ୍ଡିଆନ ଇନଷ୍ଟିଚିଉଟ ଅଫ ପବ୍ଲିକ୍ ଆଡମିନଷ୍ଟ୍ରେସନ (ଆଇଆଇପିଏ), ନିଉ ଦିଲ୍ଲୀ ଦ୍ୱାରା “ଓଡ଼ିଶାର ଜିଲ୍ଲାମାନଙ୍କରେ ସୁଭଦ୍ରାର ପ୍ରଭାବ” ବିଷୟ ଉପରେ ହେବାକୁ ଥିବା ଅଧ୍ୟୟନର ପ୍ରସ୍ତୁତି ଓ ପ୍ରକ୍ରିୟା ଉପରେ ଉପସ୍ଥାପନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସବୁ ବର୍ଗର ସୁଭଦ୍ରା ହିତାଧିକାରୀଙ୍କ ଉପରେ ସୁଭଦ୍ରା ସହାୟତାର ପ୍ରଭାବ, ଏହାର ଉପଯୋଗ ଓ ଡିଜିଟାଲ ଆର୍ôଥକ ଅନ୍ତର୍ଭୂକ୍ତକରଣ ସମ୍ବନ୍ଧରେ ବିଶଦ ଆଲୋଚନା କରାଯାଇଥିଲା । ପୂର୍ବରୁ ନିଆଯାଇଥିବା ନିଷ୍ପତି ଅନୁଯାୟୀ ଆଇଆଇଏମ ସମ୍ବଲପୁର ସହଯୋଗରେ ଜୁଲାଇ ମାସ ପ୍ରଥମ ସପ୍ତାହରୁ କଲେଜ ଝିଅ (ସୁଭଦ୍ରା ସମୀକ୍ଷା)ମାନଙ୍କ ଦ୍ୱାରା କ୍ଷେତ୍ର ସର୍ବେକ୍ଷଣ କରାଯିବାର ନିଷ୍ପତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଇଆଇଏମ,ସମ୍ବଲପୁର ତଥ୍ୟ ଅଧ୍ୟୟନ, ଉପକରଣ, ତାଲିମ ଏବଂ ବିଶ୍ଳେଷଣ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ। ସୁଭଦ୍ରା ସହାୟତାର ସଠିକ ଉପଯୋଗ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ହିତାଧିକାରୀମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇ ଦକ୍ଷତା ବିକାଶ ବିଭାଗ ସହ ଆଲୋଚନା ମଧ୍ୟ କରାଯାଇଛି। ସୁଭଦ୍ରା ସହାୟତାର ଉପଯୋଗକୁ ନିରନ୍ତର ଭାବେ ସମୀକ୍ଷା କରାଯିବ ବୋଲି ଏହି ବୈଠକରେ ନିଷ୍ପତି ନିଆଯାଇଛି ।
ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା,ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା