କେନ୍ଦ୍ରାପଡ଼ା, ୨୫ ଜୁନ୍(ହି.ସ.) – ଜଣେ ବ୍ୟକ୍ତି ଦୁର୍ଘଟଣାରେ ଅକର୍ମଣ୍ୟ ହୋଇଯିବା ପରେ ନିଜ ଟ୍ରକକୁ ଦେଖାଶୁଣା କରିବା ପାଇଁ ଜଣେ ମ୍ୟାନେଜରଙ୍କୁ ନିଯୁକ୍ତି ଦେଲେ। ୫ ବର୍ଷ ସବୁକିଛି ଠିକଠାକ ଚାଲିଥିଲା। ଟ୍ରକରୁ ଯାହା ରୋଜଗାର ହେଉଥିଲା ମ୍ୟାନେଜର ଦରମା ନେଉଥିଲା। ବାକି ଅର୍ଥ ଟ୍ରକର କିସ୍ତି ଭରାଯାଉଥିଲା। କିନ୍ତୁ ୫ ବର୍ଷ ପରେ ମ୍ୟାନେଜରର ଲୋଭ ବଢିଗଲା। ସେ ନିଜ ନାମରେ ଟ୍ରକଟିକୁ କରିନେବା ପାଇଁ ପାଇଁ ଯୋଜନା କଲା। ହେଲେ ଟ୍ରକ ମାଲିକ ଏଥିରେ ଅରାଜି ହେବାରୁ ତାଙ୍କ ଟ୍ରକରେ ବୋଝେଇ ହୋଇଥିବା କୋଇଲାକୁ ବିକ୍ରି କରିଦେବ, ଟ୍ରକକୁ କାଟି କବାଡିଆ ଦୋକାନରେ ବିକ୍ରି କରିଦେବ, ଏହାସହ ତାଙ୍କୁ ହତ୍ୟା କରିବ ବୋଲି ଧମକ ଦେଲେ। ଏ ନେଇ ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମର ଟ୍ରକ ମାଲିକ କ୍ଷେତ୍ରବାସୀ ଜେନା ଥାନାରେ ଅଭିଯୋଗ କରଥିଲେ। ହେଲେ ପୁଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ ନ କରିବାରୁ ସେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ ୨୦୧୯ ମସିହାରେ ଏକ ଘରୋଇ ବ୍ୟାଙ୍କରୁ ଋଣ କରି ଟ୍ରକ ବ୍ୟବସାୟ ଆରମ୍ଭ କରିଥିଲେ। ୨୦୨୦ ମସିହାରେ ତାଙ୍କର ଦୁର୍ଘଟଣା ହେଲା। ଫଳରେ ସେ ଅକର୍ମଣ୍ୟ ହୋଇଗଲେ। ବ୍ୟବସାୟ ଚାଲୁ ରଖିବା ପାଇଁ ସେ ଭାଗବତପୁର ପଂଚାୟତ ବଣହରା ଗ୍ରାମର ପ୍ରକାଶ ଦାସ ନାମକ ଯୁବକଙ୍କୁ ମ୍ୟାନେଜର ଭାବେ ନିଯୁକ୍ତି ଦେଲେ। ସେ ଟ୍ରକ ବୁଝାଶୁଝା କଲେ। ଏହାସହ ମାସିକ ନିଜର ଦରମା ନେଲେ। କିନ୍ତୁ ଗତ ୫ ତାରିଖରେ ଟ୍ରକ ମାଲିକ କ୍ଷେତ୍ରବାସୀଙ୍କୁ ବାଧ୍ୟ କଲେ ତାଙ୍କ ନାମରେ ଟ୍ରକର ମାଲିକାନା କରିଦେବା ପାଇଁ। ହେଲେ କ୍ଷେତ୍ରବାସୀ ଏଥିରେ ସେ ଅରାଜି ହେବାରୁ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଲେ। ଏ ନେଇ କ୍ଷେତ୍ରବାସୀ ସଦର ଥାନାରେ ଅଭିଯୋଗ କଲେ। କିନ୍ତୁ ପୁଲିସ ଏହି ଅଭିଯୋଗ ଉପରେ ମାମଲା ରୁଜୁ କଲାନାହିଁ। ତେଣୁ କ୍ଷେତ୍ରବାସୀ କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ଙ୍କ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଏହାସହ କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ, ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସଦର ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ଅଭିଯୋଗ ହୋଇଛି। ଆମେ ନିଶ୍ଚିତ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବୁ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି