Bhubaneswar, 25 ଜୁନ୍ (ହି.ସ.)
ମୋବାଇଲ ହ୍ୱାଟ୍ସଆପରେ ଆଦାୟ ହେବ ଟାକ୍ସ
ଖୁବ୍ ଶୀଘ୍ର ଆବଣ୍ଟିତ ହେବ ସହିଦ ନଗର ହାଟ ପିଣ୍ଢି
ସହରରେ ହେବ କୁକୁର ଗଣନା
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)32 ତମ ସାଧାରଣ ପରିଷଦ ବୈଠକ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ସିଟି ଇଂଜିନିୟର ଶ୍ରୀ ବିଳାଶ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ ଷାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ, ଅଧ୍ୟକ୍ଷା, ସମସ୍ତ କର୍ପୋରେଟର, ଲାଇନ ଡିପାର୍ଟମେଣ୍ଟର ପ୍ରତିନିଧି, ବିଏମ୍ ସିର ସମସ୍ତ ଉପବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଚଳିତ ବର୍ଷ ଡେଙ୍ଗୁ ନିୟନ୍ତ୍ରଣ କରିବା ପାଇଁ ଆଗୁଆ ବ୍ୟାପକ ପଦକ୍ଷେପ ନିଆଯାଇଥିବାରୁ ରୋଗୀଙ୍କ ସଂଖ୍ୟା କମ ରହିଛି । ତେବେ ବର୍ଷା ଉପରେ ଏହା ନିର୍ଭର କରୁଛି । ଆଗାମୀ ଦିନରେ ଯେ ଡେଙ୍ଗୁ ରୋଗ ନ ବ୍ୟାପିବ ତାହା କହିହେବ ନାହିଁ । ତେଣୁ ସେଥିପ୍ରତି ସମସ୍ତେ ସଜାଗ ରହିବା ସହ ରୋଗୀ ସଂଖ୍ୟା ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ସେହିପରି ସହରର କେତେକ ଅଂଚଳରେ ଡାଇରିଆ ଆରମ୍ଭ ହୋଇଥିଲା । ମାତ୍ର ରାଜ୍ୟ ସରକାର ଓ ବିଏମ୍ ସିର ମିଳିତ ଉଦ୍ୟମରେ ତାହାକୁ ନିୟନ୍ତ୍ରଣ କରାଯାଇ ପାରିଛି । ପ୍ରତିଶେଧକ ବ୍ୟବସ୍ଥା ସ୍ୱରୂପ, ଖାଦ୍ୟ ସୁରକ୍ଷା ଟିମ୍ ସହ ଓ୍ୱାଟକୋ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ଖାଦ୍ୟ ଓ ପାନୀୟ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଉଛନ୍ତି । ରିପୋର୍ଟ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିଭିନ୍ନ ଖାଦ୍ୟ ଦୋକାନୀଙ୍କୁ ସଚେତନ କରାଯାଉଛି । ଯେଉଁମାନେ ବାରମ୍ବାର ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି । ଜନ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବର୍ଷା ଦିନ ଆସିଯାଇଥିବାରୁ ଏଣିକି ରାସ୍ତା ପାର୍ଶ୍ୱ ଏବଂ ବିଭିନ୍ନ ହୋଟେଲରେ ଖାଦ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବ ।
ଏଣିକି ଲୋକମାନେ ବିଭିନ୍ନ ପ୍ରକାର ଟାକ୍ସ ଦେବାକୁ ଆଉ ବିଏମ୍ ସି ଅଫିସ କିମ୍ବା ଓ୍ୱାର୍ଡ ଅଫିସ ଯିବାକୁ ପଡିବ ନାହିଁ । ମୋବାଇଲ ହ୍ୱାଟ୍ସ ଆପରେ ସେମାନେ ନିଜେ ନିଜର ସମସ୍ତ ପ୍ରକାର ଟାକ୍ସ ଦେଇପାରିବେ । କେବଳ ସେତିକି ନୁହେଁ, ସାଧାରଣ ଲୋକଙ୍କ ପାଇଁ ବିଏମ୍ ସି ପକ୍ଷରୁ ଉଭୟ ଓଡିଆ ଓ ଇଂରାଜୀରେ ଏହି ଆପ୍ ପ୍ରସ୍ତୁତ କରାଯାଇଛି ।
ଅନେକ କାମ ଅଧାପନ୍ତରିଆ ହୋଇପଡିଛି । କେତେକ କାମ ହୋଇଯାଇଛି ମାତ୍ର ସେମାନଙ୍କର ପଇସା ଦିଆଯାଇ ନାହିଁ । ସରକାର ଆର୍ଥିକ ସହାୟତା ଯୋଗାଇ ଦେଲେ, ସେମାନଙ୍କର ଅର୍ଥ ପୈଠ କରାଯିବା ସହ ଅଧା ରହିଥିବା କାମଗୁଡିକ କରାଯିବ । ସେ ସଂପର୍କରେ ଆଲୋଚନା କରାଯାଇଥିଲା ।
କୁକୁର ବନ୍ଧ୍ୟାକରଣ ଚାଲିଛି । ମାତ୍ର ଦୀର୍ଘ ଦିନ ହେଲା କୁକୁର ଗଣନା ହୋଇନଥିଲା । ଏବେ ବିଏମ୍ ସି ଅଂଚଳରେ କୁକୁର ଗଣନା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ।
ଖୁବ୍ ଶୀଘ୍ର ଆବଣ୍ଟନ ହେବ ସହିଦ ନଗର ହାଟ ପିଣ୍ଢି । ସମସ୍ତ କାମ ପ୍ରାୟ ଶେଷ ହୋଇଯାଇଛି । ତେବେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସେଡ୍ କରିବାକୁ ବ୍ୟବସ୍ଥା କରାଯାଉଛି । ସେମାନେ ଯେପରି ଖରା ଓ ବର୍ଷାରେ ନିଜର ବ୍ୟବସାୟ କରିପାରିବେ, ସେଥିପାଇଁ ସହିଦ ନଗର ଭବାନୀମଲ ନିକଟରେ ପିଣ୍ଢି କରାଯାଇଛି । ଖୁବ୍ ଶୀଘ୍ର ସେଗୁଡିକ ଆବଣ୍ଟନ କରାଯିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି ।
କେତେକ ଆଡଭେର୍ଟାଇ ସଂସ୍ଥା ସେମାନଙ୍କର ବକେୟା ଅର୍ଥ ପ୍ରଦାନ କରି ନାହାଁନ୍ତି । ସେଥିପାଇଁ ତାଙ୍କୁ ନୋଟିସ କରାଯାଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେମାନେ ବକେୟା ଅର୍ଥ ପୈଠ ନ କଲେ, ତାଙ୍କ ବିରୋଧରେ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି ।
ଡ୍ରେନରୁ ପଙ୍କୋଦ୍ଧାର କରିବା ଏବଂ ମୁକୁଳା ଡ୍ରେନଗୁଡିକ ଉପରେ ସ୍ଲାବ ପକାଇବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଆଗକୁ ବର୍ଷା ଅଧିକ ହେବାର ସମ୍ଭାବନା ଥିବାରୁ ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ନେଇ ଆଲୋଚନା ହୋଇଥିଲା ।
ଏହି 32 ତମ ସାଧାରଣ ପରିଷଦ ବୈଠକର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା