ରଥଯାତ୍ରା ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା
କାଲିଠୁ ପୁରୀରେ କାର୍ଯ୍ୟ କରିବ କ୍ୟାମ୍ପ ଅଫିସ୍‌ ପୁରୀ/ଭୁବନେଶ୍ୱର, ୨୫ ଜୁନ୍ (ହି.ସ.)- ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ ସମବେତ ହେବାକୁ ଥିବା ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ନିରନ୍ତର ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍
ରଥଯାତ୍ରା ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା


କାଲିଠୁ ପୁରୀରେ କାର୍ଯ୍ୟ କରିବ କ୍ୟାମ୍ପ ଅଫିସ୍‌

ପୁରୀ/ଭୁବନେଶ୍ୱର, ୨୫ ଜୁନ୍ (ହି.ସ.)- ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ ସମବେତ ହେବାକୁ ଥିବା ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ନିରନ୍ତର ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀବୃନ୍ଦ କ୍ଷେତ୍ର ପରିଦର୍ଶନ କରି ସମସ୍ତ ବ୍ୟବସ୍ଥା ସମନ୍ୱିତ କରିଛନ୍ତି ।

ରଥଯାତ୍ରା-୨୦୨୫ ଅବସରରେ ସମନ୍ୱିତ ଓ ସୁବ୍ୟବସ୍ଥିତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବହୁବିଧ ଗ୍ରହଣ କରାଯାଇଛି। ବିଭାଗ ପକ୍ଷରୁ, ବରିଷ୍ଠ ଅଧିକାରୀଙ୍କର ଏକ ଟିମ୍ ଆଜି ପୁରୀ ଗସ୍ତ କରି ସମସ୍ତ ପଦକ୍ଷେପର ସମୀକ୍ଷା କରିଛନ୍ତି। ଅତିରିକ୍ତ ବେଡ଼ ସଂଖ୍ୟା ଗତ ବର୍ଷର ୧୪୦ରୁ ୨୬୫କୁ ବୃଦ୍ଧି କରାଯାଇଛି । ସ୍ୱାସ୍ଥ୍ୟସେବାକୁ ବ୍ୟାପକ ଏବଂ ତ୍ୱରିତ କରିବା ଉଦ୍ଦେଶ୍ୟରେ ଅନ୍ୟ ଜିଲ୍ଲାରୁ ୩୭୮ ଜଣ ଅତିରିକ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିୟୋଜିତ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ୍ ବ୍ୟାଙ୍କରେ ୨୦୦ ୟୁନିଟ୍ ରକ୍ତ ସଂରକ୍ଷିତ ରଖାଯାଇଛି । ଅତିରିକ୍ତ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଏଏମ୍‌ସ୍‌, ଭୁବନେଶ୍ୱର ପକ୍ଷରୁ ଚିକିତ୍ସା କେନ୍ଦ୍ରରେ ଏକ ବିଶେଷ ଡାକ୍ତର ଟିମ୍ ନିୟୋଜିତ ରହିବାର ବ୍ୟବସ୍ଥା ହୋଇଛି ।

ରଥଯାତ୍ରା ସମୟରେ ୬୯ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ବ୍ୟାପକ ନେଟୱାର୍କ କାର୍ଯ୍ୟ କରିବ। ଏଥିରେ ୩୨ଟି ସରକାରୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଚଳିତ ଜୁନ୍ ୨୭ରୁ ଜୁଲାଇ ୮ ପର୍ଯ୍ୟନ୍ତ କାର୍ଯ୍ୟ କରିବ ଏବଂ ୩୭ଟି ସ୍ୱେଚ୍ଛାସେବୀ ସଂଗଠନ-ସହାୟତାପ୍ରାପ୍ତ କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବ। ପ୍ରତ୍ୟେକ କେନ୍ଦ୍ରରେ ଯୋଗ୍ୟ ଏମ୍‌ବିବିଏସ୍‌/ଆୟୁଷ ଡାକ୍ତର, ଫାର୍ମାସିଷ୍ଟ ଏବଂ ସହାୟକ କର୍ମଚାରୀ ନିୟୋଜିତ ରହିବେ ଏବଂ ରଥଯାତ୍ରା, ବହୁଡ଼ା ଯାତ୍ରା ଏବଂ ସୁନବେଶ ଦିନରେ ୨୪ ଘଂଟା ସ୍ୱାସ୍ଥ୍ୟସେବା ଜାରି ରହିବ। ବଡ଼ଦାଣ୍ଡରେ ସିଂହଦ୍ୱାର, ଗୁଣ୍ଡିଚା ମନ୍ଦିର ଏବଂ ଜଗନ୍ନାଥ ବଲ୍ଲଭ ପାର୍କିଂ ସମେତ ୯ଟି କେନ୍ଦ୍ର, ପୁରୀ-ଭୁବନେଶ୍ୱର ରାସ୍ତାରେ ୮ଟି କେନ୍ଦ୍ର, ସ୍ୱର୍ଗଦ୍ୱାର ଏବଂ ଲାଇଟ ହାଉସ୍ ସମେତ ସମୁଦ୍ର ବେଳାଭୂମି ସ୍ଥାନରେ ୫ଟି କେନ୍ଦ୍ର, ପୁରୀ-କୋଣାର୍କ ରାସ୍ତାରେ ୪ଟି କେନ୍ଦ୍ର ଏବଂ ପୁରୀ ସହରରେ ୨ଟି କେନ୍ଦ୍ର (ରେଳ ଷ୍ଟେସନ୍‌) ଭଳି ପ୍ରମୁଖ ସ୍ଥାନମାନଙ୍କରେ ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରିବ । ଅଂଶୁଘାତ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ତାଳବଣିଆରେ ଏକ ବିଶେଷ ୧୦ ଶଯ୍ୟାବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ହିଟ୍ ଷ୍ଟ୍ରୋକ୍ କେନ୍ଦ୍ର ସ୍ଥାପନ କରାଯାଇଛି ।

ଜରୁରୀକାଳୀନ ଚିକିତ୍ସା ପରିବହନ ପାଇଁ ବ୍ୟାପକ ଆମ୍ବୁଲେନ୍ସ ନେଟୱାର୍କ ସୁନିଶ୍ଚିତ କରାଯାଇଛି । ୩୧ଟି ସରକାରୀ ଆମ୍ବୁଲାନ୍ସ ଏବଂ ସ୍ୱେଚ୍ଛାସେବୀ ସହାୟତାରେ ୪୩ଟି ଆମ୍ବୁଲାନ୍ସକୁ ମିଶାଇ ମୋଟ ୭୪ଟି ଆମ୍ବୁଲାନ୍ସ ତୁରନ୍ତ ପ୍ରତିକ୍ରିୟା ପାଇଁ ଉପଲବ୍ଧ ରହିବ। ଏହି ଆମ୍ବୁଲାନ୍ସଗୁଡ଼ିକ ସ୍ୱେଚ୍ଛାସେବୀଙ୍କ ସହାୟତାରେ ନିର୍ଦ୍ଦିଷ୍ଟ ଆମ୍ବୁଲାନ୍ସ କରିଡୋର ମଧ୍ୟରେ କାର୍ଯ୍ୟ କରିବ ।

ଜନସ୍ୱାସ୍ଥ୍ୟ ସଚେତନତାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଖାଦ୍ୟ ନିରାପତା, ନିରାପଦ ପାନୀୟ ଜଳ, ହାତ ଧୋଇବା ଏବଂ ସ୍ୱଚ୍ଛତା ପ୍ରୋଟୋକଲ, ଓଆରଏସ୍ ବ୍ୟବହାର, ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, କୋଭିଡ୍ -୧୯ ପ୍ରତିରୋଧ ବ୍ୟବସ୍ଥା ଏବଂ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ବାବଦରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ଅଭିଯାନ ଜାରି ରହିଛି ।

ରଥଯାତ୍ରା ସମୟରେ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ସମନ୍ୱୟ କରିବା ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ନିର୍ଦ୍ଦିଷ୍ଟ ରଥଯାତ୍ରା କଣ୍ଟ୍ରୋଲ ରୁମ୍ ୨୪ ଘଂଟା କାର୍ଯ୍ୟ କରିବ। ଯେକୌଣସି ଚିକିତ୍ସା ସହାୟତା କିମ୍ବା ସ୍ୱାସ୍ଥ୍ୟସେବା ସଂପର୍କିତ ସୂଚନା ପାଇଁ କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର +୯୧ ୬୩୭୦୫୬୦୨୪୭ ଏବଂ ଲ୍ୟାଣ୍ଡଲାଇନ ନମ୍ବର ୦୬୭୫୨-୨୨୨୧୭୫ରେ ଯୋଗାଯୋଗ କରାଯାଇପାରିବ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ପୁରୀ ଗସ୍ତ କରି ଏହି ସମସ୍ତ ପଦକ୍ଷେପକୁ ସମନ୍ୱିତ ଏବଂ ବ୍ୟବସ୍ଥିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା କାଲିଠାରୁ ପୁରୀଠାରେ ସ୍ୱତନ୍ତ୍ର କ୍ୟାମ୍ପ ଅଫିସ୍ କାର୍ଯ୍ୟ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande